ନୂଆଦିଲ୍ଲୀ: ଏବେ ଆମ ଆଦ୍ମୀ ପାର୍ଟିରେ ସାମ୍ନାସାମ୍ନି ଲଢ଼େଇ ଆରମ୍ଭ ହୋଇଯାଇଛି। ରାଘବ ଚଢାଙ୍କୁ ଦଳ ରାଜ୍ୟସଭା ଉପନେତା ପଦରୁ ହଟାଇବା ପରେ ରାଘବ ଆପକୁ ଟାର୍ଗେଟ୍ କରି ଏକ ଭିଡିଓ ପୋଷ୍ଟ କରିଥିଲେ। ମୋତେ ପଦରୁ ସିନା ହଟାଇ ଦିଆଗଲା ହେଲେ ମୋ ସ୍ୱରକୁ କେବେ ଦବାଇ ପାରିବ ନାହିଁ ବୋଲି ରାଘବ କହିଥିଲେ। ଯାହାକୁ ନେଇ ଜଣଙ୍କ ପରେ ଜଣେ ଆପ୍ ନେତା ସମାନ ଢଙ୍ଗରେ ଭିଡିଓ ଶେୟାର କରି ରାଘବଙ୍କୁ ଟାର୍ଗେଟ୍ କରିଛନ୍ତି।

ସଞ୍ଜୟ ସିଂହ, ସୌରଭ ଭରଦ୍ୱାଜ ଓ ଅତିଶୀ ସମସ୍ତେ ଭିଡିଓ ଶେୟାର କରି ରାଘବ ଚଢାଙ୍କ ଉପରେ ଦୋଷ ଲଦିଛନ୍ତି। ରାଘବ ପ୍ରକୃତ ପ୍ରସଙ୍ଗ ଉଠାଉ ନଥିଲେ। କିଛି କ୍ଷେତ୍ରରେ ସରକାରଙ୍କୁ ସମର୍ଥନ କରୁଥିଲେ। ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ କହିବାକୁ ଡରୁଥିଲେ ବୋଲି ଆପ୍ ନେତାମାନେ ଅଭିଯୋଗ କରିଛନ୍ତି। ଏସବୁ ଘଟଣା ପରେ ଦଳୀୟ କନ୍ଦଳ ଏବେ ଲୋକଲୋଚନକୁ ଆସି ଯାଇଛି।

 

ଗତକାଲି ଆମ ଆଦ୍ମୀ ପାର୍ଟି ପକ୍ଷରୁ ରାଜ୍ୟସଭା ସଚିବଙ୍କୁ ଏକ ଚିଠି ଲେଖି ରାଘବଙ୍କୁ ଦଳର ଉପନେତା ପଦରୁ ହଟାଇବାକୁ ପ୍ରସ୍ତାବ ଦିଆଯାଇଥିଲା। ତାଙ୍କୁ ଗୃହରେ କହିବାକୁ ସୁଯୋଗ ଦିଆ ନଯାଉ ବୋଲି ଚିଠିରେ ଉଲ୍ଲେଖ ରହିଥିଲା। ଏବଂ ରାଘବଙ୍କ ସ୍ଥାନରେ ଅଶୋକ ମିତ୍ତଲଙ୍କୁ ଦଳ ଉପନେତା ନିଯୁକ୍ତ କରିଥିଲା।

ଏହାପରେ ରାଘବ ଚଢା ଦଳକୁ ସମାଲୋଚନା କରି ଏକ ଭିଡିଓ ପୋଷ୍ଟ କରିଥିଲେ। କହିଥିଲେ ଯେ ମୁଁ ସାଧାରଣ ଲୋକଙ୍କ କଥା ଉଠାଉଥିଲି। ଏଥିରେ ଆମ ଆଦ୍ମୀ ପାର୍ଟିର କଣ ସମସ୍ୟା ହେଲା ମୁଁ ଜାଣି ନାହିଁ। ତେବେ ଯେଉଁମାନେ ଆଜି ସଂସଦରେ ମୋ କହିବାର ଅଧିକାର ଛଡ଼ାଇ ନେଲେ ସେମାନେ ମୋ ନିରବତାକୁ ମୋ ପରାଜୟ ବୋଲି ଭାବନ୍ତୁ ନାହିଁ, ମୁଁ ସେହି ଦରିଆ, ଯିଏ ସମୟ ଆସିଲେ ଭୀଷଣ ବଢ଼ିର ରୂପ ନେଇପାରେ।

