ନୂଆଦିଲ୍ଲୀ: ଦେଶରେ ଧନୀ ଏବଂ ସାଧାରଣ ଜନତାଙ୍କ ମଧ୍ୟରେ ଅସମାନତା କମିବା ପରିବର୍ତ୍ତେ ଦିନକୁ ଦିନ ବଢିବାରେ ଲାଗିଛି। ଅର୍ଥାତ ୧୦ ପ୍ରତିଶତ ଧନୀ ଲୋକଙ୍କ ହାତରେ ଦେଶର ୬୫ ପ୍ରତିଶତ ସଂପତ୍ତି ରହିଛି। ଠିକ୍ ସମାନ ସ୍ଥିତି ଦେଶ ରାଜନୈତିକ ପାର୍ଟିଗୁଡ଼ିକର। ଗୋଟିଏ ପଟେ ଗୋଟିଏ ରାଜନୈତିକ ଦଳକୁ ଚାନ୍ଦାର ପରିମାଣ ବଢୁଥିବା ବେଳେ ଅନ୍ୟପଟେ ବାକି ଦଳ ପ୍ରତି କମିବାରେ ଲାଗିଛି ସରଳ ଭାଷାରେ କହିବାକୁ ଗଲେ ଭାରତର ଜାତୀୟ ରାଜନୈତିକ ଦଳଗୁଡ଼ିକୁ ମିଳୁଥିବା ଚାନ୍ଦାର ୯୧.୩୬% କେବଳ ବିଜେପିକୁ ମିଳୁଛି। ଅର୍ଥାତ୍ ଜାତୀୟ ଦଳଗୁଡ଼ିକୁ ମିଳୁଥିବା ପ୍ରତି ୧୦୦ ଟଙ୍କା ଚାନ୍ଦାରୁ ପ୍ରାୟ ୯୧ ଟଙ୍କା ବିଜେପି ଖାତାକୁ ଯାଉଛି। ଏହି ଆଧାରରେ କଂଗ୍ରେସକୁ ଆର୍ଥିକ ବର୍ଷ ୨୦୨୫-୨୬ରେ ମିଳିଥିବା ଚାନ୍ଦାରେ ବଡ଼ ହ୍ରାସ ଦେଖିବାକୁ ମିଳିଛି। ପାର୍ଟିକୁ ୨୦ ହଜାରରୁ ଅଧିକ ଚାନ୍ଦା ରୂପେ ମୋଟ୍ ୧୩୦ କୋଟି ୬୯ ଲକ୍ଷ ଟଙ୍କା ଚାନ୍ଦା ମିଳିଛି। ଏହି ରାଶି ଗତ ଆର୍ଥିକ ବର୍ଷ ୨୦୨୪-୨୫ରେ ମିଳିଥିବା ୫୧୭.୩୯ କୋଟି ଟଙ୍କା ତୁଳନାରେ ୭୫ ପ୍ରତିଶତ କମ। ଗତ ଏକ ଦଶନ୍ଧିରେ କଂଗ୍ରେସକୁ ଏହା ସବୁଠୁ କମ ଚାନ୍ଦା ମିଳିଛି। ଅନ୍ୟପଟେ ବିଜେପି ଖାତାକୁ କଂଗ୍ରେସଠୁ ୧୨ ଗୁଣ ଅଧିକ ଚାନ୍ଦା ଯାଇଛି।

Also Read: ୨୦୨୭ରେ ୟୁପିକୁ ଦଖଲ କରିବ କିଏ ? NDAକୁ ନେଇ ବଡ଼ ଭବିଷ୍ୟବାଣୀ କଲେ ଯୋଗୀ ଆଦିତ୍ୟନାଥ

ନିର୍ବାଚନ ଆୟୋଗକୁ ଦିଆଯାଇଥିବା ରିପୋର୍ଟର ବିଶ୍ଳେଷଣ ପରେ ଏହି ତଥ୍ୟ ସାମ୍ନାକୁ ଆସିଛି। ରିପୋର୍ଟ ମୁତାବକ ପାର୍ଟିକୁ ୨୦୨୪-୨୫ରେ ୨୦ ହଜାର ଟଙ୍କାରୁ ଅଧିକ ଚାନ୍ଦା ଭାବେ ୫୧୭.୩୯ କୋଟି ଟଙ୍କା ମିଳିଥିଲା। ଅନ୍ୟପଟେ ୨୦୨୫-୨୬ରେ ଏହି ଅର୍ଥ ରାଶି ହ୍ରାସ ପାଇ ୧୩୦.୬୯ କୋଟି ଟଙ୍କାକୁ ଖସି ଆସିଛି। ଅର୍ଥାତ ଗୋଟିଏ ବର୍ଷରେ ପାର୍ଟିକୁ ପ୍ରାୟ ୩୮୬.୭୦ କୋଟି ଟଙ୍କାର କମ ଚାନ୍ଦା ମିଳିଛି।

