ମୁମ୍ଵାଇ ୧୩।୧୧; ବଲିଉଡ୍‌ର ଶେହେନଶାହ ଅମିତାଭ ବଚ୍ଚନଙ୍କ ପରିବାରରେ ଝଡ଼! ଯେଉଁ 'ଜଲସା' ବଙ୍ଗଳାକୁ ନେଇ ଦଶନ୍ଧି ଦଶନ୍ଧି ଧରି ଚର୍ଚ୍ଚାରେ ବଚ୍ଚନ ପରିବାର, ଏବେ ସେହି ଘରକୁ ନେଇ ସାମ୍ନାକୁ ଆସିଛି ବଡ଼ ବିବାଦ। ଅମିତାଭଙ୍କ ସାନ ଭାଇ ଅଜିତାଭ ବଚ୍ଚନଙ୍କ ପତ୍ନୀ ରମୋଲା ବଚ୍ଚନଙ୍କ ସାଂଘାତିକ ଅଭିଯୋଗ। ତାଙ୍କ ଅଜାଣତରେ ତାଙ୍କ ନାଁରୁ ହଟିଗଲା 'ଜଲସା'ର ମାଲିକାନା! ଆଉ ତାଙ୍କ ସ୍ଥାନରେ ମାଲିକାନା ହସ୍ତାନ୍ତର ହେଲା ଜୟା ବଚ୍ଚନଙ୍କ ନାଁକୁ। ୧୯୯୩ର ଏକ ଗିଫ୍ଟ ଡିଡ୍କୁ ନେଇ ଏବେ ଉଠିଛି ବଡ଼ ପ୍ରଶ୍ନ। ତେବେ କ'ଣ ରହିଛି ଏହି ସମ୍ପତ୍ତି ବିବାଦର ପୂରା କାହାଣୀ? ଆସନ୍ତୁ ଜାଣିବା।

ମୁମ୍ବାଇର ଜୁହୁ ଅଞ୍ଚଳରେ ଥିବା ବଚ୍ଚନ ପରିବାରର ଚର୍ଚ୍ଚିତ ବଙ୍ଗଳା 'ଜଲସା'। ଏହି ଘର କେବଳ ଅମିତାଭ ବଚ୍ଚନଙ୍କ ଠିକଣା ନୁହେଁ, ବରଂ ବଲିଉଡ୍ର ଏକ ପରିଚିତ ପରିଚୟ। କିନ୍ତୁ ଏବେ ଏହି ଘରକୁ ନେଇ ସାମ୍ନାକୁ ଆସିଛି ପାରିବାରିକ ସମ୍ପତ୍ତି ବିବାଦ। ଅମିତାଭ ବଚ୍ଚନଙ୍କ ସାନ ଭାଇ ଅଜିତାଭ ବଚ୍ଚନଙ୍କ ପତ୍ନୀ ରମୋଲା ବଚ୍ଚନ ଅଭିଯୋଗ ଆଣିଛନ୍ତି । କହିଛନ୍ତି ଯେ, ତାଙ୍କ ସହମତି ବିନା 'ଜଲସା' ବଙ୍ଗଳାର ମାଲିକାନା ହଟାଇ ଦିଆଯାଇଛି । ଏତିକି ହିଁ ନୁହେଁ ଜୟା ବଚ୍ଚନଙ୍କ ନାଁକୁ ହସ୍ତାନ୍ତର କରାଯାଇଛି।

ଏହି ବିବାଦ ୧୯୯୩ ମସିହାର ଏକ ଗିଫ୍ଟ ଡିଡ୍ରେ ରହିଛି। ଏହି ଦସ୍ତାବିଜ୍ରେ ଦର୍ଶାଯାଇଥିବା ଅନୁସାରେ, ରମୋଲା ବଚ୍ଚନ 'ଜଲସା' ବଙ୍ଗଳାକୁ ଜୟା ବଚ୍ଚନଙ୍କୁ ଉପହାର ସ୍ୱରୂପ ପ୍ରଦାନ କରିଥିଲେ। ହେଲେ ରମୋଲାଙ୍କ ଦାବି ସମ୍ପୂର୍ଣ୍ଣ ଭିନ୍ନ। ସେ କହିଛନ୍ତି, ଏଭଳି କୌଣସି ଉପହାର ଦେବାକୁ ସେ କେବେ ସହମତି ଦେଇନାହାନ୍ତି। ଏପରିକି ଏହି ଗିଫ୍ଟ ଡିଡ୍ ସମ୍ପର୍କରେ ମଧ୍ୟ ତାଙ୍କୁ କୌଣସି ସୂଚନା ଦିଆଯାଇନଥିଲା।

ରମୋଲାଙ୍କ ଅଭିଯୋଗ ଅନୁସାରେ, ତାଙ୍କ ଅଜାଣତରେ ମାଲିକାନା ପରିବର୍ତ୍ତନ ପାଇଁ ଦସ୍ତାବିଜ୍ ପ୍ରସ୍ତୁତ କରାଯାଇଥିଲା। ଏହି ଘଟଣାକୁ ନେଇ ସେ ଅନେକ ଅଭିଯୋଗ ଦାଖଲ କରିଥିବା ମଧ୍ୟ ସୂଚନା ମିଳିଛି। ଏବେ ପ୍ରଶ୍ନ ଉଠୁଛି, ୧୯୯୩ର ଏହି ଗିଫ୍ଟ ଡିଡ୍ରେ ପ୍ରକୃତରେ କ'ଣ ଉଲ୍ଲେଖ ରହିଛି? ଏହି ଦସ୍ତାବିଜ୍ କେମିତି ପ୍ରସ୍ତୁତ ହୋଇଥିଲା? ଏବଂ ରମୋଲା ବଚ୍ଚନଙ୍କ ଅଭିଯୋଗର ସତ୍ୟତା କ'ଣ? ତେବେ ଏହି ପ୍ରସଙ୍ଗରେ ଅମିତାଭ, ଜୟା କିମ୍ବା ବଚ୍ଚନ ପରିବାରର ଅନ୍ୟ ସଦସ୍ୟଙ୍କ ପକ୍ଷରୁ କୌଣସି ଆଧିକାରିକ ପ୍ରତିକ୍ରିୟା ମିଳିଛି କି ନାହିଁ, ଏବେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ।