ନୂଆଦିଲ୍ଲୀ: ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଉପରେ ବର୍ଷିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଏସଆଇଆରକୁ ନେଇ ରାହୁଲ ଆଣିଥିବା ଅଭିଯୋଗ ଉପରେ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଶାହ । କଂଗ୍ରେସର ବାରମ୍ବାର ପରାଜୟ ପାଇଁ ଏସଆଇଆରକୁ ଦାୟୀ କରିବା ବଦଳରେ ଆତ୍ମସମୀକ୍ଷା ପାଇଁ ସେ ରାହୁଲଙ୍କୁ ପରାମର୍ଶ ଦେଇଛନ୍ତି । ଏହା ସହିତ ଅମିତ ଶାହ ବଡ଼ ଦାବି ମଧ୍ୟ କରିଛନ୍ତି । ସେ କହିଛନ୍ତି, ୨୦୨୯ ଲୋକସଭା ନିର୍ବାଚନରେ କଂଗ୍ରେସ କ୍ରମାଗତ ଚତୁର୍ଥ ଥର ପାଇଁ ପରାଜୟର ସାମ୍ନା କରିବ। 

ଗୁଜରାଟରେ ବିଜେପିର ବଡ଼ ବିଜୟ
ଗୁଜରାଟର ତିନୋଟି ନଗର ନିଗମର ୧୦୪ଟି ସିଟ୍ ମଧ୍ୟରୁ ବିଜେପି ୯୦ଟି ସିଟ୍‌ରେ ବିଜୟୀ ହେବା ପରେ ଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀରେ ଶାହ ଏଭଳି କହିଛନ୍ତି । ଅମିତ ଶାହ କହିଛନ୍ତି ଯେ, SIR ପ୍ରକ୍ରିୟା କେବଳ ୨୦୨୪ ପରେ କାର୍ଯ୍ୟକାରୀ ହୋଇଛି । କିନ୍ତୁ ରାହୁଲ ଗାନ୍ଧୀ କଂଗ୍ରେସର ମୁଖ୍ୟ ନେତା, ସଭାପତି ଏବଂ ପରବର୍ତ୍ତୀ ସମୟରେ ବିରୋଧୀ ଦଳ ନେତା ହେବା ଦିନଠାରୁ ଦଳ କ୍ରମାଗତ ଭାବରେ ନିର୍ବାଚନରେ ପରାଜିତ ହୋଇଆସୁଛି। ବିଜେପି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତାକୁ SIR ର ପରିଣାମ ବୋଲି କହି ପ୍ରତ୍ୟାଖ୍ୟାନ କରିବା ପରିବର୍ତ୍ତେ ରାହୁଲ ଗାନ୍ଧୀ ନିଜର ଭୁଲ୍ ସ୍ୱୀକାର କରିବା ଉଚିତ୍ ବୋଲି ସେ କହିଛନ୍ତି ।

ରାହୁଲଙ୍କ ଅଭିଯାନକୁ ଟାର୍ଗେଟ୍‌
ସେହିଭଳି ରାହୁଲଙ୍କ 'ଛାତ୍ରୋଁ କୀ ଗୁଞ୍ଜ' କୁ କଟାକ୍ଷ କରି ଶାହ କହିଛନ୍ତି ଯେ, ଗଣମାଧ୍ୟମରେ କାଳ୍ପନିକ କାର୍ଯ୍ୟକ୍ରମ ଏବଂ 'ଝୁଠ୍ କୀ ଗୁଞ୍ଜ' ସୃଷ୍ଟି କରି ଜନସାଧାରଣଙ୍କ ବିଶ୍ୱାସ ଜିତିହେବ ନାହିଁ। SIR ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ ଆଣି ବିରୋଧୀ ଇଣ୍ଡି ମେଣ୍ଟ ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରୁଛି । ରାହୁଲ ଅଭିଯୋଗ କରିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଅମିତ ଶାହ ନିର୍ବାଚନ କମିଶନଙ୍କ ଉପରେ ଚାପ ପକାଇ ଜ୍ଞାନେଶ କୁମାରଙ୍କୁ ସୁରକ୍ଷା ଦେଉଛନ୍ତି । ଏହା ବିରୋଧରେ ବିରୋଧୀ ଦଳଗୁଡ଼ିକ କୋର୍ଟରେ ପିଟିସନ୍ ମଧ୍ୟ ଦାଖଲ କରିଛନ୍ତି। 

ଶାହଙ୍କ ଜବାବ
ଏହାର ଜବାବ ଦେଇ ଶାହ କହିଛନ୍ତି ଯେ, ଗଣତାନ୍ତ୍ରିକ ନିର୍ବାଚନ ପ୍ରକ୍ରିୟା ଉପରେ ପ୍ରଶ୍ନ ନଉଠାଇ କଂଗ୍ରେସ ନିଜର କାର୍ଯ୍ୟଶୈଳୀ ସୁଧାରିବା ଦରକାର। ରାହୁଲ ଗାନ୍ଧୀ ଭୋଟରଙ୍କଠାରୁ ବିଚ୍ଛିନ୍ନ ହୋଇଯାଇଛନ୍ତି ।  ଏଭଳି ବିରୋଧ ପ୍ରଦର୍ଶନ ଦ୍ୱାରା ଦଳ ପୁଣି ଥରେ ଜନସାଧାରଣଙ୍କ ସମର୍ଥନ ପାଇପାରିବ ନାହିଁ। ୨୦୨୯ ସାଧାରଣ ନିର୍ବାଚନରେ NDA ପୁଣି ବିପୁଳ ବହୁମତ ସହ ଜିତିବ  । କଂଗ୍ରେସ ଶୋଚନୀୟ ଭାବରେ ପରାଜିତ ହେବ ବୋଲି ଦୃଢ଼ୋକ୍ତି ବାଢ଼ିଛନ୍ତି ଶାହ । ନିଜର ନିର୍ବାଚନ ମଣ୍ଡଳୀ ଗାନ୍ଧୀନଗରର ସଫଳତା ବିଷୟରେ ଶାହ ଦାବି କରିଛନ୍ତି ଯେ, ବିଜେପି ପୂର୍ବ ନିର୍ବାଚନ ତୁଳନାରେ ଏଥର ଗାନ୍ଧୀନଗରରେ ନିଜର ଭୋଟ୍ ଶେୟାର୍ ୧୦ ପ୍ରତିଶତ ବୃଦ୍ଧି କରିଛି । 

