ନୂଆଦିଲ୍ଲୀ ୨୩।୧୧; ନୂଆବର୍ଷ ୨୦୨୭ରେ ଶନିଦେବଙ୍କ ରାଶି ପରିବର୍ତ୍ତନ ଜ୍ୟୋତିଷ ଦୃଷ୍ଟିକୋଣରୁ ବେଶ୍ ଗୁରୁତ୍ୱପୂର୍ଣ୍ଣ ରହିବାକୁ ଯାଉଛି । ଏହି ବର୍ଷ ଶନିଦେବ ଦୁଇଥର ରାଶି ପରିବର୍ତ୍ତନ କରିବେ । ଜୁନ୍ ମାସରେ ଶନି ମୀନ ରାଶି ଛାଡ଼ି ମେଷ ରାଶିରେ ପ୍ରବେଶ କରିବେ । ପରେ ଅକ୍ଟୋବର ମାସରେ ପୁଣି ଥରେ ମୀନ ରାଶିକୁ ଫେରିବେ । ଶନିଙ୍କ ଏହି ଗୋଚରର ପ୍ରଭାବ ସମସ୍ତ ୧୨ଟି ରାଶି ଉପରେ ପଡ଼ିବାକୁ ଥିବାବେଳେ ୭ଟି ରାଶି ପାଇଁ ଏହା ବେଶ୍ ଶୁଭ ଫଳଦାୟକ ହୋଇପାରେ ବୋଲି ଜ୍ୟୋତିଷ ଶାସ୍ତ୍ରରେ କୁହାଯାଇଛି ।

କେବେ ହେବ ଶନିଙ୍କ ରାଶି ପରିବର୍ତ୍ତନ ?

ଜ୍ୟୋତିଷ ଗଣନା ଅନୁସାରେ, ୨୦୨୭ ଜୁନ୍ ୩ ତାରିଖରେ ଶନିଦେବ ମୀନ ରାଶିରୁ ମେଷ ରାଶିକୁ ଚଳନ କରିବେ । ଏହାପରେ ଅଗଷ୍ଟ ୯ ତାରିଖରେ ଶନି ମେଷ ରାଶିରେ ବକ୍ରୀ ହେବେ । ପୁଣି ଅକ୍ଟୋବର ୨୦ ତାରିଖରେ ବକ୍ରୀ ଗତିରେ ମୀନ ରାଶିକୁ ଫେରିବେ । ଫଳରେ ପ୍ରାୟ ସାଢ଼େ ଚାରି ମାସ ଶନି ମେଷ ରାଶିରେ ରହିବେ। ଏହି ପରିବର୍ତ୍ତନ ଯୋଗୁଁ ଅନେକ ରାଶିର ସାଢ଼େସାତୀ ଓ ଢୈୟା ସ୍ଥିତିରେ ମଧ୍ୟ ପରିବର୍ତ୍ତନ ଆସିବ ।

ଏହି ୭ଟି ରାଶି ପାଇଁ ଶୁଭ ସମୟ

ମେଷ ରାଶି: ମେଷ ରାଶିର ଲୋକଙ୍କ ପାଇଁ ଏହି ବର୍ଷ କିଛି ନୂଆ ପରିବର୍ତ୍ତନ ଆଣିପାରେ। ଚାକିରି କ୍ଷେତ୍ରରେ ଦାୟିତ୍ୱ ବଢ଼ିବା ସହ ନୂଆ ସୁଯୋଗ ମିଳିପାରେ। ବ୍ୟବସାୟୀମାନେ ନିଜ କାର୍ଯ୍ୟ ପ୍ରତି ଅଧିକ ଧ୍ୟାନ ଦେବା ଆବଶ୍ୟକ। ଆର୍ଥିକ ନିଷ୍ପତ୍ତି ନେବାବେଳେ ସତର୍କ ରୁହନ୍ତୁ ।

ବୃଷ ରାଶି: ଏହି ରାଶିର ଲୋକଙ୍କ ପାଇଁ ଖର୍ଚ୍ଚ ବଢ଼ିପାରେ । ତେବେ ବିଦେଶ ସମ୍ବନ୍ଧୀୟ କାର୍ଯ୍ୟରେ ଲାଭ ମିଳିବାର ସମ୍ଭାବନା ରହିଛି। ପୁରୁଣା ସମ୍ପର୍କରୁ ମଧ୍ୟ ଫାଇଦା ମିଳିପାରେ ।

