ଭୁବନେଶ୍ୱର: ଦେଶ ଏବଂ ରାଜ୍ୟରେ ଉଚ୍ଚଶିକ୍ଷାର ବିକାଶକୁ ନେଇ ଶାସକ ଭାରତୀୟ ଜନତା ପାର୍ଟି (ବିଜେପି) ନିଜ ସରକାରର ସଫଳତାର ଲମ୍ବା ଫର୍ଦ୍ଦ ରଖିଛି। ବିରୋଧୀ ଦଳଗୁଡ଼ିକ ଶିକ୍ଷା ବ୍ୟବସ୍ଥାକୁ ନେଇ ମିଛ କାହାଣୀ ଓ ଭ୍ରାନ୍ତ ଧାରଣା ତିଆରି କରୁଛନ୍ତି ବୋଲି ବିଜେପି କଡ଼ା ସମାଲୋଚନା କରିଛି। ଉଚ୍ଚଶିକ୍ଷା କ୍ଷେତ୍ରରେ ଗତ ୧୨ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ରେକର୍ଡ ସଂଖ୍ୟକ ସଫଳତା ହାସଲ ହୋଇଥିବା ବେଳେ ରାଜ୍ୟରେ ବିଜେପି ସରକାରଙ୍କ 'କେଜିରୁ ପିଜି ମାଗଣା ଶିକ୍ଷା' ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ଦଳ ଦାବି କରିଛି।

ବଢିଲା ବିଶ୍ଵ ବିଦ୍ୟାଳୟ ସଂଖ୍ୟା

ବିଜେପି ପକ୍ଷରୁ ମୁଖପାତ୍ର ଅନୀଲ ବିଶ୍ଵାଳଙ୍କ ଦ୍ଵାରା ଦିଆଯାଇଥିବା ତଥ୍ୟ ଅନୁଯାୟୀ, ନରେନ୍ଦ୍ର ମୋଦୀ ୨୦୧୪ରେ କ୍ଷମତାକୁ ଆସିବା ପୂର୍ବରୁ ଦେଶରେ ମାତ୍ର ୭୬୦ଟି ବିଶ୍ୱବିଦ୍ୟାଳୟ ଥିବା ବେଳେ ଏବେ ତାହା ବୃଦ୍ଧି ପାଇ ୧୨୮୯ରେ ପହଞ୍ଚିଛି। ଉଚ୍ଚଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ୩ କୋଟି ୪୨ ଲକ୍ଷରୁ ବଢ଼ି ୪ କୋଟି ୫୦ ଲକ୍ଷ ହୋଇଛି। ସେହିପରି କଲେଜ ସଂଖ୍ୟା ୩୮,୪୯୮ରୁ ୪୮,୨୪୬କୁ ବୃଦ୍ଧି ପାଇଛି।

Also Read: ବ୍ୟବସାୟୀଙ୍କୁ ସାମାନ୍ୟ ଆଶ୍ଵସ୍ତି, ଦୀପାବଳି ପର୍ଯ୍ୟନ୍ତ ଘୁଞ୍ଚିଲା UPI ଉପରେ ମର୍ଚାଣ୍ଟ ଫି

ମେଡିକାଲ ସିଟ୍ ସଂଖ୍ୟା ବୃଦ୍ଧି ହୋଇଛି

ଡାକ୍ତରୀ ଓ ବୈଷୟିକ ଶିକ୍ଷାର ବିକାଶ ସମ୍ପର୍କରେ ତଥ୍ୟ ଦେଇ ଦଳ କହିଛି ଯେ, ମେଡିକାଲ ସିଟ୍ ସଂଖ୍ୟା ୫୧,୩୪୮ରୁ ୧,୩୯,୮୬୪କୁ ବୃଦ୍ଧି ପାଇଛି। ଆଇଆଇଟି (IIT) ସଂଖ୍ୟା ୧୬ରୁ ୨୩, ଆଇଆଇଏମ୍ (IIM) ୧୩ରୁ ୨୧ ଏବଂ ଏମ୍ସ (AIIMS) ସଂଖ୍ୟା ୭ରୁ ୨୦କୁ ବୃଦ୍ଧି ପାଇଛି। ଆନ୍ତର୍ଜାତୀୟ ରାଙ୍କିଂରେ ପୂର୍ବରୁ ଭାରତର ମାତ୍ର ୧୪ଟି ଶିକ୍ଷାନୁଷ୍ଠାନ ସ୍ଥାନ ପାଉଥିବା ବେଳେ ଏବେ ୫୬ଟି ଶିକ୍ଷାନୁଷ୍ଠାନ ସ୍ଥାନ ପାଇଛନ୍ତି।

