ଛତ୍ରପୁର: ଜିଲ୍ଲାର ବିଭିନ୍ନ ବ୍ଲକରେ ଚାକିରି କରାଇ ଦେବା ନାଁରେ ଠକେଇ ଅଭିଯୋଗ । ଉତ୍ୟକ୍ତ ପ୍ରାର୍ଥୀମାନେ ମଧ୍ୟସ୍ଥିକୁ ଧରି ପୋଲିସର ଜିମା ଦେଇଥିବା ବେଳେ, ମାଷ୍ଟର ମାଇଣ୍ଡ ଫେରାର ମାରିଥିବା ଜଣାପଡ଼ିଛି। ଗଞ୍ଜାମ ଛତ୍ରପୁରରେ ଏଭଳି ଏକ ଅଭାବନୀୟ ଚିତ୍ର ଦେଖିବାକୁ ମିଳିଛି।

ସୂଚନା ଅନୁସାରେ, ଛତ୍ରପୁରର ଏକ ଘରୋଇ କଲ୍ୟାଣ ମଣ୍ଡପରେ ଚାକିରି ପାଇଁ ଇଣ୍ଟରଭ୍ୟୁ ଚାଲିଥିଲା। ହେଲେ ଏହି ସମୟରେ କିଛି ପ୍ରାର୍ଥୀ ହୋହାଲ୍ଲା କରି ସେଠାକୁ ଆସିଥିଲେ। ବୁଝିବାରୁ ଜଣାପଡ଼ିଲା ଏସବୁ ଇଣ୍ଟରଭ୍ୟୁ ଫେକ୍ ବୋଲି। ଯାହାପରେ ଦେଖାଦେଇଥିଲା ଉତ୍ତେଜନା।

ଜଣାପଡ଼ିଛି ଯେ, ଛତ୍ରପୁର ଅଞ୍ଚଳର ଜୈନିକ ମହିଳା ଚାକିରି କରାଇଦେବା ନାଁରେ କିଛି ଆଶାୟୀ ପ୍ରାର୍ଥୀଙ୍କ ଠାରୁ ଟଙ୍କା ନେଇଥିଲେ । ଏମିତିକି ଫେକ୍ ଆଇ କାର୍ଡ ମଧ୍ୟ ଦେଇଥିଲେ। ପରେ ସେମାନଙ୍କୁ ଚାକିରି କରାଇଦେବା ପାଇଁ ଅର୍ଥ ଆବଶ୍ୟକ ପଡ଼ୁଥିବା କହି ପ୍ରାର୍ଥୀଙ୍କ ଠାରୁ ଟଙ୍କା ମାଗିଥିଲେ । ବାରମ୍ବାର ଏପରି ଟଙ୍କା ମାଗିବାରୁ ପ୍ରାର୍ଥୀମାନେ ଆଜି ଇଣ୍ଟରଭ୍ୟୁ ସ୍ଥଳରେ ମଧ୍ୟ ଯୁକ୍ତିତର୍କ ହୋଇଥିଲା। ଆଉ ଖବର ପାଇ ପୋଲିସ ପହଞ୍ଚିବା ବେଳକୁ ମୁଖ୍ୟ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ମାରିଥିଲା।

Also Read: ଚୋରି ସୁନାରେ ଲଗଜୁରୀ ଲାଇଫ୍ ଷ୍ଟାଇଲ୍ ; ୪ ମାସ ଧରି ଚକ୍ମା, ମର୍ଣ୍ଣିଂ ଓ୍ବାକରେ କରୁଥିଲେ ଟାର୍ଗେଟ୍

ତେବେ ପରେ ଛତ୍ରପୁର ଏକାମ୍ର ନଗରରେ ଭଡ଼ାରେ ରହୁଥିବା ମଧ୍ୟସ୍ଥି ସମେତ ୪ ଜଣଙ୍କୁ ପୋଲିସ ଥାନାକୁ ନେଇ ଅଟକ ରଖି ଅଧିକ ପଚରା ଉଚରା ଜାରି ରଖିଛି । ସେମାନଙ୍କ ଠାରୁ ୫୦ରୁ ଉର୍ଦ୍ଧ୍ବ ଡକୁମେଣ୍ଟ ଜବତ କରାଯାଇଥିବା ବେଳେ ଏକ ବାଇକକୁ ମଧ୍ୟ ଜବତ କରାଯାଇଛି । ଘଟଣାରେ ଛତ୍ରପୁର ଥାନାରେ କେସ୍ ନମ୍ବର ୪୨୦ରେ ଏକ ମାମଲା ରୁଜୁ କରାଯାଇଛି, ମୋଟ ୪ ଜଣଙ୍କୁ ଅଟକ ରଖି ପୋଲିସ ପଚରା ଉଚରା ଜାରି ରଖିଛି ।