ଉମରକୋଟ ୯।୭: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଞ୍ଚଳରେ ଘଟିଛି ଏକ ଅମାନୁଷିକ ଘଟଣା। ଜଣେ ୧୨ ବର୍ଷର ନାବାଳକ ଜଣେ ୪ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରିଥିବାର ସଂଗୀନ ଅଭିଯୋଗ ହୋଇଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ଶିଶୁ କନ୍ୟାଟିର ଅବସ୍ଥା ଗୁରୁତର ଥିବାରୁ ତାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ପୋଲିସ ଏହି ମାମଲାରେ ଅଭିଯୁକ୍ତ ନାବାଳକକୁ ଅଟକ ରଖି ତଦନ୍ତ ଜାରି ରଖିଛି ।

ସୂଚନାଯୋଗ୍ୟ ଯେ, ଗତ ବୁଧବାର ଦିନ ଡାବୁଗାଁ ଥାନା ଅଞ୍ଚଳର ଏହି ୪ ବର୍ଷର ଶିଶୁ କନ୍ୟାଟି ନିଜ ଘର ନିକଟରେ ଖେଳୁଥିଲା । ସେହି ସମୟରେ ଗ୍ରାମର ଜଣେ ୧୨ ବର୍ଷର ସମ୍ପର୍କୀୟ ନାବାଳକ ତାକୁ ଡାକି ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଝିଅଟି ନିଖୋଜ ହେବା ପରେ ବାପା ତାକୁ ଖୋଜାଖୋଜି କରି ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ । ତୁରନ୍ତ ତାଙ୍କୁ ଡାବୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ହେଲେ ଶିଶୁଟିର ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ନବରଙ୍ଗପୁର ଜିଲ୍ଲା ସରକାରୀ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଯେଉଁଠାରେ ଏବେ ତାର ଚିକିତ୍ସା ଚାଲିଛି ।

Also Read:- ବାଇକ୍ ଆରୋହୀଙ୍କୁ ଧକ୍କା ଦେଲା ‘ଆମ ବସ୍’, ଦୁର୍ଘଟଣା ଏତେ ଭୟଙ୍କର ବେହୋସ ହୋଇଗଲେ ପ୍ରତ୍ୟକ୍ଷଦର୍ଶୀ

ଏହି ଘଟଣାକୁ ନେଇ ନାବାଳିକାଙ୍କ ବାପା ବୁଧବାର ରାତିରେ ଡାବୁଗାଁ ଥାନାରେ ଏକ ଲିଖିତ ଏତଲା ଦେଇଥିଲେ । ଏତଲାକୁ ଆଧାର କରି ଥାନା ଅଧିକାରୀ ଲଛମି ପରଜା ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ । ଗୁରୁବାର ସକାଳେ ପୋଲିସ ଅଭିଯୁକ୍ତ ନାବାଳକକୁ କାବୁ କରି ଥାନାକୁ ଆଣି ଅଧିକ ପଚରାଉଚରା କରୁଛି । ଡାବୁଗାଁ ଥାନାରେ ଭାରତୀୟ ନ୍ୟାୟ ସଂହିତା (BNS)ର ଧାରା ୬୨, ୬୫(୨) ଏବଂ ପୋକ୍ସୋ (POCSO) ଆକ୍ଟର ଧାରା ୪, ୮ ଓ ୬ ଅଧୀନରେ ମାମଲା ରୁଜୁ କରାଯାଇଛି ବୋଲି ଉମରକୋଟ ଏସ୍ଡିପିଓ ଶୁଭେନ୍ଦୁ କୁମାର ଶବର କହିଛନ୍ତି ।