ମୁମ୍ବାଇ: ଏବେ ସେଲିବ୍ରିଟିଙ୍କ ପାଣି ବୋତଲର ଦାମ୍‌କୁ ନେଇ ବହୁତ ଚର୍ଚ୍ଚା।  କେଉଁ ତାରକା କେ​‌ତେ ଟଙ୍କାର ପାଣି ପିଉଛନ୍ତି, ତାକୁ ନେଇ ନାନା କଳ୍ପନା ଜଳ୍ପନା  । ଏହି ତାଲିକାରେ ହୁଏତ ସବୁଠୁ ଆଗରେ  ମୁକେଶ ଅମ୍ବାନୀଙ୍କ ପତ୍ନୀ ନୀତା ଅମ୍ବାନୀଙ୍କ ନାଁ ରହିଛି । ସେ ପିଉଥିବା ପାଣି ବୋତଲର ଦାମ ୫୦ ଲକ୍ଷ ଟଙ୍କା ବୋଲି ଚର୍ଚ୍ଚା ହେଉଛି । କିନ୍ତୁ ଏଥିରେ ସତ୍ୟତା କେତେ ? ସାଧାରଣ ଲୋକ ନଳକୂପ ପାଣି ପିଇ ସୁସ୍ଥ ରହିପାରୁଛନ୍ତି । ଏପରିକି ବହୁ ପୂର୍ବରୁ ଲୋକମାନେ ଗାଡ଼ିଆ-ପୋଖରୀର ପାଣି ପିଉଥିଲେ । ଏବେ ବି କେତେକ ଅଞ୍ଚଳରେ ଚୁଆ ପାଣି ଉପରେ ଭରସା କରୁଛନ୍ତି ଲୋକେ । ଏଭଳି ସ୍ଥିତିରେ ଏହି ଲକ୍ଷାଧିକ ଟଙ୍କର ପାଣିର ଚର୍ଚ୍ଚା କାହିଁକି ଏବଂ ଏହି ପାଣି ପିଇଲେ କଣ ହୁଏ ? 

ପାଣି ବୋତଲର ଦାମ୍‌ ୫୦ ଲକ୍ଷ
ଆକ୍ୱା ଡି କ୍ରିଷ୍ଟାଲୋ ନାମକ ଏକ ପାଣି ବୋତଲର ମୂଲ୍ୟ ପ୍ରାୟ ୪୫ ରୁ ୫୦ ଲକ୍ଷ ଟଙ୍କା । ଆଉ ଏହା ବିଶ୍ୱର ସବୁଠାରୁ ଦାମୀ ପାଣି ବୋତଲ । କିନ୍ତୁ ପ୍ରକୃତରେ କ’ଣ ନୀତା ଅମ୍ବାନୀ ଏହି ପାଣି ପିଅନ୍ତି ? ସାଧାରଣତଃ ଆମେ ବାହାରକୁ ଗଲେ ୧୦ କିମ୍ବା ୨୦ ଟଙ୍କାରେ ପାଣି ବୋତଲଟିଏ କିଣିଥାଉ। ବିଳାସପୂର୍ଣ୍ଣ ହୋଟେଲଗୁଡ଼ିକରେ ହୁଏତ ଏହାର ଦାମ ୧୦୦ ଟଙ୍କା ପର୍ଯ୍ୟନ୍ତ ହୋଇପାରେ। କିନ୍ତୁ ଏହି ବିଶେଷ ପାଣି ବୋତଲର ମୂଲ୍ୟ ପାଖାପାଖି ୬୦,୦୦୦ ଆମେରିକୀୟ ଡଲାର । ଭାରତୀୟ ମୁଦ୍ରାରେ ପ୍ରାୟ ୫୦ ଲକ୍ଷ ଟଙ୍କା ହେବ। ୨୦୧୦ ମସିହାରେ ଅନୁଷ୍ଠିତ ଏକ ନିଲାମୀରେ 'ଆକ୍ୱା ଡି କ୍ରିଷ୍ଟାଲୋ ଟ୍ରିବ୍ୟୁଟୋ ଆ ମୋଦିଗ୍ଲିଆନି'ର ଲିମିଟେଡ୍ ଏଡିସନ୍ ସୁନା ବୋତଲଟି ଏହି ରେକର୍ଡ ମୂଲ୍ୟରେ ବିକ୍ରି ହୋଇଥିଲା।

