ନୂଆଦିଲ୍ଲୀ: ଇରାନ୍ ଯୁଦ୍ଧକୁ ନେଇ ଭାରତରେ ଗ୍ୟାସ୍ ସଙ୍କଟ ଉଗ୍ର ରୂପ ଧାରଣ କରିଛି । ଲୋକଙ୍କୁ ଗ୍ୟାସ୍ ମିଳୁନି, ହୋଟେଲ ଏବଂ ରେଷ୍ଟୁରାଣ୍ଟ ବନ୍ଦ ହେବାକୁ ବସିଲାଣି । ଏପରିକି ଅନେକ ହୋଟେଲ୍ ଚୁଲି ଜାଳି ରୋଷେଇ କରିବାକୁ ବାଧ୍ୟ ହେଉଛନ୍ତି । ଏଭଳି ସ୍ଥିତିରେ, କିଛି ଲାଭଖୋର ବ୍ୟକ୍ତି ଗ୍ୟାସ କଳାବାଜରୀ କରିବାକୁ ପଛାଉନାହାନ୍ତି । ଏକ ଟିମ୍ ହୋଇ କାର୍ଯ୍ୟ କରିବାକୁ ସରକାର ବାରମ୍ବାର ଅପିଲ କରୁଛନ୍ତି । ହେଲେ କେଇ ଟଙ୍କା ଲାଭ ପାଇବା ଲୋଭରେ ଲୋକମାନେ କଳାବଜାରୀ କରି ସାଧାରଣ ଜୀବନ ଯାତ୍ରାକୁ ପ୍ରଭାବିତ କରୁଛନ୍ତି । ଯଦିଓ ପ୍ରଶାସନ ଏଭଳି ଅସାଧୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି, କିନ୍ତୁ ସେମାନେ କଳାବାଜରୀ କରିବାର ନୂଆ ନୂଆ ଉପାୟ ଖୋଜି ନେଉଛନ୍ତି ।

ଶକ୍ତି ସଙ୍କଟ ମଧ୍ୟରେ ହାଇଦ୍ରାବାଦର ବଞ୍ଜାରା ହିଲ୍ସ ଅଞ୍ଚଳରେ ଗ୍ୟାସ କଳାବାଜାରୀର ଏକ ନୂଆ ତରିକା ଦେଖିବାକୁ ମିଳିଛି । ଶ୍ମଶାନରୁ ମିଳିଛି ୪୧୪ ଚୋରା ଏଲପିଜି ସିଲିଣ୍ଡର । ଜୁବିଲି ହିଲ୍ସ ଜୋନ୍ ଟାସ୍କ ଫୋର୍ସ ଏବଂ ବଞ୍ଜାରା ହିଲ୍ସ ପୋଲିସ ଦ୍ୱାରା କରାଯାଇଥିବା ଏହି ଚଢାଉ ସମୟରେ ଏଲପିଜି ସିଲିଣ୍ଡର ଜବତ ସହ ୧୦ ଜଣଙ୍କୁ ଗିରଫ କରାଯାଇଛି । ୧୧ଟି ଗାଡ଼ିରେ ଲୋଡ୍ ହୋଇଥିଲା ଏହି ସବୁ ଏଲପିଜି ସିଲିଣ୍ଡର, ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୨୨ ଲକ୍ଷ ଟଙ୍କା ।

ତିନି ଗୁଣ ମୂଲ୍ୟରେ ବିକ୍ରି କରୁଥିଲେ

ଗିରଫ ୧୦ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ମହମ୍ମଦ ଆମିର ଲାଇସେନ୍ସ ପ୍ରାପ୍ତ ଗ୍ୟାସ ଏଜେନ୍ସି ଚଳାଉଥିଲେ । ତାଙ୍କ ସହିତ ମହମ୍ମଦ ୟୁସୁଫ, ମହମ୍ମଦ ଇସମାଇଲ, ଏ ରାମା ରାଓ, ଲୋକ କୁମାର, ମହମ୍ମଦ ସକରୁଦ୍ଦିନ, ମହମ୍ମଦ ମୁନ୍ତାଜ ଅନସାରୀ, ମହମ୍ମଦ ମିନାଜ ଅନସାରୀ, ରାଜେଶ ପାଲ ଏବଂ ରାମ ରାଜ ସିଂହ ମଧ୍ୟ ସାମିଲ । ସେମାନେ ଏହି ରନ୍ଧନ ଗ୍ୟାସ ସଲିଣ୍ଡରଗୁଡ଼ିକୁ ଲୁଚାଇ ରଖି ଚଢ଼ା ମୂଲ୍ୟରେ ବିକ୍ରି କରୁଥିଲେ ବୋଲି ଅଭିଯୋଗ ହୋଇଛି । ସେମାନେ ହୋଟେଲ ଏବଂ ରେଷ୍ଟୁରାଣ୍ଟକୁ ତିନି ଗୁଣ ମୂଲ୍ୟରେ ଏଲପିଜି ସିଲିଣ୍ଡର ବିକ୍ରି କରୁଥିଲେ ।

