ଭୁବନେଶ୍ୱର : ବାୟୁ ପ୍ରଦୂଷଣ କେବଳ ଆମ ଫୁସଫୁସ୍ କି ଶ୍ୱାସକ୍ରିୟାକୁ ପ୍ରଭାବିତ କରିନଥାଏ, ଏହାର ସିଧା ପ୍ରଭାବ ଏବେ ଆମ ତ୍ୱଚା ବା ସ୍କିନ୍ ଉପରେ ମଧ୍ୟ ପଡିଥାଏ । ଧୂଳି, ଧୂଆଁ ଏବଂ ବିଷାକ୍ତ ପ୍ରଦୂଷିତ କଣିକା ଧୀରେ ଧୀରେ ତ୍ୱଚାର ସ୍ୱାସ୍ଥ୍ୟକୁ ନଷ୍ଟ କରୁଛି। ସ୍କିନ ଆଲର୍ଜି ଭଳି ସାଙ୍ଘାତିକ ରୋଗ ହୋଇପାରେ । କାହାର ସ୍କିନ୍ ଡ୍ରାଏ ହୋଇଯାଉଛି ତ ଆଉ କାହାର ମୁହଁରେ ବ୍ରଣ, ଦାଗ ଓ ଇନଫେକ୍ସନ ଭଳି ସମସ୍ୟା ଦେଖାଦିଏ । ଏପରିକି ତ୍ୱଚାରେ କମ ବୟସରୁ ବାର୍ଦ୍ଧକ୍ୟର ଲକ୍ଷଣ ମଧ୍ୟ ଦେଖାଦେଇପାରେ। ତେବେ ପ୍ରଦୂଷଣ କେମିତି ଆମ ସ୍କିନ୍କୁ କ୍ଷତି ପହଞ୍ଚାଉଛି ? କେଉଁମାନେ ଏଥିରୁ ଅଧିକ ପ୍ରଭାବିତ ହୋଇଥାନ୍ତି ? ଆଉ ଏଥିରୁ ତ୍ୱଚାକୁ କେମିତି ସୁରକ୍ଷିତ ରଖିବେ ? ଏସବୁ ବିଷୟରେ ଆସନ୍ତୁ ଜାଣିବା ।

ଦୈନଦିନ ଜୀବନରେ ବିଜି ସିଡ୍ୟୁଲ ଯୋଗୁଁ ଅନେକ ଲୋକ ନିଜ ସ୍କିନର ସଠିକ ଯତ୍ନ ନେଇପାରନ୍ତି ନାହିଁ । ଯାହା ପାଗଳାରେ ସକାଳୁ ଘରୁ ବାହାରିବା ମାତ୍ରେ ଚାରିଆଡ଼େ ଉଡୁଥିବା ଧୂଳି, ଧୂଆଁ ଆଉ ପ୍ରଦୂଷିତ ବାୟୁର କଣିକା ଆସି ସିଧା ସ୍କିନରେ ଚିପିକି ଯାଇଥାଏ । ଗାଡ଼ି ମୋଟରରୁ ବାହାରୁଥିବା ଧୂଆଁ, କଳକାରଖାନାର ପ୍ରଦୂଷଣ ଏବଂ ବାୟୁରେ ମିଶିଥିବା ସୂକ୍ଷ୍ମ କଣିକା ଆମ ଶରୀର ପାଇଁ ବିପଦ ସୃଷ୍ଟି କରିଥାଏ । ଏହି ପ୍ରଦୂଷିତ ବାୟୁର ସିଧାସଳଖ ସମ୍ପର୍କ ଆମ ତ୍ୱଚା ସହ ମଧ୍ୟ ରହିଛି। ବାୟୁରେ ଥିବା PM 2.5 ଭଳି ଅତି ସୂକ୍ଷ୍ମ ପ୍ରଦୂଷଣ କଣିକା ତ୍ୱଚାରେ ଜମା ହୋଇ ଅକ୍ସିଡେଟିଭ୍ ଷ୍ଟ୍ରେସ୍ ଓ ଜ୍ୱଳନ ସୃଷ୍ଟି କରିପାରେ। ଏହା ତ୍ୱଚାର ପ୍ରାକୃତିକ ସୁରକ୍ଷା କବଚ ବା ସ୍କିନ୍ ବ୍ୟାରିୟରକୁ ଦୁର୍ବଳ କରିଥାଏ । ଫଳରେ ଦେଖାଦିଏ ବିଭିନ୍ନ ପ୍ରକାର ସ୍କିନ ଆଲର୍ଜି । କେତେକଙ୍କ କ୍ଷେତ୍ରରେ ବ୍ରଣ ବା ଆକ୍ନେ ସମସ୍ୟା ବଢ଼ିପାରେ। ପୂର୍ବରୁ ଯେଉଁମାନଙ୍କର ତ୍ୱଚା ସମ୍ବେଦନଶୀଳ ରହିଛି, ସେମାନଙ୍କ ସମସ୍ୟା ଆହୁରି ବଢ଼ିବାର ଆଶଙ୍କା ରହିଥାଏ । କେବଳ ସେତିକି ନୁହେଁ, ଦୀର୍ଘ ସମୟ ଧରି ପ୍ରଦୂଷଣର ସଂସ୍ପର୍ଶରେ ରହିଲେ ତ୍ୱଚାରେ କଳାଦାଗ, ଅସମାନ ସ୍କିନ୍ ଟୋନ୍ ଏବଂ ମୁହଁରେ ରିଙ୍କଲସ ପଡ଼ିବା ଭଳି ଲକ୍ଷଣ ଦେଖାଦେଇପାରେ। ଅର୍ଥାତ୍ ପ୍ରଦୂଷଣ କେବଳ ଆମ ସ୍ୱାସ୍ଥ୍ୟ ନୁହେଁ, ଆମ ସୌନ୍ଦର୍ଯ୍ୟ ଉପରେ ମଧ୍ୟ ପ୍ରଭାବ ପକାଇପାରେ।

ବିଶେଷଜ୍ଞଙ୍କ ମତରେ, ବାୟୁ ପ୍ରଦୂଷଣରେ ଥିବା ଧୂଳିକଣା, ଧୂଆଁ ଏବଂ ହାନିକାରକ ରାସାୟନିକ ପଦାର୍ଥ ତ୍ୱଚାର ସ୍ୱାଭାବିକ ସୁରକ୍ଷା କ୍ଷମତାକୁ ପ୍ରଭାବିତ କରିଥାଏ। ଏହାଦ୍ୱାରା ତ୍ୱଚାରେ ଥିବା ଆର୍ଦ୍ରତା କମିବା ସହ ଚର୍ମ ଶୁଷ୍କ ହୋଇପାରେ। ତେଣୁ ପ୍ରଦୂଷଣ ଅଧିକ ଥିବା ସମୟରେ ତ୍ୱଚାର ଯତ୍ନ ନେବା ନିହାତି ଜରୁରୀ। ତେବେ ସମସ୍ତଙ୍କ ଉପରେ ପ୍ରଦୂଷଣର ପ୍ରଭାବ ସମାନ ପଡ଼ିନଥାଏ । ଯେଉଁମାନେ ଦୀର୍ଘ ସମୟ ଧରି ବାହାରେ କାମ କରୁଛନ୍ତି, ଟ୍ରାଫିକ୍ ଭିତରେ ଅଧିକ ସମୟ ବିତାଉଛନ୍ତି କିମ୍ବା ପ୍ରଦୂଷିତ ଅଞ୍ଚଳରେ ରହୁଛନ୍ତି, ସେମାନେ ଅଧିକ ସତର୍କ ରହିବା ଆବଶ୍ୟକ। ତେଣୁ କେବଳ ସୌନ୍ଦର୍ଯ୍ୟ ପାଇଁ ନୁହେଁ, ସୁସ୍ଥ ତ୍ୱଚା ପାଇଁ ମଧ୍ୟ ନିୟମିତ ସ୍କିନ୍ କେୟାର୍ ଜରୁରୀ। ବାହାରକୁ ଯିବା ପୂର୍ବରୁ ଓ ପରେ ଆସି ଭଲରେ ମୁହଁକୁ କ୍ଳୀଞ୍ଜରରେ ୱାସ କରନ୍ତୁ । ଭଲ ସନସ୍କ୍ରିନ ଲଗାଇ ବାହାରକୁ ବାହାରନ୍ତୁ । ନିୟମିତ ରାତିରେ ଭଲରେ ମୁହଁ ଧୋଇ ସ୍କିନ କେୟାର ରୁଟିନ ଫଲୋ କରନ୍ତୁ | ଦେଖିବେ ମୁହଁ ଓ ତ୍ୱଚା ଉଭୟ ସୁରକ୍ଷିତ ରହିବ ଏବଂ ଅଧିକ ସ୍ୱଚ୍ଛ ଦେଖାଯିବ ।