ପାଟନା, ୧୪।୧୧ : କ୍ରିକେଟର ବିସ୍ମୟ ବାଳକ ବୈଭବ ସୂର୍ଯ୍ୟବଂଶୀ । ଛକା ଚଉକା ମାରିବାରେ ସେ ମାହିର । ଆଇପିଏଲଠୁ ଅନ୍ତର୍ଜାତୀୟ କ୍ରିକେଟ୍ ଯାଏଁ । ସବୁଠି ସେ ହିଟ୍ । ଏବେ କିନ୍ତୁ ସେ ନୂଆ ଇତିହାସ ରଚିଛନ୍ତି । ତାଙ୍କ ନାଁରେ ଯୋଡ଼ି ହୋଇଛି ଐତିହାସିକ ଉପଲବ୍ଧି । ସେ ମାତ୍ର ୧୫ ବର୍ଷ ୨୩୨ ଦିନରେ ପୁରୁଷ ଟି୨୦ କ୍ରିକେଟରେ ଅଧିନାୟକ ହେବାର ରେକର୍ଡ ପ୍ରତିଷ୍ଠା କରିଛନ୍ତି । ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ସେ ବିହାର ଦଳର ନେତୃତ୍ୱ ନେଇଛନ୍ତି ।

ଇନ୍ଦୋରର ହୋଲକର ଷ୍ଟାଡିୟମରେ ବିହାର ଏବଂ ସୌରାଷ୍ଟ୍ର ମଧ୍ୟରେ ମୁକାବିଲା ଖେଳାଯାଉଛି । ଜୟଦେବ ଉନାଦକଟଙ୍କ ନେତୃତ୍ୱରେ ସୌରାଷ୍ଟ୍ର ପ୍ରଥମେ ବୋଲିଂ କରୁଛି । ମ୍ୟାଚ ପାଇଁ ପଡିଆକୁ ଓହ୍ଲାଇବା ପରେ ବୈଭବ କ୍ରୋଏସିଆର ଜ୍ୟାକ୍ ବୁକୁସିକଙ୍କ ରେକର୍ଡ ଭାଙ୍ଗିଥିଲେ । ଜ୍ୟାକ୍ ୧୭ ବର୍ଷ ୩୧୧ ଦିନରେ ନିଜ ଜାତୀୟ ଟି୨୦ ଦଳର ନେତୃତ୍ୱ ନେଇଥିଲେ । ଏବେ ଏହି ରେକର୍ଡ ବୈଭବଙ୍କ ନାଁରେ ରହିଛି ।

Also Read :-୧୫ ବଲରେ ହାଫ୍ ସେଞ୍ଚୁରୀ : ଷ୍ଟାଡିୟମରେ ଛକା-ଚଉକା ବର୍ଷା କଲେ ସୂର୍ଯ୍ୟ କୁମାର ଯାଦବ

ମୁକାବିଲାରେ ପ୍ରଥମେ ବ୍ୟାଟିଂ କରିଥିଲା ବିହାର । କିନ୍ତୁ ଐତିହାସିକ ଉପଲବ୍ଧି ହାସଲ କରିଥିଲେ ବି ବୈଭବ ଫ୍ଲପ୍ ହୋଇଥିଲେ । ସେ ୧୨ ବଲରୁ ୧୮ ରନ୍ କରି ପ୍ୟାଭିଲିୟନ ଫେରିଥିଲେ । ଏହି ପାଳିରେ ସେ ଗୋଟିଏ ଚଉକା ଏବଂ ଗୋଟଏ ଛକା ଲଗାଇବାରେ ସଫଳ ହୋଇଥିଲେ । ତାଙ୍କ ଷ୍ଟ୍ରାଇକ୍ ରେଟ୍ ଥିଲା ୧୫୦ । କିନ୍ତୁ ଚେତନ ସକାରିୟାଙ୍କ ବଲରେ ସେ ଆଉଟ୍ ହୋଇଥିଲେ ।

ସୂଚନାଯୋଗ୍ୟ, ବିହାର କ୍ରିକେଟ୍ ବୋର୍ଡ ଗତ ଶୁକ୍ରବାର ୧୭ ଜଣିଆ ଟିମ୍ ଘୋଷଣା କରିଥିଲା । ଏଥିରେ ଆକ୍ରମକ ଓପନର ବୈଭବଙ୍କୁ ପ୍ରଥମ ଦୁଇଟି ମୁକାବିଲାରେ ଅଧିନାୟକ କରାଯାଇଛି । ଅନ୍ୟ ଦିଗରେ ସୂରଜ କଶ୍ୟପଙ୍କୁ ଉପ ଅଧିନାୟକ ଭାର ମିଳିଛି ।