ପାଟଣାଗଡ଼ ୧୭।୬: ଚିକିତ୍ସା ଅବହେଳା ଅଭିଯୋଗ । ନବଜାତ ଶିଶୁର ମୃତ୍ୟୁ ଅଭିଯୋଗ । ଯାହାକୁ ନେଇ ଡାକ୍ତରଖାନାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଡାକ୍ତରଖାନାରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ଡାକ୍ତରଖାନାରେ ଉତ୍ତେଜନା ପ୍ରକାଶ ପାଇବା ପରେ ଘଟଣାସ୍ଥଳରେ ପାଟଣାଗଡ଼ ପୋଲିସ ପହଞ୍ଚି ତନାଘନା କରିଛି ।

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ସନ୍ଧ୍ୟା ୭ଟା ସମୟରେ ପାଟଣାଗଡ଼ ଥାନା ଚି଼ଙ୍ଗେରବନ୍ଧ ଗାଁର ଶରତ ମେହେରଙ୍କ ସ୍ତ୍ରୀଙ୍କର ପ୍ରସବ ଯନ୍ତ୍ରଣା ହେବାରୁ ପାଟଣାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଡାକ୍ତରଖାନାରେ ପ୍ରସବ କରାଇବା ପାଇଁ ଡାକ୍ତର ନଥିବା ବେଳେ ଡ୍ୟୁଟିରେ ଥିବା ନର୍ସ ଦେଖିଥିଲେ । ଡାକ୍ତର ଅନୁପସ୍ଥିତ ଥିବାରୁ ପରିବାର ତରଫରୁ ବାରମ୍ବାର ବଲାଙ୍ଗିର ସ୍ଥାନାନ୍ତର ପାଇଁ କୁହାଯାଉଥିଲା । କିନ୍ତୁ ଏଠାରେ ପ୍ରସବ ହୋଇଯିବ ବୋଲି ନର୍ସ କହିଥିଲେ । ସନ୍ଧ୍ୟାବେଳୁ ପ୍ରସୂତୀ ଜଣଙ୍କ ଭର୍ତ୍ତି ହୋଇଥିଲା ବେଳେ ରାତିସାରା ପ୍ରସବ ଯନ୍ତ୍ରଣା ପାଇଥିଲେ । ତେବେ ବୁଧବାର ସକାଳ ୬ଟା ବେଳେ ମହିଳା ଜଣଙ୍କ ଗୋଟିଏ ମୃତସନ୍ତାନ ଜନ୍ମ ଦେଇଥିଲେ ବୋଲି ପରିବାର ତରଫରୁ କୁହା ଯାଉଛି ।

Also Read:- ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାମେଲି ଓଝା, ମାଗିଲେ ନ୍ୟାୟର ଭିକ୍ଷା...

ତେବେ ଡାକ୍ତରଖାନାର ଅବହେଳା ଯୋଗୁଁ ମୃତ ଶିଶୁ ଜନ୍ମ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଏହାସହ ପରିବାର ତରଫରୁ ଡାକ୍ତରଖାନା ପରିସରରେ ଉତ୍ତେଜନା ପ୍ରକାଶ ପାଇଛି । ଖବର ପାଇ ପାଟଣାଗଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।