କେନ୍ଦ୍ରାପଡ଼ା ୧୭।୦୬ : ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାମେଲି ଓଝା । ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ନ୍ୟାୟର ଭିକ୍ଷା ମାଗିଛନ୍ତି ଚାମେଲି ଓଝା । କେବଳ ସେତିକି ନୁହେଁ, ଆବଶ୍ୟକ ହେଲେ ଓଡ଼ିଶା ଗସ୍ତ ଅବସରରେ ଭେଟିବେ ବୋଲି କହିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ଚାମେଲି କହିଛନ୍ତି ଯେ, ମୁଁ ଜଣେ ସାଧାରଣ ସରପଞ୍ଚ । ବରିଷ୍ଠ ଅଧିକାରୀମାନେ ଓ ସ୍ଥାନୀୟ ବିଧାୟକଙ୍କ ଅତ୍ୟାଚାର ବିରୋଧରେ ଏହି ଚିଠି ମୁଁ ଲେଖିଛି । ମୁଁ ମୋର ଯନ୍ତ୍ରଣା ଓ ଅସହାୟତା ସଂପର୍କରେ ଆପଣଙ୍କୁ ଅବଗତ କରୁଛି ।ମୁଁ ଜଣେ ଅବିବାହିତ ଝିଅ, ମୋର ସାମାଜିକ ପ୍ରତିଷ୍ଠା ଓ ସ୍ବାଭିମାନ ହିଁ ମୋର ଜୀବନ, ସମ୍ୱଳ ଓ ଗର୍ବ । ୨୦୨୨ ମସିହାରୁ ମୋ ପଂଚାୟତର ଲୋକେ ମୋତେ ନିଜର ପ୍ରତିନିଧ ଭାବେ ଆଶୀର୍ବାଦ ଦେଇ ଗ୍ରାମପଂଚାୟତର ସରପଂଚ ଭାବେ ସେବା କରିବାର ସୁଯୋଗ ଦେଇଛନ୍ତି । ମହାକାଳପଡ଼ା ଅଂଚଳରେ ‘ଭାରତୀୟ ଜନତା ପାର୍ଟି'ର ସଂଗଠନକୁ ସୁଦୃଢ଼ କରିବା ପାଇଁ ମୁଁ ସଦାସର୍ବଦା ନିଷ୍କାର ସହ କାର୍ଯ୍ୟ କରିଆସିଛି । କିନ୍ତୁ ଆଜି ଅତ୍ୟନ୍ତ ଦୁଃଖର ସହ ଜଣାଉଛି ଯେ, ମୋତେ ସ୍ଥାନୀୟ ବିଧାୟକଙ୍କ ପ୍ରରୋଚନା ଓ ଷଡ଼ଯନ୍ତ୍ର ଯୋଗୁ ଏକ ମିଛ ମାମଲାରେ ଫସାଇ ଜେଲ୍ ପଠାଯାଇଛି ଓ ମୁଁ ପୁଲିସ ହେପାଜତରେ ଥାଇ ଡାକ୍ତରଖାନାରୁ ଆପଣଙ୍କୁ ନିଜର ଏହି ଗୁହାରି ପତ୍ର ପଠାଇଛି । ଆପଣଙ୍କ କଥାରେ ଅନୁପ୍ରାଣିତ ହୋଇ ମୁଁ ଜନସେବାକୁ ଆପଣେଇ ନେଇଥୁଲି । କିନ୍ତୁ ସବୁଠାରୁ ବଡ଼ ବିଡ଼ମ୍ୱନା ହେଉଛି, ମୁଁ ଆପଣଙ୍କ ‘ମନ୍ କି ବାତ୍' ଶୁଣି ଦେଶ ଗଠନରେ ନିଜକୁ ନିୟୋଜିତ କଲି, ହେଲେ ମୋ ପଂଚାୟତର ଗରିବ ଲୋକଙ୍କ ବିକାଶ ପାଇଁ ଦୃଢ଼ତାର ସହ ଛିଡ଼ା ହେବା ଓ ଜଣେ ମହିଳା ଭାବେ ନିଜର ଚରିତ୍ର ଓ ଆତ୍ମସମ୍ମାନ ସହ ସାଲିସ୍ ନକରିବା ହିଁ ମୋ ପାଇଁ ଅଭିଶାପ ପାଲଟିଗଲା ।

