ଭୁବନେଶ୍ବର ୩।୯: ଜେଲରେ ଭେଟଘାଟ । ପରେ ସାଜିଲେ କ୍ରାଇମ ପାର୍ଟନର । ନାବାଳକଙ୍କୁ ନେଇ ଗଢାହେଲା ଗ୍ୟାଙ୍ଗ୍ । ରାଜଧାନୀରେ ମଚାଇଲେ ଆତଙ୍କ । ୪ ମାସ ଧରି ପୋଲିସକୁ ଦେଉଥିଲେ ଚକ୍‌ମା । ଚୋରି ଟଙ୍କାରେ କିଣାହେଲା ୩ ଲକ୍ଷର ସ୍ପୋର୍ଟସ୍ ବାଇକ୍ । ଶେଷରେ ପୋଲିସ କବ୍‌ଜାରେ ଖଣ୍ଡିଆ ହାତ ଅରୁଣ ଗ୍ୟାଙ୍ଗ । ଯାହାକୁ ଗିରଫ କରିଛି ଭୁବନେଶ୍ବର ସ୍ପେଶାଲ ସ୍କ୍ବାଡ୍ । ଜଣେ ନାବାଳକଙ୍କ ସମେତ ଗ୍ୟାଙ୍ଗ୍‌ର ୫ ଜଣ ସଦସ୍ୟଙ୍କୁ ଗିରଫ କରାଯାଇଛି । ସେମାନଙ୍କ ଠାରୁ ନୂଆ ବାଇକ୍ ସମେତ ଚୋରି ଜିନିଷ ବି ପୋଲିସ ଜବତ କରିଛି ।

ଖଣ୍ଡିଆ ହାତରେ ଚେନ୍ ସ୍ନାଚିଂ

ନାଁ ଅରୁଣ କୁମାର ସାହୁ । ବୟସ ୨୫ ବର୍ଷ । ଘର କଟକ ଜିଲ୍ଲା ନେମାଳରେ । ରହୁଥିଲା ମଞ୍ଚେଶ୍ବର ଥାନା ଅନ୍ତର୍ଗତ ଗୋପୀନାଥ ସାହିରେ । ସେ ହେଲା ଭେଟେରାନ୍ କ୍ରିମିନାଲ । ନାଁରେ ରହିଛି ୧୬ ମାମଲା । କେତେଥର ଯାଇଛି ଜେଲ୍ ତାହାର ନାହିଁ ହିସାବ । ସମସ୍ତ ପ୍ରକାର କ୍ରାଇମରେ ତାହାର ରହିଛି ସମ୍ପୃକ୍ତି । ବର୍ଷେ ତଳେ ବାହାରିଥିଲା ବେଲ୍‌ରେ । ବେଲ୍‌ରେ ବାହାରିବା ପରେ ପୁଣି ଆରମ୍ଭ କଲା କ୍ରାଇମ୍ । ବୋମା ଭିଡୁ ଭିଡୁ ଫାଟିଯିବାରୁ କଟିଯାଇଛି ହାତ । ଏଇ ୬ ମାସ ହେବ ହାତ କଟିଯିବାରୁ ଖଣ୍ଡିଆ ହାତରେ ୪ ମାସ ହେବ ଆରମ୍ଭ କଲା ରାଜଧାନୀରେ ସେନ୍ ସ୍ନାଚିଂ ।

ଟାର୍ଗେଟ୍‌ରେ ମର୍ଣ୍ଣିଂ ଓ୍ବାକର୍

ଗତ ୪ ମାସ ହେବ ଭୁବନେଶ୍ୱରର ପାହାଳ, ବାଲିଅନ୍ତା, ମଞ୍ଚେଶ୍ୱର, ଚନ୍ଦ୍ରଶେଖରପୁର ଓ କଟକ ସଦର ଥାନା ଅଞ୍ଚଳରେ ଏହି ଗ୍ୟାଙ୍ଗ ନିଜର ଆତଙ୍କ ଚଳାଇଥିଲା । ବିଶେଷ କରି ସକାଳ ସମୟରେ ୱାକିଂ କରୁଥିବା ଲୋକ, ଠାକୁରଙ୍କ ପାଇଁ ଫୁଲ ତୋଳୁଥିବା ମହିଳା ଓ ବୃଦ୍ଧାମାନଙ୍କୁ ଏମାନେ ସହଜରେ ଟାର୍ଗେଟ୍ କରୁଥିଲେ । ସକାଳର ସୁଯୋଗ ନେଇ ଦ୍ରୁତଗତିରେ ବାଇକ୍‌ରେ ଆସି ସୁନା ଚେନ୍ ଛଡ଼ାଇ ନେଇ ଚମ୍ପଟ ମାରୁଥିଲେ ।

