ଭୁବନେଶ୍ୱର ୩୧।୧୦ : ଥମୁନି ରାଜ୍ୟସଭା କ୍ରସ ଭୋଟିଂ ରାଜନୀତି । ଏହି ପ୍ରସଙ୍ଗରେ ଜାରି ରହିଛି ଆଇନଗତ ଲଢେଇ । ହାଇକୋର୍ଟଙ୍କ ନୋଟିସ୍ ପରେ ଏହି ପ୍ରସଙ୍ଗରେ ନିଜ ପ୍ରତିକ୍ରିୟା ରଖିଛନ୍ତି ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିରୋଧୀ ପକ୍ଷ ନିଜର ଭୁଲ୍ ବୁଝିସାରିଛନ୍ତି। ଏପରିକି ସେମାନଙ୍କ ଓକିଲ ମଧ୍ୟ କୋର୍ଟରେ ଭୁଲ୍ ସ୍ୱୀକାର କରିସାରିଥିବା ସେ ଦାବି କରିଛନ୍ତି। ଏବେ ସେମାନେ ନା ଭୁଲ୍କୁ ଗ୍ରହଣ କରିପାରୁଛନ୍ତି, ନା ତାହାରୁ ଓହରି ପାରୁଛନ୍ତି ବୋଲି କଟାକ୍ଷ କରିଛନ୍ତି ଅରବିନ୍ଦ। ଆମେ ମଧ୍ୟ ନ୍ୟାୟ ପାଇଁ କୋର୍ଟର ଦ୍ୱାରସ୍ଥ ହୋଇଛୁ। ତାଙ୍କ ବିଧାୟକ ପଦ ରଦ୍ଦ ହୋଇପାରିବ ନାହିଁ ବୋଲି ସେ ଦୃଢ଼ୋକ୍ତି କରିଛନ୍ତି।

Also Read:-ପ୍ରେମ ଜାଲରେ ଫସାଇ OYO ହୋଟେଲରେ ଦୁଷ୍କର୍ମ ଅଭିଯୋଗ, ଯୁବ ନେତା ଗିରଫ

ସେହିପରି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କୁ ମଧ୍ୟ ପ୍ରଶ୍ନ କରିଛନ୍ତି ଅରବିନ୍ଦ। ବାଚସ୍ପତିଙ୍କୁ ଦିଆଯାଇଥିବା ଚିଠିର ଆଇନଗତ ଦିଗ ଯାଞ୍ଚ କରିବା ସହ ଦଳବଦଳ ନିରୋଧୀ ଆଇନ ଅନୁଯାୟୀ ଚିଠି କିପରି ଲେଖାଯାଏ, ତାହା ବୁଝିବାକୁ ସେ ପରାମର୍ଶ ଦେଇଛନ୍ତି। ଡିଓଙ୍କୁ ଚିଠି ଲେଖି ତାହା ବାଚସ୍ପତିଙ୍କୁ ଦିଆଯାଇଥିବା ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି।

ରାଜ୍ୟସଭା ନିର୍ବାଚନରେ ସେ ଆଇନ ଅନୁଯାୟୀ ଭୋଟ୍ ଦେଇଛନ୍ତି ଏବଂ କୌଣସି ଭୁଲ୍ କରିନାହାନ୍ତି। ବିଜେଡି ଯେତେ ଆଇନଗତ ଜାଲରେ ଛନ୍ଦିବାକୁ ଚେଷ୍ଟା କଲେ ମଧ୍ୟ ସେ ଫସିବେ ନାହିଁ। ତାଙ୍କ କ୍ଷେତ୍ରରେ ଦଳବଦଳ ନିରୋଧୀ ଆଇନ ଲାଗୁ ହେବ ନାହିଁ ବୋଲି ମଧ୍ୟ ଦୃଢ଼ ମତ ରଖିଛନ୍ତି ପାଟକୁରା ବିଧାୟକ।