ମୁମ୍ବାଇ : ନେପାଳୀ ସିନେମାରୁ ବଲିଉଡର ବଡ଼ ପରଦା । ବଲିଉଡ୍ ଭାଇଜାନ୍ ସଲମାନଙ୍କ ସହ ଦେବେ ଟକ୍କର । ବିଦେଶୀ ହ୍ୟାଣ୍ଡସମ୍ ଷ୍ଟାରଙ୍କୁ ନେଇ ଏବେ ବଲିଉଡରେ ଚର୍ଚ୍ଚା । ଲୁକରେ ଦମ୍, ପର୍ସନାଲିଟିରେ ରହିଛି ଜବରଦସ୍ତ ଆଟିଟ୍ୟୁଡ୍ । ଦେଖିବାକୁ ବି ଆଉ ବଡି ଲାଙ୍ଗୁଏଜରେ ବି ପୁରାପୁରି ଭାଇଜାନଙ୍କ ଷ୍ଟାଇଲ । ଚେହେରାରେ ଝଲକୁଛି ସଲମାନଙ୍କ ଭଳି ରଫ୍ ଆଣ୍ଡ ଟଫ୍ ଝଲକ୍ । ଏସବୁକୁ ନେଇ ଏବେ ଚର୍ଚ୍ଚାରେ ନେପାଳୀ ସିନେମାର ଲୋକପ୍ରିୟ ଅଭିନେତା ଅନୂପ ବିକ୍ରମ ଶାହୀ । ସଲମାନଙ୍କ ଆଗାମୀ ଫିଲ୍ମ 'ମାତୃଭୂମି'ରେ ଦମଦାର ରୋଲରେ ନଜର ଆସିବେ ଅନୂପ । ତେବେ କିଏ ଏହି ଅନୂପ ? ଯାହାଙ୍କ ମ୍ୟାଚ ସଲମାନଙ୍କ ସହ କରାଯାଉଛି । କେମିତି ମିଳିଲା ଭାଇଜାନଙ୍କ ସହ କାମ କରିବାର ସୁଯୋଗ ? ଆଉ ବଲିଉଡରେ ଏଣ୍ଟ୍ରି ପରେ କ'ଣ ରହିଛି ତାଙ୍କର ଆଗାମୀ ପ୍ଲାନ୍ ?

ନେପାଳ କାଠମାଣ୍ଡୁରେ ଅନୂପ ବିକ୍ରମ ଶାହୀଙ୍କ ଜନ୍ମ । ମଡେଲିଂରୁ ଆରମ୍ଭ ଗ୍ଲାମର୍ ଦୁନିଆର ଯାତ୍ରା । ୨୦୧୩ରେ ମ୍ୟାନହଣ୍ଟ ଇଣ୍ଟରନ୍ୟାସନାଲ୍ ନେପାଳ ଟାଇଟଲ୍ ଜିତିବା ପରେ ମିଳିଥିଲା ନୂଆ ପରିଚୟ । ଜଣେ ମଡେଲ ସହ ତାଙ୍କର ଅନ୍ୟ କ୍ଷେତ୍ରରେ ମଧ୍ୟ ପାରଦର୍ଶିତା ରହିଛି । ପରେ ସିନେମା ଜଗତରେ ପାଦ ଥାପିଥିଲେ ଅନୂପ । ୨୦୧୩ରେ ନେପାଳୀ ଫିଲ୍ମ 'ସୌର୍ଯ୍ୟ'ରୁ ଆରମ୍ଭ ହୋଇଥିଲା ତାଙ୍କର ଅଭିନୟ କ୍ୟାରିୟର । ହେଲେ ୨୦୧୪ରେ ରିଲିଜ୍ ହୋଇଥିବା 'ହସିୟା' ଫିଲ୍ମ ତାଙ୍କୁ ଦେଇଥିଲା ବଡ଼ ପରିଚୟ । ବିଶେଷ କରି ନେଗେଟିଭ୍ ରୋଲ୍ରେ ତାଙ୍କ ଅଭିନୟ ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା । 'ବୀର ବିକ୍ରମ', 'କ୍ରୀ', 'ଲିଲି ବିଲି', 'ଜୟ ଶମ୍ଭୁ' ଏବଂ 'ଲପ୍ପନ ଛପ୍ପନ ୨' ଭଳି ଫିଲ୍ମରେ କାମ କରି ସେ ନେପାଳୀ ସିନେମାରେ ନିଜର ଦବଦବା ଜାହିର କରିଛନ୍ତି । ଟେଲିଭିଜନ୍ ରିଆଲିଟି ଶୋ' 'ହିମାଳୟନ୍ ରୋଡିଜ୍'ରେ ଗ୍ୟାଙ୍ଗ ଲିଡର୍ ଭାବେ ମଧ୍ୟ ନଜର ଆସିଛନ୍ତି । ତେବେ ସଲମାନଙ୍କ ସହ ବଲିଉଡରେ ଏଣ୍ଟ୍ରି କରିବାର କେମିତି ମିଳିଲା ସୁଯୋଗ? ଏହାକୁ ନେଇ ଏବେ ଚର୍ଚ୍ଚ ବଢିଛି ।

