ଭୁବନେଶ୍ବର ୮।୪: ବିଜୁ ତିରୋଧାନ ଦିବସରେ ଆତ୍ମପ୍ରକାଶ କରିବ ତୃତୀୟ ସାମ୍ମୁଖ୍ୟ ! ଏମିତି କିଛି ଇସାରା ଦେଲେ ବରିଷ୍ଠ ରାଜନେତା ଅମର ଶତପଥୀ । ବିଜୁ ଲିଗାସିକୁ ନେଇ କିଛି ଲୋକ ଭୁଲ୍ ପ୍ରଚାର କରୁଛନ୍ତି । ଏପ୍ରିଲ ୧୭ ତାରିଖରେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସ ଭୁବନେଶ୍ବରରେ ପାଳିତ ହେବାକୁ ଯାଉଛି । ଆଗକୁ ଅନେକ କଥା ଘଟିବ । ବିଜୁ ବାବୁଙ୍କ ବିଚାରଧାରାରେ ବିଶ୍ବାସ ରଖୁଥିବା ବ୍ୟକ୍ତି ବିଶେଷ ଏକାଠି ହେବାର ଆବଶ୍ୟକତା ରହିଛି ।

କିଛି ବର୍ଷ ଧରି ବିଜୁ ବାବୁଙ୍କ ନାଁକୁ ଖର୍ବ କରିବାକୁ ଚେଷ୍ଟା କରାଯାଇଛି । ବିଜେଡିରେ ବିଜୁ ବାବୁଙ୍କ ଫଟୋ ବି କାଢି ଦିଆଗଲା । ଅନ୍ୟ ମାନଙ୍କ ନାଁ ରଖାଗଲା । ଆଜି ବି କିଛି ଲୋକ ବିଜୁ ବାବୁଙ୍କ ନାଁ ବ୍ୟବହାର କରିବାକୁ ଚାହୁଁଛନ୍ତି କିନ୍ତୁ ବିଜୁ ଲିଗାସିକୁ ଆଗକୁ ନେବାକୁ ଚାହୁଁ ନାହାନ୍ତି । ଏହା ପ୍ରବଞ୍ଚନା । ଲିଗାସି ବନାମ ହିପୋକ୍ରାସି ଲୋକଙ୍କ ଭିତରେ ଆଲୋଡନ ସୃଷ୍ଟି କରୁଛି । ଏହାକୁ ନେଇ ବିଜୁ ଶ୍ରାଦ୍ଧ ଦିବସ ପାଳନ ଗୁରୁତ୍ଵ ବହନ କରୁଛି । ବିଜେଡିରୁ ଲୋକେ ଦୂରେଇ ଯାଉଛନ୍ତି । ବାଲେଶ୍ଵର, ଭଦ୍ରକ ଓ ଯାଜପୁରରେ ଯାହା ଘଟଣା ଘଟୁଛି, ସେଥିରୁ ସ୍ପଷ୍ଟ ବୋଲି ଅମର ଶତପଥୀ କହିଛନ୍ତି ।