ରାଘବଙ୍କର ଏହି ଭିଡିଓ ଲୋକଲୋଚନକୁ ଆସିବା ପରେ ଆପ୍‌ର ନେତାମାନେ ତାଙ୍କୁ ଟାର୍ଗେଟ୍ କରିବା ଆରମ୍ଭ କରିଥିଲେ। ସମସ୍ତେ ସୋସିଆଲ୍ ମିଡିଆରେ ଭିଡିଓ ପୋଷ୍ଟ କରି ତାଙ୍କୁ ସମାଲୋଚନା କରିଥିଲେ।

Also Read- LPG cylinder seizure: ଲୋକଙ୍କୁ ମିଳୁନି, ଏମାନେ ଶ୍ମଶାନରେ ଲୁଚାଇ ରଖିଥିଲେ ୪୧୪ ଗ୍ୟାସ୍ ସିଲିଣ୍ଡର

ସୌରଭ ଭରଦ୍ୱାଜ– ରାଘବଙ୍କୁ ଟାର୍ଗେଟ୍ କରି ଭରଦ୍ୱାଜ କହିଥିଲେ ଯେ ଯିଏ ଡରିଗଲା ସିଏ ମରିଗଲା। ରାଘବ ଚଢା କିଛିଦିନ ହେବା ଆବଶ୍ୟକୀୟ ପ୍ରସଙ୍ଗ ଉଠାଉ ନଥିଲେ। ସରକାର ଭୋଟ ଚୋରି କରି ନିର୍ବାଚନ ଜିତୁଛନ୍ତି। ତେଣୁ ନିର୍ବାଚନ କମିଶନଙ୍କ ବିରୁଦ୍ଧରେ ଅବିଶ୍ୱାସ ପ୍ରସ୍ତାବ ଆଣିବାକୁ ବିରୋଧୀ ପ୍ରସ୍ତୁତ ହେଉଥିବା ବେଳେ ଆପଣ ସେଥିରେ ସାଇନ କଲେ ନାହିଁ। ଗତ କିଛି ମାସ ହେଲାଣି ଆପଣ ପ୍ରଧାନମନ୍ତ୍ରୀଙ୍କ ବିରୋଧାଭାସ ଥିବା କୌଣସି ପ୍ରସଙ୍ଗ ଉଠାଉ ନାହାନ୍ତି। ମିଛ ମାମଲାରେ ଅରବିନ୍ଦ କେଜରିୱାଲଙ୍କୁ ଗିରଫ କରାଗଲା, ଆପଣ ବିଦେଶରେ ଲୁଚିଗଲେ। ଆପଣ କେଉଁଠୁ ଆସିଥିଲେ କେଉଁଠିକୁ ଚାଲିଗଲେ, ଟିକେ ଆପଣ ଦେଖନ୍ତୁ।

ସଞ୍ଜୟ ସିଂହ-ଅରବିନ୍ଦ କେଜରିୱାଲଙ୍କ ଠାରୁ ମୁଁ ସାହସ ନିର୍ଭୟରେ ଲଢ଼ିବା ଶିଖିଛି। ତେଣୁ ନିର୍ଭୟରେ ଲଢ଼ିବା ଦରକାର। ଆପଣ ସିଇସି ବିରୁଦ୍ଧରେ ସ୍ୱର ଉଠାଇଲେନି, ମୋଦୀଙ୍କ ବିରୁଦ୍ଧରେ କିଛି କହୁ ନାହାନ୍ତି। ଦଳୀୟ କର୍ମୀଙ୍କୁ ପିଟା ଯାଉଛି, ଏଥିରେ ଆପଣ ନିରବ ରହୁଛନ୍ତି, ଲୋକଙ୍କ ଭୋଟ ଚୋରି ହେଉଛି ସେଥିରେ ଆପଣ କିଛି କହୁ ନାହାନ୍ତି। ଏସବୁ ବିଷୟର ଜବାବ ଲୋକ ଆପଣଙ୍କ ଠାରୁ ଚାହୁଁଛନ୍ତି।