ଭୁବନେଶ୍ଵର: ଛାତ୍ର ସଂସଦ ନିର୍ବାଚନକୁ ନେଇ ରାଜ୍ୟର ବିଭିନ୍ନ କଲେଜ କ୍ୟାମ୍ପସରେ ଆଜି ସରିଛି ପ୍ରଚାର । ଆସନ୍ତାକାଲି ହ୍ବାଇ ଆଇ ଷ୍ଟାଣ୍ଡ ଫର୍ ମିଟିଂ । ପ୍ରଚାରର ଶେଷ ଦିନରେ ଧୁଳି ଉଡ଼ା ପ୍ରଚାର କରିଛନ୍ତି ବିଭିନ୍ନ ଛାତ୍ର ସଂଗଠନର ପ୍ରାର୍ଥୀମାନେ । ଉତ୍କଳ ବିଶ୍ବବିଦ୍ୟାଳୟରେ କାର୍ ରାଲି କରିଛି ଛାତ୍ର କଂଗ୍ରେସ । ନାଚ ଗୀତରେ କମ୍ପିଲା ବିଭିନ୍ନ କଲେଜ କ୍ୟାମ୍ପସ । ପ୍ରାର୍ଥୀମାନେ ଛାତ୍ରଛାତ୍ରୀଙ୍କୁ ମନଇଚ୍ଛା ବାଣ୍ଟିଲେ ଗୁପଚୁପ, ଦହିବରା, ଆଇସକ୍ରିମ୍ । ଶେଷ ଦିନରେ ସବୁ ଡିପାର୍ଟମେଣ୍ଟ ବୁଲି ଭୋଟ ଭିକ୍ଷା କଲେ ପ୍ରାର୍ଥୀ । ସେହିଭଳି ବିଭିନ୍ନ ଛାତ୍ର ସଂଗଠନର ମାଳ ମାଳ ନିର୍ବାଚନୀ ପ୍ରତିଶ୍ରୁତି ମଧ୍ୟ ପ୍ରାର୍ଥୀଙ୍କୁ ପ୍ରଭାବିତ କରିବ ବୋଲି କୁହାଯାଉଛି । ଆଉ ଦିନକ ପରେ ପଡ଼ିବ ଭୋଟ୍ । କେଉଁଠି କିଏ ମାରିବ ବାଜି ତା’ ଉପରେ ରହିଛି ନଜର।

ଛାତ୍ର ସଂସଦ ନିର୍ବାଚନ ପାଇଁ ଆଜି ଥିଲା ପ୍ରଚାରର ଶେଷ ଦିନ । ଆଉ ଶେଷ ଦିନରେ ଛାତ୍ରଛାତ୍ରୀଙ୍କ ଆସ୍ଥା ଜିତିବାକୁ ପୂରା ଦମ୍ ଲଗାଇଥିଲେ ପ୍ରାର୍ଥୀ । କ୍ଲାସ ଟୁ କ୍ଲାସ, ଡିପାର୍ଟମେଣ୍ଟ ଟୁ ଡିପାର୍ଟମେଣ୍ଟ ବୁଲି ଭୋଟ୍ ଭିକ୍ଷା କରିଥିଲେ । ଖାଲି ସେତିକି ନୁହେଁ ନିଜ ନିଜ ପତିଆରା ଜାହିର ପାଇଁ କିଏ ବିଶାଳ କାର୍ ରାଲି କରିଥିଲେ ତ ଆଉ କିଏ କରିଥିଲେ ଡିଜେ ପାର୍ଟି ଶୋ’ । ବାଲେଶ୍ବର ଏକ ମଣ୍ଡପରେ ଯେଉଁଠି ଫକୀର ମୋହନ ସ୍ବୟଂ ଶାସିତ ମହାବିଦ୍ୟାଳୟର ପ୍ରାର୍ଥୀମାନଙ୍କ ତରଫରୁ ଆୟୋଜିତ ହୋଇଥିଲା ରଙ୍ଗାରଙ୍ଗା ଡିଜେ ପାର୍ଟି । ଖାଇବା ପିଇବା ସହ ନାଚଗୀତରେ କମ୍ପିଥିଲା ପୂରା ପରିବେଶ । ଏ ତ ଦୃଶ୍ୟ ଦେଖିଲେ ।

Also Read: ଉଚ୍ଚଶିକ୍ଷାରେ ବିରୋଧୀଙ୍କ 'ମିଛ ନେରେଟିଭ୍'କୁ କାଉଣ୍ଟର କଲା ବିଜେପି, ୭୦ ବର୍ଷର ହିସାବ ମାଗିଲା ଦଳ

ଏବେ ଆସନ୍ତୁ ନଜର ପକାଇବା ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସ ଉପରେ । କେମିତି ବିଶାଳ କାର୍ ରାଲି କରି ନିଜ ପତିଆରା ଦେଖାଇଥିଲେ ଛାତ୍ର କଂଗ୍ରେସର ପ୍ରାର୍ଥୀ । କ୍ୟାମ୍ପସ ଭିତରେ ଚାଲିଥିଲା ଧାଡ଼ିକି ଧାଡ଼ି କାର୍ । ଆଉ ଏକ ଖୋଲା ଜିପରେ ଠିଆ ହୋଇ କ୍ୟାମ୍ପେନିଂ କରିଥିଲେ NSUCI ପ୍ରାର୍ଥୀ । ପ୍ରାୟ ଅଧ କିଲୋମିଟର ପର୍ଯ୍ୟନ୍ତ ଲମ୍ବିଥିଲା କାର୍ ରାଲି । ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ଚକ୍କର କାଟି ଥିଲା ଏହି ବିଶାଳ କାର୍ ରାଲି । ଏବେ ରାଉରକେଲା ସରକାରୀ ସ୍ବୟଂ ଶାସିତ ମହାବିଦ୍ୟାଳୟର ଦୃଶ୍ୟ । ଯେଉଁଠି ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର ପାଇଁ ଏମିତି ନାଚଗୀତରେ ମାତିଥିଲେ ଛାତ୍ରଛାତ୍ରୀ । ଖାଲି ନାଚଗୀତ ଚାଲିଥିଲା ସେକଥା ନୁହେଁ ଗୁପଚୁପ୍ରେ ପାର୍ଟି ବି ଧୁମ୍ ଚାଲିଥିଲା ।

ଆଉ ଇଏ  ଗଞ୍ଜାମ ଜିଲ୍ଲା ଆସ୍କାର ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟର ଚିତ୍ର । ଏଠି ବି ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରିବାକୁ କ୍ୟାମ୍ପସ ଆଗରେ ଲାଗିଥିଲା ଦହିବରା, ଆଇସକ୍ରିମ୍, ଗୁପଚୁପର ମାଗଣା ଷ୍ଟଲ । କିଏ କାହାକୁ ଭୋଟ୍ ଦେବେ ସେକଥା ଜଣାନାହିଁ କିନ୍ତୁ ଯିଏ ଯେତେ ପାରିଲେ ଖାଇ ଚାଲିଥିଲେ । ସେହିଭଳି ବରଗଡ଼ ଜିଲ୍ଲା ପଦ୍ମପୁର କଲେଜରେ  ବି ମାଗଣା ଗୁପଚୁପ, ଆଇସ୍କ୍ରିମ ଓ ମୁଢ଼ିରେ ଛାତ୍ରଛାତ୍ରୀଙ୍କୁ ଖୁବ୍ ଆପ୍ୟାୟିତ କରିଥିଲେ ପ୍ରାର୍ଥୀ । ତେବେ ଢ଼େଙ୍କାନାଳ ସ୍ବୟଂ ଶାସିତ ମହାବିଦ୍ୟାଳୟରେ ପ୍ରାର୍ଥୀଙ୍କ ପ୍ରଚାର ବେଳେ ଦେଖିବାକୁ ମିଳିଥିଲା ଏଭ ଭିନ୍ନ ଚିତ୍ର । ଏଠି ସ୍ବାଧୀନ ଭାବେ ନିର୍ବାଚନ ଲଢ଼ୁଥିବା କିଛି ପ୍ରାର୍ଥୀ ଛାତ୍ରୀମାନଙ୍କୁ ସାନିଟାରୀ ନାପକିନ୍ ବାଣ୍ଟିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା ।

Also Read: ବିଜେଡିରେ କନ୍ଦଳ ନା ଆଉ କିଛି ; ଦଳ ଛାଡ଼ିଲେ NAC ଅଧକ୍ଷା, ଉପାଧ୍ୟକ୍ଷ,୯ କାଉନସିଲର…

ଛାତ୍ର ସଂସଦ ନିର୍ବାଚନ ପାଇଁ ହାତରେ ଆଉ ମାତ୍ର ଗୋଟିଏ ଦିନ । ଗୋଟିଏ ଦିନ ପରେ ଛାତ୍ରଛାତ୍ରୀମାନେ ସେମାନଙ୍କ ଛାତ୍ର ନେତା ବାଛିବେ । ଆସନ୍ତାକାଲି ବିଭିନ୍ନ କ୍ୟାମ୍ପସରେ ରହିଛି ହ୍ବାଇ ଆଇ ଷ୍ଟାଣ୍ଡ ଫର୍ ମିଟିଂ । ଏହି ମିଟିଂରେ ସମସ୍ତଙ୍କ ସାମ୍ନାରେ ପ୍ରାର୍ଥୀମାନେ ନିଜ ନିଜର ଲକ୍ଷ୍ୟ, ଯୋଜନା ଓ ପ୍ରତିଶ୍ରୁତି ଛାତ୍ରଛାତ୍ରୀଙ୍କ ସାମ୍ନାରେ ରଖିବେ । ୧୫ ତାରିଖ ସକାଳ ୮ଟାରୁ ଦିନ ୨ଟା ଭିତରେ ହେବ ମତଦାନ । ଭୋଟ ଗ୍ରହଣ ଶେଷ ପରେ ସେହିଦିନ ଅପରାହ୍ଣ ୨ଟାରୁ ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ । ଏହା ପରେ ୧୬ ତାରିଖରେ ଶପଥ ଗ୍ରହଣ କରିବେ ବିଜୟୀ ପ୍ରାର୍ଥୀ ।