ବଢିଛି ଶିକ୍ଷା ବଜେଟ୍

ଶିକ୍ଷା ବଜେଟ୍ ବାବଦରେ ଦଳ ଦର୍ଶାଇଛି ଯେ, କେନ୍ଦ୍ର ସରକାରଙ୍କ ଉଚ୍ଚଶିକ୍ଷା ବଜେଟ୍ ଯାହା ପୂର୍ବରୁ ୪୦ ହଜାର କୋଟି ପାର୍ ହେଉନଥିଲା, ତାହା ଏବେ ୧ ଲକ୍ଷ ୩୯ ହଜାର ୨୯୦ କୋଟି ଟଙ୍କାରେ ପହଞ୍ଚିଛି। ସେହିପରି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ନୂତନ ଜାତୀୟ ଶିକ୍ଷା ନୀତି (NEP) ସଫଳତାର ସହ ଲାଗୁ ହୋଇଛି।

ଓଡ଼ିଶା କଥା କହିବାକୁ ଗଲେ, ଉଚ୍ଚଶିକ୍ଷାର ବିକାଶ ପାଇଁ କେନ୍ଦ୍ରରୁ ୬୭୭ କୋଟି ଟଙ୍କା ମିଳିଥିବା ବେଳେ 'ରୁଷା' ଓ 'ଉଷା' ଯୋଜନାରେ ଭିତ୍ତିଭୂମି ପାଇଁ ୧୫୮୨ କୋଟି ଟଙ୍କା ପ୍ରଦାନ କରାଯାଇଛି। କେନ୍ଦ୍ରର 'ୟୁନିଭରସିଟି ଟାଉନସିପ୍' ଯୋଜନାରେ ଭୁବନେଶ୍ୱର, ସମ୍ବଲପୁର ଓ କୋରାପୁଟକୁ ସାମିଲ କରିବାକୁ ପ୍ରସ୍ତାବ ଦିଆଯାଇଛି।

Also Read: ବିରୋଧୀଙ୍କୁ ମନମୋହନଙ୍କ କଟାକ୍ଷ, ଭୋଟ ଚୋରି ହେଉଥିଲେ ହିମାଚଳ ପ୍ରଦେଶ ଏବଂ କର୍ଣ୍ଣାଟକରେ ଜିତିଲେ କେମିତି ?

ରାଜ୍ୟରେ ଉଚ୍ଚଶିକ୍ଷା ବଜେଟ୍ ୫୪୮୭ କୋଟି ଟଙ୍କାକୁ ବୃଦ୍ଧି

ରାଜ୍ୟ ସରକାରଙ୍କ ପଦକ୍ଷେପ ବାବଦରେ ବିଜେପି କହିଛି ଯେ, ନୂଆ ସରକାର ଆସିବା ପରେ ଉଚ୍ଚଶିକ୍ଷା ବଜେଟ୍ ୫୪୮୭ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି, ଯାହା ବିଜେଡି ଶାସନରେ ସାଢ଼େ ୩ ହଜାର କୋଟି ପାର୍ ହେଉନଥିଲା। ପୂର୍ବରୁ ଆଇନଗତ ଜଟିଳତା ଯୋଗୁଁ କୁଳପତି ନିଯୁକ୍ତି ଅଟକିଥିବା ବେଳେ ଏବେ ୧୪ଟି ବିଶ୍ୱବିଦ୍ୟାଳୟରେ କୁଳପତି ନିଯୁକ୍ତ ହୋଇସାରିଛନ୍ତି।

ଶେଷରେ ବିଜେଡି ଓ କଂଗ୍ରେସକୁ କଡ଼ା ନିଶାନା କରି ଦଳ କହିଛି ଯେ, ବିଜେଡି ଯେଉଁ 'କେଜିରୁ ପିଜି ମାଗଣା ଶିକ୍ଷା' ନିଜ ଶାସନକାଳରେ କରିପାରିନଥିଲା, ତାହା ବିଜେପି ସରକାର କରି ଦେଖାଇଛି। ପ୍ରଶ୍ନ ପଚାରୁଥିବା କଂଗ୍ରେସ ନିଜ ୭୦ ବର୍ଷର ଏବଂ ବିଜେଡି ନିଜ ୨୫ ବର୍ଷର ଶାସନର ହିସାବ ଜନସାଧାରଣଙ୍କ ସାମ୍ନାରେ ରଖନ୍ତୁ।