Also Read:-ଚାମେଲି ଓଝାଙ୍କୁ ମିଳିଲା ବେଲ୍, ଜାମିନ ଦେଲେ ଜେଏମଏଫସି ସିଟି ମାଜିଷ୍ଟ୍ରେଟ

ସୂଚନାଯୋଗ୍ୟ ଯେ, ଗତ ୧୧ ତାରିଖରେ ଚାମେଲି ଓଝା ବିଡିଓଙ୍କୁ ଭେଟିବାକୁ ବ୍ଲକ୍ କାର୍ଯ୍ୟାଳୟକୁ ଯାଇଥିଲେ। ସେଠାରେ ପଞ୍ଚାୟତରେ ବିଭିନ୍ନ କାମର ନିର୍ମାଣ ସରିଥିଲେ ବି ଏହାର ବିଲ୍ କାହିଁକି ହୋଇପାରୁନାହିଁ ତାହାର କାରଣ ଜାଣିବାକୁ ଚେଷ୍ଟା କରିଥିଲେ। ସେଠାରେ ଆଲୋଚନା କଲାବେଳେ ତାଙ୍କ ଭାଇ ମୋବାଇଲରେ ଭିଡିଓ କରୁଥିଲେ। ହେଲେ ଭିଡିଓକୁ ବିଡିଓ ଓ ଉପସ୍ଥିତ ବିଜେପି କର୍ମୀ ବିରୋଧ କରିବା ସହ ମୋବାଇଲ ଛଡ଼ାଇ ନେବାକୁ ଉଦ୍ୟମ କରିଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଚାମେଲି ଓ ତାଙ୍କ ସାନଭାଇଙ୍କୁ ଥାନାକୁ ନେଇ ଆସିଥିଲେ।  ଏହା ପରେ ଚାମେଲି ଓଝା ନିଜ ଉପରେ ଆକ୍ରମଣ ଏବଂ ଦୁର୍ବ୍ୟବହାର ଅଭିଯୋଗ ଆଣି, ମହାକାଳପଡ଼ା ବିଡିଓ ରବିନାରାୟଣ ଆଚାର୍ଯ୍ୟ, ମହାକାଳପଡ଼ା ଆନା ଅଧିକାରୀ ମାନସ କୁମାର ମଲ୍ଲିକଙ୍କ ସମେତ ସାତରୁ ଅଧିକ ବିଜେପି କର୍ମୀ ତାଙ୍କୁ ମାଡ଼ ମାରିଥିବା ଚାମେଲି ଆନାରେ ଏତଲା ଦେଇଥିଲେ।

ସେପଟେ ବିଡିଓଙ୍କ ଏତଲା ଆଧାରରେ ଚାମେଲିଙ୍କ ଭାଇ ସୂର୍ଯ୍ୟକାନ୍ତ ଓଝା ଏବଂ ଏସଆଇ ତପସ୍ବିନୀ ବିଶ୍ବାଳଙ୍କ ଅଭିଯୋଗକ୍ରମେ ଚାମେଲି ଗିରଫ ହୋଇଥିଲେ । ଅଭିଯୋଗ ହୋଇଛି ଏସଆଇଙ୍କ ହାତକୁ ଚାମେଲି କାମୁଡି ଦେବା ସହିତ ତିନି ମହିଳା ପୋଲିସ କର୍ମଚାରୀଙ୍କୁ ମାଡ଼ ମାରିଥିଲେ। ଏସବୁ ଭିତରେ ପୋଲିସ ଗିରଫ ପରେ ଶାରିରୀକ ଅସୁସ୍ଥତା କାରଣରୁ ଚାମେଲି ଜେଲରେ ରହିବା ସମ୍ଭବପର ନହେବାରୁ ବର୍ତ୍ତମାନ ଜିଲ୍ଲା ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ମଙ୍ଗଳବାର ଦିନ ତିଖିରି ପଞ୍ଚାୟତ ସରପଞ୍ଚ ଚାମେଲି ଓଝାଙ୍କୁ ମିଳିଲା ବେଲ୍।  ଜେଏମଏଫସି ସିଟି ମାଜିଷ୍ଟ୍ରେଟ ତାଙ୍କୁ ବେଲ୍ ପ୍ରଦାନ କରିଛନ୍ତି। ପୋଲିସକୁ ଆକ୍ରମଣ ଘଟଣାରେ ତାଙ୍କୁ ବେଲ୍ ମିଳିଥିବା ବେଳେ, ଦୁଇ ଜାମିନଦାର ଏବଂ ୩୦ ହଜାର ଟଙ୍କାରେ ମିଳିଲା ଜାମିନ। ଏହା ପୂର୍ବରୁ ଘଟଣାରେ ଏନଏଚଆରସି କେନ୍ଦ୍ରାପଡ଼ା ଜିଲ୍ଲାପାଳ ଏବଂ ଏସପିଙ୍କୁ ରିପୋର୍ଟ ତଲବ କରିଥିଲେ। ଆଉ ଏବେ ଜାମିନ ମିଳିବା ପରେ ହସ୍ପିଟାଲରୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଚାମେଲି ।