ଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନକୁ ଆଉ ମାତ୍ର ୨ ଦିନ ବାକି ରହିଲା। ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଗଲାଣି ପ୍ରଚାର। ତେବେ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ସରକାରୀ ଦଳ ଏବଂ ବିରୋଧୀଙ୍କ ମଧ୍ୟରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇବାରେ ଲାଗିଛି। ନିର୍ବାଚନ ପ୍ରକ୍ରିୟାରେ ଶାସକ ବିଜେପି ପ୍ରଶାସନିକ କଳର ଅପବ୍ୟବହାର କରୁଥିବା ନେଇ ବିଜୁ ଜନତା ଦଳ (ବିଜେଡି) ଗୁରୁତର ଅଭିଯୋଗ ଆଣିଛି। ସରକାର ଅନାବଶ୍ୟକ ଚାପ ସୃଷ୍ଟି ନକରି ନିଜର ସମ୍ବିଧାନିକ ଦାୟିତ୍ୱ ନିର୍ବାହ କରନ୍ତୁ ବୋଲି ବିଜେଡି ପକ୍ଷରୁ ସ୍ପଷ୍ଟ କୁହାଯାଇଛି।

ବିଜେଡି ନେତାଙ୍କ କହିବା ଅନୁଯାୟୀ, ଦୀର୍ଘ ୮ ବର୍ଷ ଧରି କଲେଜ ନିର୍ବାଚନ ହୋଇନାହିଁ। ପୂର୍ବତନ ବିଜେଡି ସରକାର ସମୟର ୬ ବର୍ଷ ମଧ୍ୟରୁ ୩ ବର୍ଷ କୋଭିଡ୍ ମହାମାରୀରେ ବିତିଥିବା ବେଳେ ବାକି ଦୁଇ ବର୍ଷ ବର୍ତ୍ତମାନର ସରକାରଙ୍କ ଶାସନକାଳରେ ହୋଇଛି। ହେଲେ ଏବେ ଚାଲିଥିବା କଲେଜ ନିର୍ବାଚନରେ ସରକାରୀ ଦଳ ସିଧାସଳଖ ହସ୍ତକ୍ଷେପ କରୁଛି। ଯପକୁଦ ମହିଳା ଡିଗ୍ରୀ କଲେଜରେ ଘଟିଥିବା ନିକଟତର ଅପ୍ରୀତିକର ଘଟଣା ପାଇଁ ବିଜେଡି ସଂପୃକ୍ତ ଜିଲ୍ଲାପାଳଙ୍କ ଇସ୍ତଫା ଦାବି କରିଛି।

Also Read: ରେଭେନ୍ସା ନିର୍ବାଚନ: ୨୪ ଘଣ୍ଟିଆ ଲାଇବ୍ରେରୀ, ମାଗଣା IAS କୋଚିଂ , BCJDର ଲୋଭନୀୟ ଇସ୍ତାହାର

ରମାଦେବୀ ବିଶ୍ୱବିଦ୍ୟାଳୟରେ ଗଡ଼ବଡ଼ ଅଭିଯୋଗ

ବିଜେଡି ଅଭିଯୋଗ କରିଛି ଯେ ଯେଉଁ କଲେଜଗୁଡ଼ିକରେ ବିଜୁ ଛାତ୍ର ଜନତା ଦଳର ବିଜୟ ସମ୍ଭାବନା ଅଧିକ ରହିଛି, ସେଠାରେ ଜାଣିଶୁଣି ଅଶାନ୍ତି ସୃଷ୍ଟି କରାଯାଉଛି କିମ୍ବା ନିର୍ବାଚନ ସ୍ଥଗିତ ରଖାଯାଉଛି। ଭୁବନେଶ୍ୱରସ୍ଥିତ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ଜାଣିଶୁଣି ପ୍ରାର୍ଥୀଙ୍କ ସିରିଏଲ୍ ନମ୍ବର ବଦଳାଯାଉଛି ଏବଂ ପିଲାମାନଙ୍କୁ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବାକୁ ବାଧ୍ୟ କରାଯାଉଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (CMO)ର ନାଁ ନେଇ ଯେକୌଣସି ପ୍ରକାରେ ରମାଦେବୀ ଜିତିବାକୁ ଚାପ ପକାଯାଉଥିବା ଭିଡିଓ ସାମ୍ନାକୁ ଆସିଥିବା ଦାବି କରି ବିଜେଡି ସରକାରଙ୍କୁ ଖୋଲା ଆହ୍ୱାନ ଦେଇଛି।

'ଜେନ୍ ଜି' ବିଜେଡି ସହ ଅଛନ୍ତି

ବିଜେଡି ପ୍ରେସ୍ ସମ୍ମିଳନୀରେ କହିଛି ଯେ ଆଜିର ଯୁବପିଢ଼ି (ଜେନ୍ ଜି) ନବୀନ ପଟ୍ଟନାୟକ ଏବଂ ବିଜୁ ଛାତ୍ର ଜନତା ଦଳ ସହ ଦୃଢ଼ ଭାବରେ ଛିଡ଼ା ହୋଇଛନ୍ତି। ଏହି ଛାତ୍ର ସଂସଦ ନିର୍ବାଚନ ପ୍ରକୃତରେ 'ଜେନ୍ ଜି' ଏବଂ 'ଡବଲ୍ ଇଞ୍ଜିନ୍ ସରକାର' ମଧ୍ୟରେ ଲଢ଼େଇ। ସରକାର ନିଜେ ନିର୍ବାଚନ ମଇଦାନକୁ ଓହ୍ଲାଇ ପ୍ରଶାସନ ଜରିଆରେ ଯୁବପିଢ଼ିଙ୍କ ସ୍ୱରକୁ ଚପାଇବାକୁ ଚେଷ୍ଟା କରୁଛନ୍ତି। ମାତ୍ର ବିଜେଡି ସଦାସର୍ବଦା ଯୁବପିଢ଼ିଙ୍କ ସହ ଥିଲା, ଅଛି ଏବଂ ଆଗକୁ ମଧ୍ୟ ରହିବ ବୋଲି ଦଳ ପକ୍ଷରୁ କୁହାଯାଇଛି।