ମୁମ୍ୱାଇ: ମହାରାଷ୍ଟ୍ର ନଗର ନିଗମ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା ମିଳିଛି । ଜାନୁଆରୀ ୧୫ରେ ହେବାକୁ ଥିବା ମହାନଗର ନିଗମ ନିର୍ବାଚନ ପୂର୍ବରୁ ମହାୟୁତି ୬୮ ଆସନରେ ନିର୍ବିରୋଧ ବିଜୟୀ ହୋଇଛି । ଏଥିରୁ ଏକାକୀ ବିଜେପିର ୪୪ ପ୍ରାର୍ଥୀ ଏବଂ ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଶିବସେନାର ୨୨ ଓ ଉପମୁଖ୍ୟମନ୍ତ୍ରୀ ଅଜିତ୍ ପାୱାରଙ୍କ ଦୁଇ ପ୍ରାର୍ଥୀ ଅଛନ୍ତି । ଅନ୍ୟପଟେ ରାଜ୍ୟ ନିର୍ବାଚନ ଆୟୋଗ (ଏସଇସି) ସେହି ସବୁ ନଗର ନିଗମକୁ ରିପୋର୍ଟ ମାଗିଛନ୍ତି, ଯେଉଁଠାରେ ଶାସକ ଦଳର ପ୍ରାର୍ଥୀ ନିର୍ବିରୋଧ ନିର୍ବାଚିତ ହୋଇଛନ୍ତି ।

ମହାରାଷ୍ଟ୍ରର ୨୯ ମହାନଗର ନିଗମରେ ଶୁକ୍ରବାର ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ଥିଲା । ବିଜେପିର ରାଜ୍ୟ ସଭାପତି କେଶବ ଉପାଧ୍ୟାୟ କହିଛନ୍ତି, ବିଜେପି ଓ ମହାୟୁତିର ୬୮ ପ୍ରାର୍ଥୀ ନିର୍ବିରୋଧ ନିର୍ବାଚିତ ହୋଇଛନ୍ତି । ଏହା ନଗର ନିଗମ ନିର୍ବାଚନରେ ପାର୍ଟିର ବଢୁଥିବା ଶକ୍ତି ଓ ଲୋକପ୍ରିୟତାକୁ ଦର୍ଶାଉଛି ।

କେଶବ ଉପାଧ୍ୟାୟ କହିଛନ୍ତି, ନିର୍ବିରୋଧ ନିର୍ବାଚିତ ପ୍ରାର୍ଥୀଙ୍କ ମଧ୍ୟରେ ୪୪ ଜଣ ବିଜେପିରୁ ଅଛନ୍ତି । ଏଥିରୁ ସର୍ବାଧିକ ୧୫ ଜଣ ଥାନେ ଜିଲ୍ଲାର କଲ୍ୟାଣ-ଡୋମ୍ୱିବଲି ମହାନଗର ନିଗମରୁ ଅଛନ୍ତି । ଏଠାରୁ ଶିବସେନାର ୬ ଜଣ ପ୍ରାର୍ଥୀ ନିର୍ବିରୋଧ ଜିତିଛନ୍ତି । ଏହାପରେ ପୁଣେ, ପିମ୍ପରୀ-ଚିଞ୍ଚୱଡ଼, ପନୱେଲ, ଧୂଲେ, ଜଲଗାଓଁ ଓ ଅହିଲ୍ୟାନଗର ଅଛି । ବହୁ ସଂଖ୍ୟାରେ ଶାସକ ଦଳ ପ୍ରାର୍ଥୀ ନିର୍ବିରୋଧ ଜିତିବା ପରେ ବିରୋଧୀ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ।

ଅନ୍ୟପଟେ, ନିର୍ବାଚନ ଆୟୋଗ ଏହି ଘଟଣାର ତଦନ୍ତ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି । ନିର୍ବିରୋଧ ନିର୍ବାଚିତ ପ୍ରାର୍ଥୀ ନାମାଙ୍କନ ପ୍ରତ୍ୟାହାର କରିବା ପାଇଁ ବିରୋଧୀ ପ୍ରାର୍ଥୀଙ୍କ ଉପରେ କୌଣସି ଚାପ ପକାଇଛନ୍ତି କିମ୍ୱା ପ୍ରଲୋଭନ ଦେଖାଇଛନ୍ତି କି ତାର ତଦନ୍ତ କରିବେ । ଉଲ୍ଲେଖଯୋଗ୍ୟ ଯେ ଡିସେମ୍ୱର ୨୯ରେ ମହାୟୁତି ଆଗାମୀ ବିଏମସି ନିର୍ବାଚନ ପାଇଁ ସିଟ୍ ଫର୍ମୁଲା ଫାଇନାଲ୍ କରିଥିଲା । ଏହା ଅନୁସାରେ ବିଜେପି ୧୩୭ ଓ ଶିବସେନା (ସିନ୍ଦେ ଗୋଷ୍ଠୀ) ୯୦ ଆସନରେ ନିର୍ବାଚନ ଲଢିବ ।