ତେହେରାନ,୧୦|୦୬:ଆଫଗାନିସ୍ତାନରେ ପାକିସ୍ତାନର ନରହତ୍ୟା । ଆଫଗାନିସ୍ତାନ ସୀମାରେ ପଶି ଶିଶୁ ଏବଂ ମହିଳାଙ୍କୁ ମାରିଲା ପାକିସ୍ତାନ ସେନା । ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଭାରତର ଦୁଇ ପଡୋଶୀ ଦେଶ ମଧ୍ୟରେ ତିକ୍ତତା ବଢିବାରେ ଲାଗିଛି ।

ରିପୋର୍ଚ ଅନୁସାରେ, ମଙ୍ଗଳବାର ରାତିରେ ପାକିସ୍ତାନୀ ସେନାର ଲଢୁଆ ବିମାନ ଆଫଗାନିସ୍ତାନରେ ଏୟାର ଷ୍ଟ୍ରାଇକ୍ କରିଛି । ଏହାସହ ଆଫଗାନର ଆକାଶ ପଥକୁ ଉଲ୍ଲଙ୍ଘନ କରିଛି । ସାଧାରଣ ନାଗରିକଙ୍କ ଘରକୁ ଟାର୍ଗେଟ୍ କରି ବୋମାବର୍ଷା ମଧ୍ୟ କରିଛି ।

ପାକ୍ ଆକ୍ରମଣରେ ମହିଳା ଏବଂ ଶିଶୁଙ୍କ ସମେତ ଅନେକ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି । ଆଫଗାନ୍ ପ୍ରବକ୍ତା ଜବୀଉଲ୍ଲାହ ମୁଜାହିଦଙ୍କ ପକ୍ଷରୁ ଜାରି ବୟାନ ଅନୁସାରେ, ପାକ୍ ଆଫଗାନିସ୍ତାନର ସାର୍ବଭୌମତା ଉଲ୍ଲଙ୍ଘନ କରିଛି । ପାକ୍ ବିମାନ ଆଫଗାନର କୁନାର, ଖୋସ୍ତ, ପକ୍ତିକାରେ ସାଧାରଣ ନାଗରିକ ରହୁଥିବା ସ୍ଥାନକୁ ଟାର୍ଗେଟ୍ କରିଛି । ଘର ଉପରେ ମନଇଚ୍ଛା ଗୁଳିଗୋଳା ବର୍ଷା କରିଛି । ଫଳରେ ଅନେକ ଘର ସମ୍ପୂର୍ଣ୍ଣ ଭାବେ ଧ୍ୱଂସ ହୋଇଯାଇଛି ।

କୁହାଯାଉଛି ଯେ, ଆକ୍ରମଣରେ ମହିଳା ଏବଂ ଶିଶୁଙ୍କ ସମେତ ୧୩ ଜଣ ପ୍ରାଣ ହରାଇଛନ୍ତି । ଯେଉଁମାନଙ୍କୁ ଆଫଗାନ୍ ସରକାର ସହିଦ ବୋଲି ଘୋଷଣା କରିଛନ୍ତି । ସବୁଠାରୁ ବଡ କଥା ହେଉଛି ଯେ, ମୃତକଙ୍କ ମଧ୍ୟରେ ୧୧ ଜଣ ଶିଶୁ ରହିଛନ୍ତି । ସେହିପରି ୧୪ ଜଣ ଗୁରୁତର ହୋଇଛନ୍ତି ।ଗୁରୁତରଙ୍କ ମଧ୍ୟରେ ଅନେକ ମହିଳା ରହିଛନ୍ତି । ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୋସିଆଲ ମିଡିଆରେ ଆକ୍ରମଣ ପରବର୍ତ୍ତୀ ହୃଦୟବିଦାରକ ଫଟୋ ସାମ୍ନାକୁ ଆସିଛି ।

ଆକ୍ରମଣ ପରେ ଆଫଗାନିସ୍ତାନ ପ୍ରତିଶୋଧ ନେବ ବୋଲି କହିଛି । ତାଲିବାନ ସରକାର ଘଟଣାକୁ ନିନ୍ଦା କରିବା ସହ ଏହାକୁ ଅମାନବୀୟ କହିଛନ୍ତି । ଏହାକୁ ପାକିସ୍ତାନର ଅପରାଧ କହିବା ସହ ଜବାବ ଦିଆଯିବ ବୋଲି ତାଲିବାନ କହିଛି ।