ବିଜେଡିରେ ଲମ୍ବି ଚାଲିଛି ସସପେଣ୍ଡ ତାଲିକା । ଏଥିରୁ ବାଦ ପଡୁ ନାହାନ୍ତି ବିଧାୟକ, ପୂର୍ବତନ ବିଧାୟକ, ସାଂସଦ କି ବରିଷ୍ଠ ନେତା । ବରିଷ୍ଠ, କନିଷ୍ଠ, ଯୁବ, ଛାତ୍ର ସବୁ ସଂଗଠନରେ ବିଜେଡି ଚଲାଇଛି ସସପେଣ୍ଡ ପର୍ବ । ଏହାରି ଭିତରେ ସୋମବାର ବିଜେଡି ପୂର୍ବତନ ସାଂସଦ ମଞ୍ଜୁଲତା ମଣ୍ଡଳ ଓ ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କୁ ଦଳ ସସପେଣ୍ଡ କରିଥିଲା । ଦଳ ବିରୋଧୀ କାମ ପାଇଁ ତାଙ୍କ ଉପରେ ଦଳ କାର୍ଯ୍ୟାନୁଷ୍ଠାନ ନେଇଥିବା କୁହାଯାଉଥିଲା । ଏମିତି କି ସେ ଖୁବ୍‌ଶୀଘ୍ର ବିଜେପିରେ ମିଶିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି । ଏପଟେ ବିଜେଡି ବର୍ତ୍ତମାନ ଯେମିତି ଦଳ ବିରୋଧୀ କାର୍ଯ୍ୟକ୍ରମ ନାଁରେ ଜଣେ ପରେ ଜଣେ ନେତାଙ୍କୁ ସସପେଣ୍ଡ କରିବାରେ ଲାଗିଛି, ଆଗାମୀ ଦିନରେ ଦଳ ପାଇଁ ଏହା ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିବାକୁ ଯାଉଛି । ବିଜେଡି କହିଛି, ଦଳରୁ ଯିଏ ଗଲେ ମଧ୍ୟ କିଛି ଫରକ ପଡିବ ନାହିଁ । ଅଳିଆ ସଫା ହେଲେ ଦଳ ଅଧିକ ମଜଭୁତ ହେବ । ସେପଟେ ବିଶେଷଜ୍ଞଙ୍କ ମତ, ପଂଚାୟତ ନିର୍ବାଚନ ଯେତିକି ପାଖେଇବ ଏହି ସସପେଣ୍ଡ ପର୍ବ ସେତିକି ବଢିବ । ଏହାଦ୍ବାରା ଦଳ ଦୁର୍ବଳ ହେବା ସମ୍ଭାବନା ବି ରହିଛି ।

Also Read:- Bjp Target Bjd: ରାଜ୍ୟରେ ଏବେ ପାଓ୍ୱାରଲେସ୍ ବିଜେଡି, ବିଜେପି କଣ୍ଟାକ୍ଟରେ ଅନେକ ଅସନ୍ତୁଷ୍ଟ

ଗୋଟିଏ ପଟେ ବିଜେଡି ଯେତିକି ଛିଣ୍ଡୁଛି ଅନ୍ୟପଟେ ବିଜେପି ସେତିକି ବଢୁଛି । କାରଣ ବିଜେଡି ଛାଡି ନେତାମାନେ ବିଜେପି ମୁହାଁ ହେଉଛନ୍ତି । ହେଲେ ଆଗାମୀ ଦିନରେ ଏହା ବିଜେପି ପାଇଁ ବି ଘାତକ ହୋଇପାରେ । କାରଣ ଗୋଟିଏ ଦଳରୁ ଅନ୍ୟ ଦଳକୁ ନେତା ଆସିଲେ ପଦ ପଦବୀ ପାଇଁ ଡିଲ୍ କରି ଆସିଥାନ୍ତି । ଏହି କ୍ରମରେ ବିଜେପିକୁ ଆସୁଥିବା ନେତା ଯଦି ପଦ ପଦବୀ ମାଡି ବସିବେ ତାହାଲେ ଦୀର୍ଘ ଦିନ ଧରି ଦଳ ପାଇଁ କାମ କରୁଥିବା ନେତାଙ୍କ ଭିତରେ ଅସନ୍ତୋଷ ବଢିପାରେ । ବିଜେପି ସଭାପତି ମନ ମୋହନ ସାମଲ କହିଛନ୍ତି, ଆମ ଦ୍ୱାର ସମସ୍ତଙ୍କ ପାଇଁ ଉନ୍ମୁକ୍ତ ରହିଛି । ଯେଉଁମାନେ ଆଗ୍ରହ ପ୍ରକାଶ କରିବେ ଆସିପାରିବେ । ବିଶେଷଜ୍ଞ କହିଛନ୍ତି, ବିଜେପିକୁ ସରକାରକୁ ଆଣିବା ପାଇଁ ଅନେକ ନେତା ଦିନ ରାତି ଏକ କରି ପରିଶ୍ରମ କରିଥିଲେ । ନୂଆ ନେତାଙ୍କ ପାଇଁ ଯଦି ଦଳ ତାଙ୍କୁ ଅଣଦେଖା କରେ ଦଳ ପାଇଁ ଏହା ଅଡୁଆ ସ୍ଥିତି ଉପୁଜାଇ ପାରେ ।

Watch Video:​​​​​​​