ନୂଆଦିଲ୍ଲୀ: ଟେକ୍ ଉଦ୍ୟୋଗ ବର୍ତ୍ତମାନ ସବୁଠାରୁ କଠିନ ସମୟ ଦେଇ ଗତ କରୁଛି ଏବଂ ଏହା ପଛର କାରଣ ହେଉଛି ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସି । ଏଆଇ ଉପରେ ଖର୍ଚ୍ଚ ବୃଦ୍ଧି କାରଣୁ ବଡ଼ ବଡ଼ ଟେକ୍ କମ୍ପାନି ଛଟେଇ କରୁଛନ୍ତି । ଏଥିରେ ଗୁଗଲ୍ ଓରାକଲ୍ ପରି କମ୍ପାନି ମଧ୍ୟ ଅଛନ୍ତି । ଭାରତୀୟ କମ୍ପାନି ମଧ୍ୟ ଏହାର ପ୍ରଭାବରୁ ବର୍ତ୍ତି ପାରିନାହାନ୍ତି । ସ୍ୱଦେଶୀ ସଫ୍ଟୱେର୍ କମ୍ପାନି ଜୋହୋ ମଧ୍ୟ ଏହି ସମସ୍ୟାର ସାମନା କରୁଛି ।

କମ୍ପାନିର ପ୍ରତିଷ୍ଠାତା ଶ୍ରୀଧର ଭେମ୍ୱୁ କହିଛନ୍ତି ଯେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସିର ବର୍ଦ୍ଧିତ ଖର୍ଚ୍ଚ ଯୋଗୁ କମ୍ପାନିକୁ ପରିଚାଳନାରେ ଆର୍ଥିକ ଅସୁବିଧା ସାମନା କରିବାକୁ ପଡ଼ୁଛି । ଏହି କାରଣୁ ଜୋହ ଚଳିତ ବର୍ଷ କର୍ମଚାରୀଙ୍କ ନିୟମିତ ଦରମା ମୂଲ୍ୟାଙ୍କନ ଏବଂ ଆପ୍ରିଜାଲ୍ ପ୍ରକ୍ରିୟାରେ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛି । ଏହାଦ୍ୱାରା ସମ୍ଭାବ୍ୟ ଛଟେଇ ସ୍ଥିତିକୁ ଏଡ଼ାଇ ହେବ ।

ଏକ୍ସ ପୋଷ୍ଟରେ ଶ୍ରୀଧର ଭେମ୍ୱୁ କହିଛନ୍ତି ଯେ କମ୍ପାନିର ଖର୍ଚ୍ଚକୁ କମ କରିବା ପାଇଁ ଅନେକ ପଦକ୍ଷେପ ନିଆଯାଉଛି । ଏପରିକି ମାର୍କେଟିଂ ବଜେଟରେ ହ୍ରାସ ମଧ୍ୟ କରାଯାଉଛି । ଚଳିତ ବର୍ଷ ଆପ୍ରିଜାଲ୍ ନ ହୋଇପାରିବ ନାହିଁ ଘୋଷଣା କରି ଶ୍ରୀଧର କମ୍ପାନିର କର୍ମଚାରୀଙ୍କୁ କ୍ଷମା ମାରିଛନ୍ତି । ଭେମ୍ୱୁ ସ୍ୱୀକାର କରିଛନ୍ତି ଯେ ସଫ୍ଟୱେର କମ୍ପାନି ବର୍ତ୍ତମାନ କଠିନ ସମୟ ଦେଇ ଗତି କରୁଛି । କମ୍ପାନି କର୍ମଚାରୀଙ୍କ ଚାକିରି ବଞ୍ଚାଇବା ପାଇଁ ସଂପୂର୍ଣ୍ଣ ପ୍ରୟାସ କରୁଛି । ତାଙ୍କ ଅନୁସାରେ, କମ୍ପାନି ଗତ ୧୮ ମାସ ହେଲା ନିଜ କର୍ମଚାରୀ ସଂଖ୍ୟାରେ କୌଣସି ବୃଦ୍ଧି କରି ନାହିଁ । ଆମର ଅଧିକାଂଶ କର୍ମଚାରୀ ସ୍ଥିତିକୁ ବୁଝିଛନ୍ତି ।

 

ଜୋହୋର ପ୍ରତିଷ୍ଠାତାଙ୍କ ଅନୁଯାୟୀ, କମ୍ପାନି ପରିବର୍ତ୍ତିତ ପରିସ୍ଥିତି ସହିତ ଖାପ ଖୁଆଇବା ପାଇଁ ଏହାର ବ୍ୟବସାୟକୁ ପୁନଃନିର୍ମାଣ କରୁଛି । ତେବେ ଏହି ପରିବର୍ତ୍ତନର ପ୍ରଭାବ ପଡ଼ିବାକୁ ସମୟ ଲାଗିବ । ଭେମ୍ବୁ କହିଛନ୍ତି ଯେ କମ୍ପାନିର ଏହି ନୂତନ ରୂପର ସଫଳତା ଆଗାମୀ ତିନିରୁ ପାଞ୍ଚ ବର୍ଷ ମଧ୍ୟରେ ଜଣାପଡ଼ିବ । ସେ ତାଙ୍କ ଅନୁଗାମୀମାନଙ୍କୁ ଏହି ପ୍ରୟାସର ସଫଳତା ପାଇଁ ପ୍ରାର୍ଥନା କରିବାକୁ ମଧ୍ୟ ଅନୁରୋଧ କରିଛନ୍ତି।

ଏହା ପ୍ରଥମ ଥର ନୁହେଁ, ପୂର୍ବରୁ ମଧ୍ୟ ଭେମ୍ବୁ ବର୍ଦ୍ଧିତ ପ୍ରଯୁକ୍ତିବିଦ୍ୟା ମୂଲ୍ୟ ବିଷୟରେ ଚିନ୍ତା ପ୍ରକାଶ କରିସାରିଛନ୍ତି । ଟେକ୍ନୋଲୋଜି ସେକ୍ଟରରେ ଚାକିରି ସଂକଟ ମଧ୍ୟରେ ମାଇକ୍ରୋସଫ୍ଟ, ଆମାଜନ, ଓରାକଲ୍ ଏବଂ ଟିସିଏସ୍ ପରି କମ୍ପାନି କର୍ମଚାରୀ ଛଟେଇ କରୁଛନ୍ତି । Layoffs.fyi ଡାଟା ଅନୁସାରେ, 2026ରେ ବର୍ତ୍ତମାନ ସୁଦ୍ଧା ୧.୩୧ ଲକ୍ଷରୁ ଅଧିକ ଟେକ୍ କର୍ମଚାରୀ ଚାକିରି ହରାଇ ସାରିଛନ୍ତି ।