କେନ୍ଦ୍ରାପଡ଼ା ୯।୧୧: ପୁଣି ଚର୍ଚ୍ଚାରେ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ୍ ତିଖିରି ପଞ୍ଚାୟତ ସରପଞ୍ଚ ଚାମେଲି ଓଝା । ଏଥର କୌଣସି ଜନସମସ୍ୟା ନୁହେଁ, ବରଂ ନିଜ ପରିବାର ଉପରେ ହୋଇଥିବା ଆକ୍ରମଣକୁ ନେଇ ଚର୍ଚ୍ଚାରେ ଅଛନ୍ତି ଚାମେଲି । ସରପଞ୍ଚ ଚାମେଲିଙ୍କ ପରିବାରକୁ ମରଣାନ୍ତକ ଆକ୍ରମଣ ନେଇ ହୋଇଛି ଅଭିଯୋଗ l

ଅଭିଯୋଗ ଅନୁଯାୟୀ, ରବିବାର ଦିନ ଗାଁର ଦୁଇ ଯୁବକ ପ୍ରଥମେ ଦିନ ପ୍ରାୟ ସାଢେ ୨ଟା ଓ ପୁନର୍ବାର ରାତି ୮ଟାରେ ଚାମେଲିଙ୍କ ପରିବାର ଲୋକଙ୍କୁ ଆକ୍ରମଣ କରିଥିଲେ l ଏଥିରେ ଚାମେଲିଙ୍କ ବାପା ନିରଞ୍ଜନ ଓଝା, ଭାଇ ସ୍ମୃତି କାନ୍ତ ଓଝା ଓ ଜଣେ ସମ୍ପର୍କୀୟ ଗୁରୁତର ଆହତ ହୋଇଥିଲେ l ଆହତ ମାନଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଯାଉଛି l ରାଜନୈତିକ ଆକ୍ରୋଶ ରଖି ଏହି ଆକ୍ରମଣ ହୋଇଥିବା ଚାମେଲି ଅଭିଯୋଗ କରିଛନ୍ତି l

ଅନ୍ୟ ପକ୍ଷରେ ଅଭିଯୁକ୍ତ ଆଶିଷ କୁମାର ସେଠୀଙ୍କ ପକ୍ଷରୁ ମଧ୍ୟ ଚାମେଲି ଓ ତାଙ୍କ ପରିବାର ନାମରେ ମାର୍ଶାଘାଇ ଥାନାରେ ଅଭିଯୋଗ ହୋଇଛି l ଚାମେଲିଙ୍କ ଭାଇ ତାଙ୍କ ମୂଲ୍ୟବାନ ସାମଗ୍ରୀ ଚୋରି କରି ନେବା ସହିତ ମାଡ ମାରିଥିବା ଆଶିଷ ଅଭିଯୋଗ କରିଛନ୍ତି l

Also Read:- ବାଣ ଫୁଟାକୁ ନେଇ ବିବାଦ ; ସିସିଟିଭି ଭାଙ୍ଗି ଘରେ ପଶିଲେ, ହତ୍ୟା ଧମକ ଦେଲେ ମୁଖାପିନ୍ଧା ଦୁର୍ବୃତ୍ତ

ଏବେ ଉଭୟ ପକ୍ଷରୁ ଅଭିଯୋଗ ପରେ ଘଟଣାକୁ ନେଇ ବଢ଼ିଛି ଚର୍ଚ୍ଚା । ତେବେ ପ୍ରକୃତରେ ଆକ୍ରମଣର କାରଣ କ'ଣ ଏବଂ ଏହା ପଛରେ କାହାର ଭୂମିକା ରହିଛି, ତାହା ପୋଲିସ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ।