ବ୍ରହ୍ମପୁର: ଗାଁ ଦାଣ୍ଡରେ ଯୁବକଙ୍କୁ ପିଟିପିଟି ହତ୍ୟା। ଘର କାନ୍ଥ ନିର୍ମାଣକୁ ନେଇ ଦୀର୍ଘ ବର୍ଷର ବିବାଦରୁ ଘଟିଲା ହତ୍ୟାକାଣ୍ଡ। ଘରୁ ଘୋଷାଡ଼ି ଆଣି ଯୁବକଙ୍କୁ ନିର୍ମମ ଭାବେ ମାଡ଼ ମାରି ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ପୂର୍ବରୁ ମଧ୍ୟ ଦୁଇ ପଡ଼ୋଶୀଙ୍କ ମଧ୍ୟରେ ମାରପିଟ୍ ହୋଇଥିବା ବେଳେ ଘଟଣା ଥାନାରେ ପହଞ୍ଚିଥିଲା।

ତେବେ ପୂର୍ବ ବିବାଦକୁ ଗୁରୁତ୍ୱର ସହ ନିଆଯାଇନଥିବାରୁ ଆଜି ଏଭଳି ହତ୍ୟାକାଣ୍ଡ ଘଟିଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ପୋଡ଼ାମାରି ଗ୍ରାମର ଢିମିରା ସାହିରେ ଘଟିଛି ଏହି ହତ୍ୟାକାଣ୍ଡ। ମୃତ ଯୁବକ ହେଉଛନ୍ତି ପୋଡ଼ାମାରି ଗ୍ରାମର ସୁଦର୍ଶନ ବେହେରା।

also read- ୫୭ ଦିନ ପରେ ଧରାପଡ଼ିଲା ମା’ର ହତ୍ୟାକାରୀ ପୁଅ, ରୋଷେଇ ଘର ସ୍ଲାବ ତଳେ ଲୁଚାଇଥିଲା ମୃତଦେହ !

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସୁଦର୍ଶନଙ୍କୁ ତାଙ୍କ ଘରୁ ଘୋଷାଡ଼ି ଆଣି ଗାଁ ଦାଣ୍ଡରେ ମାଡ଼ ମାରିଥିବାରୁ ତାଙ୍କର ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଘଟଣା ସମ୍ପର୍କରେ ଖବର ପାଇ ପାଟପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ଏହି ଘଟଣାରେ କିଛି ଯୁବକଙ୍କୁ ପୁଲିସ ଥାନାକୁ ନେଇଥିବା ସୂଚନା ମିଳିଛି।