ବଡ଼ବିଲ: ହାତୀ ଆକ୍ରମଣରେ ପୁଣି ଜଣେ ପ୍ରାଣ ହରାଇଛନ୍ତି । ଫସଲ ବଞ୍ଚାଇବାକୁ ଯାଇ ଦୁର୍ଭାଗ୍ୟବଶତଃ ଜୀବନ ହାରିଛନ୍ତି ଜଣେ ନିରୀହ ଚାଷୀ। ହାତୀ ତାଙ୍କୁ ଦଳି ଦେବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି । ମୃତକ ହେଲେ କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ଅଞ୍ଚଳରେ ବସିରା ଚତୁରୀ ସାହିର ଚାଷୀ ବିଶ୍ୱନାଥ ମହାନ୍ତ। ଏହି ଦୁଃଖଦ ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକାକୁଳ ପରିବେଶ ସହ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।

ସୂଚନା ଅନୁସାରେ, ଗତ କିଛି ଦିନ ହେବ ଚମ୍ପୁଆ ରେଞ୍ଜ ଅଧୀନ ବିଭିନ୍ନ ଗ୍ରାମରେ ୨୫ ଟିକିଆ ଏକ ହାତୀପଲ ଉପଦ୍ରବ ଚଳାଇ ଆସୁଛନ୍ତି। ଘର ଭାଙ୍ଗିବା ସହିତ ଚାଷ ନଷ୍ଟ କରୁଛନ୍ତି । ତେବେ ସନ୍ଧ୍ୟାରେ ଏହି ହାତୀପଲ ବସିରା ଅଞ୍ଚଳର ଧାନ ବିଲରେ ପଶି ଫସଲ ନଷ୍ଟ କରୁଥିଲେ। ଧାନ ଖାଉଥିବା ଦେଖି ଚତୁରୀ ସାହିର ବିଶ୍ୱନାଥ ମହାନ୍ତ ହାତୀପଲଙ୍କୁ ଘଉଡ଼ାଇବାକୁ ଉଦ୍ୟମ କରିଥିଲେ।

Also Read: ସ୍ମଗ୍ଲିଂ ଲିଙ୍କ ଥାଇପାରେ, ଜଏଣ୍ଟ ଟାସ୍କ ଫୋର୍ସ ଘଟଣାର ଖିଅ ଖୋଜୁଛି

କିନ୍ତୁ ହାତୀପଲ ମଧ୍ୟରୁ ଗୋଟିଏ ହାତୀ ହଠାତ୍ ତାଙ୍କ ଆଡ଼କୁ ମାଡ଼ି ଆସି ତାଙ୍କୁ ଶୁଣ୍ଢରେ କଚାଡ଼ି ଦଳି ଦେଇଥିଲା। ଆକ୍ରମଣ ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ହିଁ ବିଶ୍ୱନାଥଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। ହାତୀପଲ ଏବେ ବି ସ୍ଥାନୀୟ ଅଞ୍ଚଳରେ ଘୂରି ବୁଲୁଥିବାରୁ ଆଖପାଖ ଗାଁରେ ଭୟର ବାତାବରଣ ଖେଳିଯାଇଛି।