ଅନୂପଙ୍କ ବଲିଉଡ୍ ଏଣ୍ଟ୍ରି ପଛରେ ରହିଛି ଏକ ଖାସ୍ କାହାଣୀ । 'ମାତୃଭୂମି'ରେ ଏକ ସ୍ୱତନ୍ତ୍ର ଚରିତ୍ର ପାଇଁ ବିଶ୍ୱର ବିଭିନ୍ନ ସ୍ଥାନରୁ କଳାକାରଙ୍କ ଅଡିସନ୍ ନିଆଯାଇଥିଲା । ଅନେକ କଳାକାରଙ୍କ ମଧ୍ୟରୁ ଶେଷରେ ଅନୂପଙ୍କୁ ଚୟନ କରାଯାଇଥିଲା । ଫିଲ୍ମରେ ସେ ଚୀନ୍ ସେନାର ଜଣେ ମେଜର୍ ଭୂମିକାରେ ଅଭିନୟ କରିଛନ୍ତି । ଅର୍ଥାତ୍ ବଡ଼ ପରଦାରେ ସଲମାନଙ୍କ ସହ ଟକ୍କର ଦେବେ ଅନୂପ । ଟ୍ରେଲରରେ ଦୁଇ ଅଭିନେତାଙ୍କ ମଧ୍ୟରେ ଜବରଦସ୍ତ ଆକ୍ସନ ସିନ ଦେଖିବାକୁ ମିଳିଛି । ତେବେ ଟ୍ରେଲର୍ ଲଞ୍ଚ୍ ସମୟରେ ସଲମାନଙ୍କ ପ୍ରତି ଅନୂପଙ୍କ ସମ୍ମାନ ମଧ୍ୟ ଚର୍ଚ୍ଚାକୁ ଆସିଥିଲା । ପରଦାରେ ମୁହାଁମୁହିଁ ଟକ୍କର ଦେଲେ ବି ଅସଲରେ ଭାଇଜାନଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ ଏହି ନେପାଳୀ ଷ୍ଟାର । ସଲମାନ ମଧ୍ୟ ତାଙ୍କୁ ଆଲିଙ୍ଗନ କରିଥିଲେ । ଅନୂପଙ୍କ ଲମ୍ବା ଚେହେରା, ଦମଦାର ପର୍ସନାଲିଟି ଆଉ ଆକ୍ସନ୍ ହିରୋ ଭଳି ଲୁକ୍ ତାଙ୍କୁ ଅନ୍ୟମାନଙ୍କଠାରୁ ଅଲଗା କରୁଛି । ସୋସିଆଲ୍ ମିଡିଆରେ ତାଙ୍କ ଲୁକ୍କୁ ନେଇ ଅନେକ ଚର୍ଚ୍ଚା । କେତେକ ଫ୍ୟାନ୍ସଙ୍କୁ ତାଙ୍କ ଷ୍ଟାଇଲ୍ ଓ ରଫ୍ ଆଣ୍ଡ ଟଫ୍ ଅନ୍ଦାଜରେ ସଲମାନଙ୍କ ଝଲକ ଦେଖିବାକୁ ମିଳୁଛି ।

ତେବେ ସଲମାନ ଖାନ୍ ଓ ଚିତ୍ରାଙ୍ଗଦା ସିଂହଙ୍କ ଅଭିନୀତ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଅପୂର୍ବ ଲାଖିଆ । ୨୦୨୦ର ଗଲୱାନ୍ ଘାଟିରେ ଭାରତ ଓ ଚୀନ୍ ସେନା ମଧ୍ୟରେ ହୋଇଥିବା ସଂଘର୍ଷରୁ ପ୍ରେରିତ ହୋଇଛି ଏହି ଯୁଦ୍ଧଭିତ୍ତିକ ଫିଲ୍ମ । ପୂର୍ବରୁ ଏହାର ନାଁ 'ବ୍ୟାଟଲ୍ ଅଫ୍ ଗଲୱାନ୍' ରହିଥିବା ବେଳେ ପରେ ଏହାର ନାମ 'ମାତୃଭୂମି: ମେ ୱାର୍ ରେଷ୍ଟ ଇନ୍ ପିସ୍' ରଖାଯାଇଛି । ଆସନ୍ତା ଡିସେମ୍ବର ୪ ତାରିଖରେ ଏହା ସିନେମା ହଲ୍ରେ ରିଳିଜ ହେବାର ଯୋଜନା ରହିଛି । ତେବେ ଅନୂପଙ୍କ ପାଇଁ ଏହା କେବଳ ଏକ ଫିଲ୍ମ ନୁହେଁ, ବରଂ ନେପାଳୀ ସିନେମାରୁ ବଲିଉଡ୍ ପର୍ଯ୍ୟନ୍ତ ପହଞ୍ଚିବାର ଏକ ବଡ଼ ସୁଯୋଗ । ଏବେ ପ୍ରଶ୍ନ ହେଉଛି, ସଲମାନଙ୍କ ସହ ସ୍କ୍ରିନ୍ ସେୟାର୍ କରିବା ପରେ ଅନୂପ ବଲିଉଡ୍ରେ ନିଜର ସ୍ଥାୟୀ ପରିଚୟ ତିଆରି କରିପାରୁଛନ୍ତି କି ନାହିଁ ?