କୋଲକାତା: ଟିମ୍‌ ଇଣ୍ଡିଆର ଷ୍ଟାର ଦ୍ରୁତ ବୋଲର ମହମ୍ମଦ ଶାମି ଜାତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିବେ କି ପ୍ରଶ୍ନରେ ବଡ଼ ମନ୍ତବ୍ୟ ଦେଇଛନ୍ତି । ନିଜର ଫିଟନେସକୁ ନେଇ ମଧ୍ୟ ଖୋଲାଖୋଲି କହିଛନ୍ତି ଶାମି । ରଣଜୀ ଟ୍ରଫିରେ ବେଙ୍ଗଲ ଏବଂ ସର୍ଭିସେସ୍ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ଶାମି ଚୂଡ଼ାନ୍ତ ଏକାଦଶରେ ସାମିଲ ନଥିଲେ । ପଡ଼ିଆରୁ ବାହାରିବା ପରେ ତାଙ୍କୁ ଏହାର ଜବାବ ଦେବାକୁ ପଡ଼ିବ ବୋଲି ଜାଣିଥିଲେ ଷ୍ଟାର ବୋଲର । କିନ୍ତୁ ସାମ୍ବାଦିକମାନେ ତାଙ୍କୁ ଜାତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିବାର ସମ୍ଭାବନା ସଂପର୍କରେ ପଚାରିଥିଲେ । ଏପରିକି ଶାମିଙ୍କ କାର୍ଯ୍ୟ ଚାପ ଏବଂ ଫିଟନେସକୁ ନେଇ ପ୍ରଶ୍ନ ପଚରାଯାଇଥିଲା । 

କାହିଁକି କମ୍‌ ବୋଲିଂ କରୁଛନ୍ତି ଶାମି ?
​​​​​​​ଡୋମେଷ୍ଟିକ୍ କ୍ରିକେଟ୍‌ରେ ଶାମି କମ୍ ଓଭର ବୋଲିଂ କରୁଥିବା ନେଇ ପ୍ରଶ୍ନରେ ଶାମି କହିଛନ୍ତି, ବାହାରେ ବସିଥିବା ଲୋକମାନେ କେବେ ବି ସ୍ଥିର କରିପାରିବେ ନାହିଁ ଯେ, ଜଣେ ବୋଲର୍ କେତେ ଓଭର ବୋଲିଂ କରିବା ଦରକାର। ଏହା ସମ୍ପୂର୍ଣ୍ଣ ଭାବେ ପିଚ୍‌ର ସ୍ଥିତି ଏବଂ ମ୍ୟାଚ୍‌ର ଆବଶ୍ୟକତା ଉପରେ ନିର୍ଭର କରେ। ଯଦି ପିଚ୍ ସ୍ପିନରଙ୍କ ପାଇଁ ସହାୟକ, ତେବେ ଅଧିନାୟକ ସ୍ପିନରଙ୍କୁ ଓଭର ଦେବେ । ଏଥିରେ ଜଣେ ପେସର୍ ବାଧ୍ୟତାମୂଳକ ଭାବରେ ଓଭର ପରେ ଓଭର ବୋଲିଂ କରିବାର କୌଣସି ଯୁକ୍ତି ନାହିଁ। ନିଜର ଫିଟନେସ୍ ପ୍ରମାଣିତ କରିବା ପାଇଁ ସେ କହିଛନ୍ତି ଯେ, ସେ ମ୍ୟାଚ୍ ଦିନ ମଧ୍ୟ ନେଟ୍ସରେ ପ୍ରାୟ ଦେଢ଼ ଘଣ୍ଟା ଧରି କ୍ରମାଗତ ବୋଲିଂ ଅଭ୍ୟାସ କରିଛନ୍ତି।

ଦଳର ଆବଶ୍ୟକତାକୁ ଦେଖି ଖେଳୁଛି: ଶାମି
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ୩୬ ବର୍ଷୀୟ ଶାମି ନିଜର ଦୃଢ଼ ମନୋବଳ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ସେ ଏବେ ବି ନିଜ କ୍ୟାରିୟରର ଶୀର୍ଷରେ ଅଛନ୍ତି। ସର୍ଭିସେସ୍ ବିପକ୍ଷ ମ୍ୟାଚ୍‌ରେ ଆକାଶ ଦୀପ୍ ଏବଂ ମୁକେଶ କୁମାରଙ୍କ ଅନୁପସ୍ଥିତି ସତ୍ତ୍ୱେ ଶାମି ନଖେଳିବା ନେଇ ପ୍ରଶ୍ନ ଉଠିଥିଲା। ଏହାର ସ୍ପଷ୍ଟୀକରଣ ଦେଇ ଶାମି କହିଛନ୍ତି ଯେ, ପାଲାମର ପିଚ୍ ପେସରଙ୍କ ପାଇଁ ଅନୁକୂଳ ନଥିଲା। ସେହିପରି ପିଚ୍‌ରେ ମାତ୍ର ୨-୪ ଓଭର ବୋଲିଂ କରିବା ଅପେକ୍ଷା ଦଳର ଯୁବ ଖେଳାଳିମାନଙ୍କୁ ସୁଯୋଗ ଦେବା ଅଧିକ ଶ୍ରେୟସ୍କର ଥିଲା। 

ଆଶା ଛାଡ଼ିନାହାନ୍ତି ଶାମି
ନ୍ୟୁଜିଲ୍ୟାଣ୍ଡ ଗସ୍ତ ପାଇଁ ଭାରତୀୟ ଟେଷ୍ଟ ଦଳରେ ଶାମିଙ୍କୁ ସ୍ଥାନ ମିଳିନାହିଁ । ଏହାକୁ ନେଇ ସେ କହିଛନ୍ତି ଯେ, ତାଙ୍କର ମୂଳ ଲକ୍ଷ୍ୟ ହେଉଛି ଆଗାମୀ ଘରୋଇ ଟୁର୍ଣ୍ଣାମେଣ୍ଟଗୁଡ଼ିକରେ ଯଥାସମ୍ଭବ ଅଧିକ ମ୍ୟାଚ୍ ଖେଳିବେ । ଜାତୀୟ ଦଳକୁ କେତେବେଳେ କାହାର ଆବଶ୍ୟକତା ପଡ଼ିବ ତାହା କେହି କହିପାରିବେ ନାହିଁ। ତେଣୁ ନିଜକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରଖିବା ଏବଂ ଆଇପିଏଲ୍ ପାଇଁ ଫିଟ୍ ରହିବା ତାଙ୍କର ପ୍ରାଥମିକତା। ଗତ ରଣଜୀ ସିଜନ୍‌ରେ ବେଙ୍ଗଲ ପାଇଁ ୭ଟି ମ୍ୟାଚ୍‌ରେ ୧୬.୭୨ ହାରରେ ୩୭ଟି ୱିକେଟ୍ ନେଇଥିଲେ ଶାମି । ସେହିଭଳି ଜାତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିବାକୁ ବେଶ୍‌ ଆଶାବାଦୀ ଥିବା କହିଛନ୍ତି ମହମ୍ମଦ ଶାମି ।