ମିଥୁନ ରାଶି: ମିଥୁନ ରାଶି ପାଇଁ ଶନିଙ୍କ ଗୋଚର ଶୁଭ ରହିପାରେ । ଆର୍ଥିକ ସ୍ଥିତିରେ ସୁଧାର ଆସିବା ସହ ଦୀର୍ଘଦିନରୁ ଅଟକିଥିବା ଟଙ୍କା ଫେରିପାଇବାର ଯୋଗ ରହିଛି । ଚାକିରି ଓ ବ୍ୟବସାୟରେ ନୂଆ ସୁଯୋଗ ମିଳିପାରେ ।

କର୍କଟ ରାଶି: କର୍ମକ୍ଷେତ୍ରରେ ଦାୟିତ୍ୱ ବଢ଼ିବ । ନିଜ ପରିଶ୍ରମ ବଳରେ ଚାକିରିରେ ଉନ୍ନତି କରିବାର ସୁଯୋଗ ମିଳିପାରେ। ବ୍ୟବସାୟରେ ମଧ୍ୟ ନୂଆ ରାସ୍ତା ଖୋଲିପାରେ ।

ସିଂହ ରାଶି: ଧାର୍ମିକ ଓ ଆଧ୍ୟାତ୍ମିକ କାର୍ଯ୍ୟ ପ୍ରତି ଆଗ୍ରହ ବଢ଼ିବ । ଦୂରଯାତ୍ରାର ଯୋଗ ରହିଛି। ଚାକିରି ଓ ବ୍ୟବସାୟରେ ଆଗକୁ ବଢ଼ିବାର ନୂଆ ସୁଯୋଗ ମିଳିପାରେ ।

କୁମ୍ଭ ରାଶି: ଜୁନ୍ ୩ରେ ଶନି ମେଷ ରାଶିକୁ ଯିବା ପରେ କୁମ୍ଭ ରାଶିର ଲୋକଙ୍କୁ ସାଢ଼େସାତୀରୁ ସାମୟିକ ଆଶ୍ୱସ୍ତି ମିଳିପାରେ । ଅଟକିଥିବା କାମ ପୂରଣ ହେବା ସହ ଚାକିରିରେ ପଦୋନ୍ନତି ଓ ବ୍ୟବସାୟରେ ଲାଭର ଯୋଗ ରହିଛି । କିନ୍ତୁ ଅକ୍ଟୋବର ୨୦ରେ ଶନି ମୀନ ରାଶିକୁ ଫେରିବା ପରେ ପୁଣି ସାଢ଼େସାତୀର ପ୍ରଭାବ ଆରମ୍ଭ ହେବ ।

ମୀନ ରାଶି: ମୀନ ରାଶିର ଲୋକଙ୍କ ପାଇଁ ସାଢ଼େସାତୀ ଜାରି ରହିବ । ତେବେ ଜୁନ୍ ମାସରେ ଶନି ମେଷ ରାଶିକୁ ଯିବା ପରେ କିଛି ସମୟ ପାଇଁ ଆଶ୍ୱସ୍ତି ମିଳିପାରେ । ଚାକିରି ଓ ବ୍ୟବସାୟରେ ନୂଆ ସୁଯୋଗ ସହ ଆର୍ଥିକ ସ୍ଥିତିରେ ସୁଧାର ଆସିପାରେ । କିନ୍ତୁ ଅକ୍ଟୋବରରେ ଶନି ପୁଣି ମୀନ ରାଶିକୁ ଫେରିବା ପରେ ସାଢ଼େସାତୀର ଦ୍ୱିତୀୟ ପର୍ଯ୍ୟାୟ ଜାରି ରହିବ । ତେବେ ଏହି ସମସ୍ତ ଫଳାଫଳ ଜ୍ୟୋତିଷ ଶାସ୍ତ୍ରର ଗଣନା ଓ ବିଶ୍ୱାସ ଉପରେ ଆଧାରିତ। ଏହାକୁ ନିଶ୍ଚିତ ଭବିଷ୍ୟବାଣୀ ଭାବେ ଗ୍ରହଣ କରିବା ଉଚିତ୍ ନୁହେଁ ।