ଗୋଟିଏ ବୋତଲରେ ୩ ସ୍ଥାନର ପାଣି
ଏହି ପାଣି ବୋତଲର ମୂଲ୍ୟ ଏତେ ଅଧିକ ହେବାର କାରଣ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ଏହାର ପ୍ରସ୍ତୁତକାରୀମାନେ ତିନୋଟି ଭିନ୍ନ ଭିନ୍ନ ସ୍ଥାନରୁ ପାଣି ସଂଗ୍ରହ କରିଥାନ୍ତି। ଫିଜି ଏବଂ ଫ୍ରାନ୍ସର ପ୍ରାକୃତିକ ଝରଣା ପାଣି ସହିତ ଆଇସଲ୍ୟାଣ୍ଡର ଗ୍ଲେସିୟର ପାଣିକୁ ସଠିକ୍ ଭାବରେ ମିଶ୍ରଣ କରାଯାଏ। ଏହା ସହିତ ଏହି ପାଣିରେ ୫ ମିଲିଗ୍ରାମ୍ ଓଜନର ୨୪-କ୍ୟାରେଟ୍ ସୁନାର ଗୁଣ୍ଡ ବା ଗୋଲ୍ଡ ଫ୍ଲେକ୍ସ ମିଶାଯାଇଥାଏ। ବିଶିଷ୍ଟ କଳାକାର ଆମେଦିଓ ମୋଦିଗ୍ଲିଆନିଙ୍କ କଳାକୃତିରୁ ପ୍ରେରଣା ନେଇ ଏହି ବୋତଲର ଡିଜାଇନ୍ କରାଯାଇଛି। 

ସବୁଠାରୁ ବଡ଼ କଥା ହେଉଛି, ସମ୍ପୂର୍ଣ୍ଣ ବୋତଲଟିକୁ ୨୪-କ୍ୟାରେଟ୍ ସୁନାରେ ତିଆରି କରାଯାଇଛି। କମ୍ପାନୀର ଦାବି ଅନୁଯାୟୀ, ଏହି ପାଣିରେ ଉଚ୍ଚ ଆଲକାଲାଇନ୍ ସ୍ତର ରହିଛି । ଯାହା ତ୍ୱଚାକୁ ଉଜ୍ଜ୍ୱଳ ରଖିବା ସହ ଶରୀରକୁ ସମ୍ପୂର୍ଣ୍ଣ ହାଇଡ୍ରେଟେଡ୍ ରଖେ। ତେବେ ଗବେଷକମାନଙ୍କ ମତରେ, ଏହିସବୁ ଦାବି କେବଳ ବ୍ୟବସାୟିକ ପ୍ରଚାର ଛଡ଼ା ଆଉ କିଛି ନୁହେଁ। ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଏକ ଗୁଜବ ଜୋରସୋରରେ ଭାଇରାଲ ହେବାରେ ଲାଗିଛି।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ପତ୍ନୀ ନୀତା ଅମ୍ବାନୀ ପ୍ରତିଦିନ ଏହି ୫୦ ଲକ୍ଷ ଟଙ୍କାର ପାଣି ପିଉଥିବା ନେଇ ଲୋକେ ଦାବି କରୁଛନ୍ତି। କିନ୍ତୁ କିଛି ଇଣ୍ଟରନେଟ୍ ୟୁଜର କ୍ରିକେଟ୍ ମ୍ୟାଚ୍ ସମୟର ନୀତାଙ୍କ ସାଧାରଣ ଫଟୋଗୁଡ଼ିକୁ ଏଡିଟ୍ କରି ତାଙ୍କ ହାତରେ ଏହି ଆକ୍ୱା ଡି କ୍ରିଷ୍ଟାଲୋ ବୋତଲକୁ ଯୋଡ଼ି ଦେଇଛନ୍ତି। ନୀତା ଅମ୍ବାନୀ ଏହି ବିଶେଷ ପାଣି ପିଉଥିବାର କୌଣସି ପ୍ରମାଣ ନାହିଁ।

ପାଣି ଦାମୀ ନା ବୋତଲ ?
​​​​​​​ସେପଟେ ଏହି ବହୁ ଦାବି ପାଣି ବୋତଲ ସାଧାରଣ ଲୋକଙ୍କ ବ୍ୟବହାର ପାଇଁ ତିଆରି ହୋଇନାହିଁ। ଏହାକୁ କେବଳ ବିଳାସପୂର୍ଣ୍ଣ ଜୀବନଶୈଳୀ ପସନ୍ଦ କରୁଥିବା ଧନୀ ସଂଗ୍ରାହକମାନଙ୍କ ପାଇଁ ପ୍ରସ୍ତୁତ କରାଯାଇଛି। 'ଗିନିଜ୍ ୱାର୍ଲ୍ଡ ରେକର୍ଡସ' ମଧ୍ୟ ଏହାକୁ ବିଶ୍ୱର ସବୁଠାରୁ ଦାମୀ ପାଣି ବୋତଲ ଭାବେ ଆନୁଷ୍ଠାନିକ ମାନ୍ୟତା ଦେଇଛି। ତେବେ ବିଶ୍ବର ବିଭିନ୍ନ ସ୍ଥାନରୁ ସଂଗୃହୀତ ଜଳକୁ ସମାନୁପାତରେ ମିଶାଇ ଶରୀର ଉପଯୋଗୀ ଜଳ ପ୍ରସ୍ତୁତ କରାଯାଉଛି । ଏହି ଜଳ ଶରୀର ପାଇଁ ବେଶ ଉପଯୋଗୀ ବୋଲି କୁହାଯାଏ । କିନ୍ତୁ ଏହି ଜଳ ଯେତିକି ଦାମୀ ନୁହେଁ, ଏହାକୁ ଧାରଣ କରୁଥିବା ବୋତଲଟିର ଦାମ ଖୁବ ଅଧିକ ।