Also Read: ସମୁଦ୍ରରେ ଭାରତକୁ ଜଗିବ ତାରାଗିରି, ଶତ୍ରୁ ଆଖି ଦେଖାଇଲେ ମାରିବ ବ୍ରହ୍ମୋସ୍

ଜାରି ରହିଛି ଚଢ଼ାଉ

ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ ସୁଜାତା ଶର୍ମା କହିଛନ୍ତି, ‘ଗୁରୁବାର ପ୍ରାୟ ୨୬୦୦ ସ୍ଥାନରେ ଚଢାଉ କରାଯାଇଥିଲା । ଏହି ସମୟରେ ପ୍ରାୟ ୭୦୦ ସିଲିଣ୍ଡର ଜବତ କରାଯାଇଛି । ଏହା ବ୍ୟତୀତ, ହାଇଦ୍ରାବାଦର ଏକ ଶ୍ମଶାନରୁ ପ୍ରାୟ ୪୦୦ ସିଲିଣ୍ଡର ମିଳିଛି।’ ସେପଟେ ଘରୋଇ ଉପଭୋକ୍ତାଙ୍କୁ ଶତ ପ୍ରତିଶତ ଗ୍ୟାସ୍ ଯୋଗାଣ ହେଉଥିବା ନେଇ ସଷ୍ଟ କରିଛନ୍ତି । ସୁଜତା ଶର୍ମା କହିଛନ୍ତି, ‘ଅନ୍ତର୍ଜାତୀୟ ସ୍ତରରେ ଅସ୍ଥିରତା ସତ୍ତ୍ୱେ ଏଲପିଜି ଗ୍ୟାସର ମୂଲ୍ୟ ସ୍ଥିର ରହିଛି ଏବଂ ଘରୋଇ ଏଲପିଜି ସିଲିଣ୍ଡର ମୂଲ୍ୟରେ କୌଣସି ବୃଦ୍ଧି ହୋଇନାହିଁ।’

ଭାରତ ଚୀନ୍ ପରେ ଦ୍ୱିତୀୟ ସର୍ବବୃହତ୍ତ ଏଲପିଜି ଆମଦାନୀକାରୀ ଦେଶ । ପ୍ରତିବର୍ଷ ଭାରତରେ ୩୧ ନିୟୁତ ଟନରୁ ଅଧିକ ଏଲପିଜି ଆବଶ୍ୟକ ହୁଏ ଏବଂ ଆବଶ୍ୟକତାର ପ୍ରାୟ ୬୦ ପ୍ରତିଶତ ଗ୍ୟାସ୍ ସମୁଦ୍ର ପଥ ଦେଇ ଭାରତକୁ ଆସେ। ବିଶେଷ କରି ଏହି ଗ୍ୟାସ ମଧ୍ୟପ୍ରାଚ୍ୟରୁ ଆସିଥାଏ । ଇରାନ ଯୁଦ୍ଧ ମଧ୍ୟରେ ଗ୍ୟାସ୍ ଯୋଗାଣ ଗୁରୁତର ଭାବରେ ପ୍ରଭାବିତ ହୋଇଛି । ଏଭଳି ସ୍ଥିତିରେ ଭାରତ ସରକାର ପିଏନଜି ବ୍ୟବହାରକୁ ପ୍ରୋତ୍ସାହିତ କରୁଛନ୍ତି । ଏହା ବ୍ୟତୀତ କିରୋସିନ, କୋଇଲା ଏବଂ ଭାୟୋଗ୍ୟାସ ଭଳି ବିକଳ୍ପ ଇନ୍ଧନକୁ ଗୁରୁତ୍ବ ଦିଆଯାଉଛି ।