ପ୍ରୁଣ୍ଡେଟ ଟ୍ରଷ୍ଟରୁ ମିଳିଲା କମ ଚାନ୍ଦା

କଂଗ୍ରେସକୁ ମିଳୁଥିବା ଚାନ୍ଦାରେ ହ୍ରାସ ହେବାର ସବୁଠୁ ବଡ଼ କାରଣ ପ୍ରୁଣ୍ଡେଟ ଇଲେକ୍ଟୋରାଲ ଟ୍ରଷ୍ଟରୁ ସବୁଠୁ କମ୍ ଚାନ୍ଦା ମିଳୁଛି। ଏହି ଟ୍ରଷ୍ଟ ୨୦୨୪-୨୫ରେ କଂଗ୍ରେସକୁ ୨୧୬.୩୪ କୋଟି ଟଙ୍କା ଚାନ୍ଦା ରୂପେ ଦେଇଥିଲା। ମାତ୍ର ୨୦୨୫-୨୬ରେ ଏହି ଟ୍ରଷ୍ଟ କଂଗ୍ରେସକୁ ମାତ୍ର ୨୫ କୋଟି ଟଙ୍କା ଅର୍ଥାତ ଗତ ବର୍ଷ ତୁଳନାରେ ୮୮ ପ୍ରତିଶତ କମ ଚାନ୍ଦା ଭାବେ ଦେଇଛି।

Also Read: E20 ନା ଏହା 420, ସରକାରଙ୍କୁ ରାହୁଲ ଗାନ୍ଧୀଙ୍କ ଟାର୍ଗେଟ୍, କହିଲେ- କମ୍ପାନି ଉପରେ କେବେ ଆକ୍ସନ ନେବେ ମୋଦୀ

୨୦୧୫-୧୬ ପରେ ସବୁଠୁ ବଡ଼ ହ୍ରାସ

ଗତ ୧୨ ଆର୍ଥିକ ବର୍ଷର ତଥ୍ୟ ଉପରେ ନଜର ପକାଇଲେ କଂଗ୍ରେସର ଚାନ୍ଦାରେ ଏଥିରୁ ବଡ଼ ହ୍ରାସ ୨୦୧୫-୧୬ରେ ହୋଇଥିଲା। ସେହି ସମୟରେ ପାର୍ଟିକୁ ଚାନ୍ଦା ଭାବେ ୧୪୧.୪୬ କୋଟି ଟଙ୍କା ଚାନ୍ଦା ମିଳିଥିଲା। ଯାହା ୨୦୧୩-୧୪ ତୁଳନାରେ ୮୬ ପ୍ରତିଶତ କମ ଥିଲା। ହେଲେ ନିକଟତମ ବର୍ଷ ଗୁଡ଼ିକରେ କଂଗ୍ରେସର ଚାନ୍ଦାରେ ଲଗାତାର ବୃଦ୍ଧି ଘଟିଥିଲା। ଆର୍ଥିକ ବର୍ଷ ୨୦୨୩-୨୪ରେ ପାର୍ଟିକୁ ୨୮୧.୪୮ କୋଟି ଟଙ୍କା ମିଳୁଥିଲା। ଏହା ପରେ ୨୦୨୪-୨୫ରେ ଲୋକସଭା ନିର୍ବାଚନରେ ଏହି ରାଶି ବଢି ୫୧୭.୩୯ କୋଟି ହୋଇଥିଲା। ମାତ୍ର ୨୦୨୫-୨୬ରେ ଏହି ରାଶିରେ ଅହେତୁକ ହ୍ରାସ ଦେଖିବାକୁ ମିଳିଛି।

ବିଜେପିକୁ କଂଗ୍ରେସ ତୁଳନାରେ ମିଳିଲା ୧୨ ଗୁଣ ଅଧିକ ଚାନ୍ଦା

ଚାନ୍ଦା ମାମଲାରେ କଂଗ୍ରେସ ବିଜେପିଠୁ ଏତେ ପଛରେ ଯାହାର କଳ୍ପନା କରାଯାଇ ପାରିବ ନାହିଁ। ଆର୍ଥିକ ବର୍ଷ ୨୦୨୪-୨୫ରେ ବିଜେପିକୁ ୨୦ ହଜାର ଟଙ୍କାରୁ ଅଧିକ ଚାନ୍ଦା ରୂପେ ୬ ହଜାର ୭୪ କୋଟି ଟଙ୍କା ମିଳିଥିଲା। ଏହି ଅର୍ଥ କଂଗ୍ରେସକୁ ମିଳିଥିବା ଚାନ୍ଦାର ପ୍ରାୟ ୧୨ ଗୁଣ ଅଧିକ ଥିଲା। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ବିଜେପିକୁ କେତେ ଚାନ୍ଦା ମିଳିଛି ତାର ରିପୋର୍ଟ ଏ ପର୍ଯ୍ୟନ୍ତ ସାର୍ବଜନୀନ କରାଯାଇ ନାହିଁ।