କଂଗ୍ରେସ ପରାଜୟର ଇତିହାସ
ସେ ଆହୁରି ମଧ୍ୟ କହିଛନ୍ତି ଯେ, ୧୯୮୫ ମସିହା ପରଠାରୁ କଂଗ୍ରେସ ଗୁଜରାଟରେ ଗୋଟିଏ ହେଲେ ବି ନିର୍ବାଚନ ଜିତିନାହିଁ। ସେହିପରି ତ୍ରିପୁରାରେ ୩୩ ବର୍ଷ, ପଶ୍ଚିମବଙ୍ଗରେ ୫୪ ବର୍ଷ ଏବଂ ଗୁଜରାଟରେ ବିଗତ ପାଞ୍ଚ ଦଶନ୍ଧି ଧରି କଂଗ୍ରେସର କୌଣସି ମୁଖ୍ୟମନ୍ତ୍ରୀ ହୋଇନାହାନ୍ତି। ଅସାମ, ପଶ୍ଚିମବଙ୍ଗ, ତାମିଲନାଡୁ, ପୁଡୁଚେରୀର ଉପ-ନିର୍ବାଚନ ଏବଂ ରାଜସ୍ଥାନ ଓ ତ୍ରିପୁରାର ପୌର ନିର୍ବାଚନ ଫଳାଫଳକୁ ନେଇ ସେ କହିଛନ୍ତି ଯେ, କଂଗ୍ରେସର ଏହି କ୍ରମାଗତ ପରାଜୟ ପାଇଁ କେବଳ ଭୋଟର ତାଲିକା କିମ୍ବା EVM କୁ ଦୋଷ ଦିଆଯାଇପାରିବ ନାହିଁ। ତ୍ରିପୁରା ସ୍ଥାନୀୟ ନିର୍ବାଚନରେ ବାଲଟ୍‌ ପେପର ବ୍ୟବହାର କରାଯାଇଥିଲେ ହେଁ ବିଜେପି ଜିତିଥିଲା । ଏହା EVM ସମ୍ପର୍କିତ ଅଭିଯୋଗକୁ ଭୁଲ୍ ପ୍ରମାଣିତ କରୁଛି।

‘ଗ୍ରାମଞ୍ଚଳରୁ ଦୂରରେ କଂଗ୍ରେସ’
​​​​​​​କଂଗ୍ରେସର ଗ୍ରାମାଞ୍ଚଳ ସହିତ କୌଣସି ସମ୍ପର୍କ ନାହିଁ ବୋଲି କହିଛନ୍ତି ଅମିତ ଶାହ । ସେ କହିଛନ୍ତି, ଦିଲ୍ଲୀରେ ବିରୋଧୀ ନେତା ଓ ସମର୍ଥକମାନଙ୍କୁ ଏକାଠି କରି ଆନ୍ଦୋଳନ କରିବା ଦ୍ୱାରା ରାହୁଲ ଗାନ୍ଧୀ ସମଗ୍ର ଦେଶର ପ୍ରତିନିଧିତ୍ୱ କରୁଛନ୍ତି ବୋଲି ଦାବି କରିପାରିବେ ନାହିଁ। ଦେଶର ପ୍ରକୃତ ସ୍ୱର ଚାଷଜମି, ଗାଁ, ପାହାଡ଼, ଜଙ୍ଗଲ ଏବଂ ନଦୀକୂଳରେ ରହୁଥିବା ଲୋକଙ୍କ ନିକଟରେ ରହିଛି । ଯେଉଁଠାରେ କଂଗ୍ରେସ ପହଞ୍ଚି ପାରିନାହିଁ । SIR କୁ ନେଇ ରାଜନୈତିକ ବିବାଦ ସୃଷ୍ଟି କରି ରାହୁଲ ଗାନ୍ଧୀ ଅନୁପ୍ରବେଶକାରୀମାନଙ୍କୁ ସୁରକ୍ଷା ଦେବାକୁ ଚେଷ୍ଟା କରୁଛନ୍ତି ବୋଲି ମଧ୍ୟ ଅଭିଯୋଗ କରିଛନ୍ତି ଶାହ। ତେବେ ସିଇସି ଜ୍ଞାନେଶ କୁମାର ଏବଂ ଏସଆଇଆରକୁ ନେଇ ଇଣ୍ଡି ମେଣ୍ଡ ଆନ୍ଦୋଳନ କରୁଥିବା ବେଳେ, ଶାହଙ୍କ ପ୍ରତିକ୍ରିୟା ଦେଶର ରାଜନୀତିକୁ ସରଗରମ କରିଛି ।