ନୂଆଦିଲ୍ଲୀ ୦୮୦୪:ଅପକମିଂ ଫିଲ୍ମ ‘ଭୂତ ବଙ୍ଗଲା’ର ପ୍ରଚାର ପ୍ରସାରରେ ଖୁବ୍ ବ୍ୟସ୍ତ ଅଛନ୍ତି ଅକ୍ଷୟ କୁମାର । ୧୦ ତାରିଖରେ ଏ ଫିଲ୍ମଟି ପ୍ରେକ୍ଷାଳୟକୁ ଆସିବ । କେବଳ ଅକ୍ଷୟ ନୁହନ୍ତି, ଫିଲ୍ମର ପୂରା ଷ୍ଟାର୍କାଷ୍ଟ ଆଜିକାଲି ଏ ଫିଲ୍ମର ପ୍ରମୋସନ ପାଇଁ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି । ଏଥିରେ ଅକ୍ଷୟଙ୍କ ବିପକ୍ଷରେ ନାୟିକା ଅଛନ୍ତି ୱାମିକା ଗବ୍ବି । ତବୁ ମଧ୍ୟ ଏ ଫିଲ୍ମରେ ଏକ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ନଜର ଆସିବେ । ଦୀର୍ଘ ୨୫ ବର୍ଷ ପରେ ଏ ଫିଲ୍ମରେ ପୁଣି ଥରେ ଏକାଠି କାମ କରିଛନ୍ତି ଅକ୍ଷୟ ଓ ତବୁ । ଏକତା କପୁରଙ୍କ ସହ ମିଶି ଅକ୍ଷୟ ଏ ଫିଲ୍ମର ପ୍ରଯୋଜନା କରୁଛନ୍ତି । ୨୫ ବର୍ଷ ତଳେ ‘ହେରାଫେରି’ରେ ଅକ୍ଷୟ ଓ ତବୁ ଏକାଠି ନଜର ଆସିଥିଲେ ।

କାର୍ଯ୍ୟକ୍ରମରେ ଅକ୍ଷୟ କହିଥିଲେ, ଦୀର୍ଘ ୨୫ ବର୍ଷ ଲାଗିଗଲା ପୁଣି ଥରେ ତବୁଙ୍କ ସହ କାମ କରିବା ପାଇଁ । ‘ହେରାଫେରି’ ପରେ ଦୁହିଁଙ୍କୁ ଏକାଠି କାମ କରିବାର ସୁଯୋଗ ମିଳିନଥିଲା । ଏହା ଶୁଣି ତବୁ କହିଥିଲେ, ଅକ୍ଷୟ ହଠାତ୍ ମୋ ଜୀବନରୁ ଭୂତ ଭଳି ଗାଏବ୍ ହୋଇଗଲେ । ତା’ପରେ ତାଙ୍କ ସହ କାମ କରିବା ସୁଯୋଗ ମିଳିଲା ନାହିଁ । ଅକ୍ଷୟ ପୁଣି କହିଥିଲେ, କଥା ହେଉଛି ମୁଁ ମୋ କାମରେ ଓ ତବୁ ତାଙ୍କ କାମରେ ବ୍ୟସ୍ତ ରହିଲେ । ପ୍ରିୟଦର୍ଶନ ସାର୍ କେଉଁଠି ବ୍ୟସ୍ତ ରହିଲେ କେଜାଣି । ଏହି ଅବସରରେ ତବୁ କହିଥିଲେ, ଫିଲ୍ମ କରିବା ପୂର୍ବରୁ ସେ ଅକ୍ଷୟଙ୍କୁ ଜାଣିଥିଲେ । ଅକ୍ଷୟ ଓ ସେ ଗୋଟିଏ ଡାନ୍ସ କ୍ଲାସ୍ରେ ନୃତ୍ୟ ଶିଖୁଥିଲେ ।

ଅକ୍ଷୟ ତାଙ୍କୁ ଅନେକଥର ବାଇକରେ ବସେଇ ନେଇଯାଉଥିଲେ ଡାନ୍ସ କ୍ଲାସକୁ । ଉତ୍ସବରେ ଉପସ୍ଥିତ ନିର୍ଦ୍ଦେଶକ ପ୍ରିୟଦର୍ଶନ ହସି ହସି କହିଥିଲେ, ୨୫ ବର୍ଷ ଭିତରେ ଦୁହିଁଙ୍କ ଭିତରେ ବିଶେଷ କିଛି ପରିବର୍ତ୍ତନ ମୁଁ ଦେଖୁନାହିଁ । ତବୁଙ୍କ ସହ ମୁଁ ୮ଟି ଫିଲ୍ମ କରିଛି । ସେ ସେତେବେଳେ ହଇରାଣ କରୁଥିଲେ, ଆଜି ବି କରୁଛନ୍ତି । ହଁ, ଦୁହିଁଙ୍କ ଭିତରେ କେବଳ ଗୋଟିଏ ପରିବର୍ତ୍ତନ ହୋଇଛି ଯେ, ଦୁହିଁଙ୍କ ମୁଣ୍ଡର ସାମ୍ନା ପଟ କେଶ ଧୀରେଧୀରେ କମ୍ ହୋଇଗଲାଣି ।

​​​​​​​Also Read-Mandhana-Palash Love: ଗସିପ୍‌ରେ ଲାଗିଲା ଫୁଲଷ୍ଟପ୍, ପରିବାରକୁ ଏକାଠି ଦେଖି ଫ୍ୟାନ୍ସ ତାଟକା