ନାବାଳକଙ୍କୁ ନେଇ ଗ୍ୟାଙ୍ଗ୍

ଏହି ସଂଗଠିତ ଗ୍ୟାଙ୍ଗର ମୁଖିଆ ଥିଲା କୁଖ୍ୟାତ ଅପରାଧୀ ଅରୁଣ କୁମାର ସାହୁ । ପୂର୍ବରୁ ଏକ ବୋମା ବିସ୍ଫୋରଣରେ ନିଜ ଡାହାଣ ହାତର ପାପୁଲି ହରାଇବା ପରେ ମଧ୍ୟ ସେ ଅପରାଧ ଦୁନିଆ ଛାଡ଼ି ନଥିଲା । ସେ ନିଜ ସହ ମିଲା ଓରଫ କିଶାନ ଭୋଇ, ଦୀପୁ ଓରଫ ଦୀପକ ଭଞ୍ଜ ଏବଂ ଜଣେ ନାବାଳକଙ୍କୁ ମିଶାଇ ଏହି ସ୍ନାଚିଂ ଗ୍ୟାଙ୍ଗ୍ ଚଳାଉଥିଲା । ଲୁଟ୍ ହୋଇଥିବା ସୁନା ଗହଣା ଗୁଡ଼ିକୁ ଅରୁଣ ସାହୁ ଏବଂ ସ୍ୱୟଂଶୁ ସାମଲ ଓରଫ ଗେଡୁ ଖୁବ୍ କମ୍ ଦାମ୍‌ରେ କିଣି ନେଉଥିଲେ । ଏହି ଲୁଟ୍ ଟଙ୍କାରୁ ଅଭିଯୁକ୍ତ ମିଲା ନଗଦ କ୍ୟାଶ୍ ଦେଇ ଏକ ଦାମୀ ବାଇକ୍ ୩ ଲକ୍ଷ ଟଙ୍କା ମୂଲ୍ୟରେ ୨୦ ଦିନ ତଳେ କିଣିଥିଲା ।

Also Read:- ମାଛ ଧରିବାକୁ ସାଙ୍ଗହୋଇ ଯାଇଥିଲେ, ଡକାଡକି ହୋଇ ଚାଲିଗଲେ ଦୁଇ ଭାଇ

ରହୁଥିଲେ ହୋଟେଲରେ, କିଣୁଥିଲେ ଦାମୀ ସାମଗ୍ରୀ

ଗିରଫ ପରେ ପୋଲିସ ଏମାନଙ୍କ ଠାରୁ ୭୦ ଗ୍ରାମର ସୁନା ଯେଉଁଥିରେ ରହିଛି ୮ଟି ସୁନା ଚେନ୍ ଏବଂ ୧ଟି ମୁଦି । ଯାହାର ଆନୁମାନିକ ମୂଲ୍ୟ ୧୨ ଲକ୍ଷ ଟଙ୍କା । କିଣିଥିବା ନୂଆ ଦାମୀ ବାଇକ୍ ସମେତ ମୋଟ୍ ୫ଟି ବାଇକ୍, ୧ଟି କାତି ଓ ୫ଟି ମୋବାଇଲ୍ ଫୋନ୍ ଜବତ କରିଛି । ଚୋରି ସୁନାରେ ରହୁଥିଲେ ହୋଟେଲରେ, କିଣୁଥିଲେ ଦାମୀ ସାମଗ୍ରୀ । ତେବେ ଅରୁଣ ପୂର୍ବରୁ ମଧ୍ୟ କଟୁରୀ ଗ୍ୟାଙ୍ଗରେ ରହିଥିଲା । ସେ ସମୟରେ କଟୁରୀ ଦେଖାଇ ସେ ଅପରାଧ କରୁଥିଲା । ଏବେ ବଦଳିଯାଇଛି ଅପରାଧର ପାର୍ଟନର ।

୧୨ଟି ସ୍ନାଚିଂ ମାମଲାର ପର୍ଦ୍ଦାଫାଶ

ଏହି ଗ୍ୟାଙ୍ଗର ଗିରଫଦାରୀ ପରେ ଟ୍ୱିନ୍ ସିଟିରେ ଅତି କମ୍ରେ ୧୨ଟି ଚେନ୍ ସ୍ନାଚିଂ ମାମଲାର ପର୍ଦ୍ଦାଫାଶ ହୋଇଥିବା ପୋଲିସ କମିଶନର ସୂଚନା ଦେଇଛି । ସହରରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଉଥିବା ବେଳେ, ପ୍ରାତଃ ଭ୍ରମଣ ସମୟରେ ସଜାଗ ରହିବାକୁ ପୋଲିସ ପକ୍ଷରୁ ସାଧାରଣ ଜନତାଙ୍କୁ ନିବେଦନ କରାଯାଇଛି । ନିବେଦନ କରାଯିବା ସହ ସେ କହିଛନ୍ତି ଯେ, ଲୋକେ ମଣ୍ଣିଂ ଓ୍ବାର୍କ କରନ୍ତୁ, ଆମେ ଚୌକିଦାର ସାଜି ଜଗିଛୁ ।

Watch Video: