ତରଣତାରଣ: ଜମ୍ମୁ-କାଶ୍ମୀର-ରାଜସ୍ଥାନ ଜାତୀୟ ରାଜମାର୍ଗର ନୌସହରା ପନ୍ନୁଆଁ ନିକଟରେ ଶନିବାର ମୁଖ୍ୟମନ୍ତ୍ରୀ ତୀର୍ଥଯାତ୍ରା ସମ୍ପର୍କିତ ଦୁଇଟି ବସ୍ ମଧ୍ୟରେ ଦୁର୍ଘଟଣା ଘଟିଛି। ଫଳରେ ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୮ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ବସ୍ ଦୁଇଟି ଫିରୋଜପୁରରୁ ଅମୃତସର ଶ୍ରୀହରିମନ୍ଦିର ଶାହିବ ଦର୍ଶନ ପାଇଁ ଯାତ୍ରୀ ନେଇଯାଉଥିଲେ। ନୌସହରା ପନ୍ନୁଆଁ ନିକଟରେ ରୋଡ ଡିଭାଇଡର କଟରୁ ଏକ ବାଇକ୍ ପଶି ଆସିବାରୁ ଆଗରେ ଥିବା ତୀର୍ଥଯାତ୍ରୀ ବସ୍ ଟି ବ୍ରେକ୍ ଲଗାଇଥିଲା, ଫଳରେ ପଛରେ ଥିବା ମୁଖ୍ୟମନ୍ତ୍ରୀ ତୀର୍ଥଯାତ୍ରୀ ବସ୍ ଧକ୍କା ଦେଇଥିଲା।

ଏହି ଧକ୍କା ଏତେ ଜୋରଦାର ଥିଲା ଯେ ବିସ୍ଫୋରଣ ଭଳି ଶବ୍ଦ ହୋଇଥିଲା। ସଡ଼କ ସୁରକ୍ଷା ଫୋର୍ସ ଟିମ୍ ତୁରନ୍ତ ଦୁର୍ଘଟଣାସ୍ଥଳକୁ ପହଞ୍ଚିବା ସହ ମୃତାହତ ଯାତ୍ରୀଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲକୁ ପଠାଇଥିଲା। ସିଭିଲ ସର୍ଜନ ଡା. ସନ୍ଦୀପ ଧାବନ ଜରୁରିକାଳୀନ ପରିସ୍ଥିତି ଘୋଷଣା କରି ସବୁ ଆମ୍ବୁଲାନ୍ସକୁ ଦୁର୍ଘଟଣାସ୍ଥଳକୁ ପଠାଇଥିଲେ ଓ ଡାକ୍ତରମାନଙ୍କୁ ଏମାର୍ଜେନ୍ସୀ ୱାର୍ଡକୁ ଡକାଇଥିଲେ। ହସ୍ପିଟାଲରେ ଭର୍ତ୍ତି ଆହତ ଯାତ୍ରୀଙ୍କ ମଧ୍ୟରୁ ୧୦ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି।

ତୀର୍ଥଯାତ୍ରୀ ବସ୍ ମଧ୍ୟରେ ଦୁର୍ଘଟଣା ଏତେ ଜୋରଦାର ଥିଲା ଯେ ମୃତ ଯାତ୍ରୀଙ୍କ ଶରୀର ଖଣ୍ଡବିଖଣ୍ଡିତ ହୋଇଯାଇଛି। ଅନେକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଆହତ ଯାତ୍ରୀଙ୍କୁ ହସ୍ପିଟାଲ ଆଣିବା ବେଳେ ଆମ୍ବୁଲାନ୍ସ ଟ୍ରାଫିକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଏସଏସପି ସୁରେନ୍ଦ୍ର ଲାମ୍ବା ତୁରନ୍ତ ଟ୍ରାଫିକ ନିୟନ୍ତ୍ରଣ କରି ଆହତ ଯାତ୍ରୀଙ୍କୁ ସୁରକ୍ଷିତ ହସ୍ପିଟାଲ ପହଞ୍ଚାଇବା ରାସ୍ତାକୁ ଟ୍ରାଫିକ ମୁକ୍ତ କରିଥିଲେ। ଦୁର୍ଘଟଣାସ୍ଥଳକୁ ପୋଲିସ ପହଞ୍ଚିଥିବା ବେଳେ ଉଦ୍ଧାର ଅଭିଯାନ ଜାରି ରହିଛି।