ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀ ଏବଂ ତାଙ୍କ ଭଉଣୀ ଓ୍ବାଇ. ଏସ୍‌. ଶର୍ମିଳାଙ୍କ ମଧ୍ୟରେ ଚାଲିଥିବା ବିବାଦ ନୂଆ ମୋଡ ନେଇଛି ।  ଜଗନ ତାଙ୍କ ବେଙ୍ଗାଲୁରୁ ସ୍ଥିତ ବାସଭବନକୁ ଝିଆରୀଙ୍କ ବାହାଘର ପାଇଁ ଦେବାକୁ ମନା କରିଦେବା ପରେ, ଶର୍ମିଳା ଶନିବାର ଦିନ ଝିଅର ବିବାହ ଉତ୍ସବ ଅନ୍ୟତ୍ର ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସୋସିଆଲ ମିଡିଆରେ ଏକ ବିବୃତ୍ତି ଜାରି କରି ଶର୍ମିଳା ଏହି ଘୋଷଣା କରିଛନ୍ତି । ସେ ଲେଖିଛନ୍ତି, ଝିଅ ଅଞ୍ଜଳି ରେଡ୍ଡୀଙ୍କ ବାହାଘର ଆଉ ବେଙ୍ଗାଲୁରୁର ପାରିବାରିକ ସଂପତ୍ତି ୟେଲହଙ୍କାରେ ହେବନାହିଁ।

ଶର୍ମିଳା ଦାବି କରିଛନ୍ତି ଯେ, ଜଗନ ମୁଖ୍ୟମନ୍ତ୍ରୀ ହେବା ପରେ ପାରିବାରିକ ସମ୍ପତ୍ତି ଭାଗବଣ୍ଟା ସମୟରେ ଏହି ୟେଲହଙ୍କା ପ୍ରାସାଦ ସମ୍ପୂର୍ଣ୍ଣ ଭାରେ ତାଙ୍କୁ ଓ ତାଙ୍କ ପିଲାମାନଙ୍କୁ ଆବଣ୍ଟନ କରାଯାଇଥିଲା। ସେ କହିଛନ୍ତି, ମୁଁ ଅନ୍ୟର ସମ୍ପତ୍ତି ହଡ଼ପ କରିବା ଭଳି ନୀଚ୍ଚ ମାନସିକତାର ବ୍ୟକ୍ତି ନୁହେଁ। ଭଗବାନଙ୍କ ନାମରେ ଶପଥ କରି କହୁଛି, ଏହି ସମ୍ପତ୍ତି ଆଇନଗତ ଭାବରେ ମୋର ଏବଂ ମୋ ପିଲାମାନଙ୍କର । ଅନ୍ୟପଟେ, ଜଗନ ରେଡ୍ଡୀ ସୁରକ୍ଷା ଏବଂ ବ୍ୟକ୍ତିଗତ ଗୋପନୀୟତାର କାରଣ ଦର୍ଶାଇ ଏହି ପ୍ରାସାଦକୁ ବାହାଘର ପାଇଁ ଦେବାକୁ ମନା କରିଥିଲେ।

ସେ ଶର୍ମିଳାଙ୍କୁ ଲେଖିଥିବା ଚିଠିରେ ଦର୍ଶାଇଥିଲେ ଯେ, ବାହାଘର ହେଲେ ବହୁ ସଂଖ୍ୟକ ଅତିଥି, କ୍ୟାଟରର୍ସ, ଡେକୋରେଟର ଓ ଫଟୋଗ୍ରାଫର ଆସିବେ । ଫଳରେ ସୁରକ୍ଷା ଦୃଷ୍ଟିରୁ ସମସ୍ୟା ସୃଷ୍ଟି ହେବ। ତେବେ ଝିଆରୀଙ୍କ ବାହାଘର ପାଇଁ ଶୁଭେଚ୍ଛା ଜଣାଇବା ସହ ସେ ହାଇଦ୍ରାବାଦ ସ୍ଥିତ ‘ଲୋଟସ ପଣ୍ଡ’ ବାସଭବନକୁ ବିକଳ୍ପ ସ୍ଥାନ ଭାବରେ ବ୍ୟବହାର କରିବାକୁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ଏହି ପ୍ରସ୍ତାବରେ ରାଜି ନାହାନ୍ତି ଶର୍ମିଳା । ତେଣୁ ସେ ନିଜ ଝିଅଙ୍କ ବିବାହ ଅନ୍ୟତ୍ର କରିବାକୁ ସ୍ଥିର କରିଛନ୍ତି।

ଶର୍ମିଳା ଆହୁରି ଲେଖିଛନ୍ତି,  ଏହି ଘରେ ତାଙ୍କ ସ୍ୱର୍ଗତ ପିତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍. ରାଜଶେଖର ରେଡ୍ଡୀ ସମୟ ବିତାଇଥିଲେ ଏବଂ ତାଙ୍କ ଝିଅ ମଧ୍ୟ ଏହିଠାରେ ବଡ଼ ହୋଇଛି। ଝିଅ ଅଞ୍ଜଳିର ଇଚ୍ଛା ଥିଲା ସେ ଏହି ଘ​‌ରେ ବିବାହ କରିବେ । ସୂଚନାଯୋଗ୍ୟ ଯେ, ଅଞ୍ଜଳି ରେଡ୍ଡୀଙ୍କ ବିବାହ ଡାକ୍ତର ସୋମାଲା ରଘୁରାମ ରେଡ୍ଡୀଙ୍କ ସହ ନଭେମ୍ବର ୨୫ ରେ ସ୍ଥିର ହୋଇଛି । ଡିସେମ୍ବର ୫ ରେ ହାଇଦ୍ରାବାଦରେ ରିସେପ୍ସନ ପାର୍ଟି ଆୟୋଜନ କରାଯିବ।

ରାଜ୍ୟ କଂଗ୍ରେସ ସଭାପତି ଶର୍ମିଳା ଏବଂ ଭାଇ ଜଗନ ମୋହନ ରେଡ୍ଡୀଙ୍କ ମଧ୍ୟରେ ଚାଲିଥିବା ଏହି କଳିକୁ ରାଜନୈତିକ ପ୍ରସଙ୍ଗ କରିଛି ଶାସକ ଟିଡିପି । ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଜଗନ ରେଡ୍ଡୀଙ୍କୁ ‘କଂସ ମାମୁ’ ବୋଲି ମଧ୍ୟ କହିଥିଲେ । ତେବେ ଆନ୍ଧ୍ରପ୍ରଦେଶରେ ଏବେ ଭାଇ-ଭଉଣୀଙ୍କ କଳିକୁ ନେଇ ଶାସକ ଟିଡିପି ଏବଂ ବିରୋଧୀ YSRCP ମଧ୍ୟ​‌ରେ ରାଜନୈତିକ ବାକ୍‌ଯୁଦ୍ଧ ଆହୁରି ତୀବ୍ର ହୋଇଛି।