ପୁରୀ: ଶେଷ ହେଲା ୧୯ ତମ ଦିନର ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି କାର୍ଯ୍ୟ। ୧୯ ତମ ଦିନରେ ପ୍ରାୟ ୬ ଘଣ୍ଟା ୪୯ ମିନିଟର ଗଣତି କାର୍ଯ୍ୟ ଶେଷ ହୋଇଛି । ଶୁକ୍ରବାର ପୂର୍ବାହ୍ଣ ୧୧ଟା ୮ମିନିଟରୁ ଆରମ୍ଭ ହୋଇଥିଲା ଗଣତି କାର୍ଯ୍ୟ। ଏପର୍ଯ୍ୟନ୍ତ ୧୯ ଦିନରେ ସର୍ବମୋଟ ୧୦୩ ଘଣ୍ଟା ୫୦ ମିନିଟର ଗଣତି ଶେଷ ହୋଇଛି। ତେବେ ନୀତିକାନ୍ତିକୁ ନଜରରେ ରଖି ପୁଣି ଗଣତି କାର୍ଯ୍ୟ ସ୍ଥଗିତ ରଖାଯାଇଛି। ଡିସେମ୍ବର ୧୦ ପରେ ପୁନର୍ବାର ଗଣତି କାର୍ଯ୍ୟ ଆରମ୍ଭ ହେବାନେଇ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

ତେବେ ବାହାର ଭଣ୍ଡାର ତାଲା କଳଙ୍କି ଲାଗିଥିବାରୁ ତାକୁ ପରିବର୍ତ୍ତନ କରାଯାଇଛି । ଦୁଇଟି ତାଲା ବଦଳାଇ ନୂଆ ପିତ୍ତଳ ତାଲା ଲଗାଯାଇଛି। ରତ୍ନଭଣ୍ଡାର ଉଚ୍ଚସ୍ତରୀୟ କମିଟିର ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥ, ଜିଲ୍ଲାପାଳ, ଛତିଶା ନିଯୋଗ ନାୟକ, ପରିଚାଳନା କମିଟି ସଦସ୍ୟ ଏବଂ ଭଣ୍ଡାର ମେକାପ ସେବକଙ୍କ ଉପସ୍ଥିତିରେ ରାଜ୍ୟ ସରକାରଙ୍କ ଅନୁମୋଦିତ ଏସ୍ଓପି ଅନୁଯାୟୀ ଏହି ଗଣତି କାର୍ଯ୍ୟ ନିର୍ଭୁଲ ଏବଂ ସମର୍ପିତ ଭାବେ ସମ୍ପନ୍ନ କରା ଯାଇଛି ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।

ରତ୍ନଭଣ୍ଡାରରୁ ବାହାର କରାଯାଉଥିବା ସ୍ୱର୍ଣ୍ଣ ଅଳଙ୍କାର ତଥା ହୀରା, ନୀଳା, ମୋତି ଓ ମାଣିକ୍ୟ ଖଚିତ ମୂଲ୍ୟବାନ ସାମଗ୍ରୀଗୁଡ଼ିକୁ ରତ୍ନ ବିଶାରଦମାନେ ଚିହ୍ନଟ କରିବା ସହ ସେଗୁଡ଼ିକର ଓଜନ ମପାଯାଉଛି। ଏହା ସହିତ ପ୍ରତ୍ୟେକ ଅଳଙ୍କାରର ଫଟୋଗ୍ରାଫି, ଭିଡିଓଗ୍ରାଫି ଏବଂ 3D ମ୍ୟାପିଂ କରାଯାଇ ପ୍ୟାକିଂ ପରେ ସିନ୍ଦୁକରେ ସୁରକ୍ଷିତ ରଖାଯାଉଛି। ବର୍ତ୍ତମାନ ପର୍ଯ୍ୟନ୍ତ କରାଯାଇଥିବା ଗଣତିରେ, ୧୯୭୮ ମସିହାର ତାଲିକା ସହିତ ବର୍ତ୍ତମାନର ୨୦୨୬ ତାଲିକା ସମ୍ପୂର୍ଣ୍ଣ ଭାବେ ମେଳ ଖାଉଥିବା କମିଟି ପକ୍ଷରୁ ସ୍ପଷ୍ଟ କରାଯାଇଛି। ଗଣତି ପରେ ଭିତର ରତ୍ନଭଣ୍ଡାରକୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜଉମୁଦ ସିଲ୍ କରାଯାଇ ଚାବି ଟ୍ରେଜେରୀରେ ଜମା ଦିଆଯାଇଛି।

Also Read: ଛୋଟ ରତ୍ନପଥରରୁ ବଡ଼ ଅଳଙ୍କାର, ରତ୍ନଭଣ୍ଡାରର ପ୍ରତ୍ୟେକ ସମ୍ପତ୍ତିର ହେବ ହିସାବ

ଅନ୍ୟପଟେ, ବାହାର ରତ୍ନଭଣ୍ଡାରର କାଠ କବାଟରେ ଥିବା ଏକ ପୁରୁଣା ତାଲା ଖରାପ ହୋଇଯାଇଥିବାରୁ ଆଜି ସେଠାରେ ଦୁଇଟି ନୂତନ ପିତ୍ତଳ ତାଲା ଲଗାଯାଇ ତାହାର ଚାବି ସେବକମାନଙ୍କୁ ହସ୍ତାନ୍ତର କରାଯାଇଛି। ଆଗକୁ ପ୍ରଶାସନିକ କାର୍ଯ୍ୟକ୍ରମ ଏବଂ ଡିସେମ୍ବର ୯ ଓ ୧୦ ତାରିଖରେ ପବିତ୍ର ଦେବଦୀପାବଳି ପର୍ବ ପଡ଼ୁଥିବାରୁ ରତ୍ନଭଣ୍ଡାର ଗଣତି କାର୍ଯ୍ୟକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। ଡିସେମ୍ବର ୧୦ ତାରିଖ ପରେ ସେବକ ଏବଂ ପ୍ରଶାସନ ସହ ଆଲୋଚନା କରାଯାଇ ପରବର୍ତ୍ତୀ ଗଣତି ତାରିଖ ଘୋଷଣା କରାଯିବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।