ନୂଆଦିଲ୍ଲୀ, ୨୭।୧୧: ଭାରତୀୟ ଓପନର ଯଶସ୍ୱୀ ଜୟସ୍ୱାଲ ଟେଷ୍ଟ୍ କ୍ରିକେଟରେ ଏକ ଖାସ୍ ଉପଲବ୍ଧି ହାସଲ କରିଛନ୍ତି । ସେ ତାଙ୍କ କ୍ୟାରିଅରର ପ୍ରଥମ ୩୩ଟି ଟେଷ୍ଟ୍ ବିଶ୍ୱର ଭିନ୍ନ ଭିନ୍ନ ପଡିଆରେ ଖେଳିଥିବା ଦ୍ୱିତୀୟ ବ୍ୟାଟର ହୋଇଛନ୍ତି । ତାଙ୍କ ପୂର୍ବରୁ ଏହି କାରନାମା ସଞ୍ଜୟ ମାଞ୍ଜେରକର କରିଥିଲେ । ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ପଡିଆକୁ ଓହ୍ଲାଇବା ପରେ ଯଶସ୍ୱୀ ଏହି କୀର୍ତ୍ତିମାନ ହାସଲ କରିଥିଲେ ।

୨୦୨୩ରେ ପଦାର୍ପଣ କରିଥିବା ଯଶସ୍ୱୀ ମହାନ ବ୍ୟାଟସମ୍ୟାନ୍ ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇ ଦେଇଛନ୍ତି । ସଚିନ ନିଜର ପ୍ରଥମ ୩୨ଟି ଟେଷ୍ଟ୍ ଭିନ୍ନ ଭିନ୍ନ ପଡିଆରେ ଖେଳିଥିଲେ । ସେହିପରି ପୂର୍ବତନ ଖେଳାଳି ଜାଭାଗଲ ଶ୍ରୀନାଥ ଏବଂ ଓ୍ୱେଷ୍ଟ୍ ଇଣ୍ଡିଜର ଦିନେଶ ରାମଦୀନ ନିଜର ପ୍ରଥମ ୨୪ ଟେଷ୍ଟ୍ ବିଶ୍ୱର ଭିନ୍ନ ଭିନ୍ନ ସ୍ଥାନରେ ଖେଳିଥିଲେ ।

Also Read :- '୧୯୭୧ ମୁକ୍ତି ସଂଗ୍ରାମରେ ଭାରତ କିଛି ସାହାଯ୍ୟ କରିନି' : ପାକିସ୍ତାନ ମାଟିରୁ ଟାର୍ଗେଟ୍ କଲେ ବାଂଲାଦେଶ ବାଚସ୍ପତି

ଜୟସ୍ୱାଲ ଏବେସୁଦ୍ଧା ୭ଟି ଟିମ୍ ବିପକ୍ଷରେ ଟେଷ୍ଟ୍ କ୍ରିକେଟ୍ ଖେଳିଛନ୍ତି । ସେ ଇଂଲଣ୍ଡ ବିପକ୍ଷରେ ୧୦ଟି, ନ୍ୟୁଜିଲାଣ୍ଡ ଏବଂ ଅଷ୍ଟ୍ରେଲିଆ ବିପକ୍ଷରେ ୫ଟି, ଓ୍ୱେଷ୍ଟ୍ ଇଣ୍ଡିଜ-ଦକ୍ଷିଣ ଆଫ୍ରିକା ବିପକ୍ଷରେ ୪ଟି, ବାଂଲାଦେଶ-ଶ୍ରୀଲଙ୍କା ବିପକ୍ଷରେ ଦୁଇଟି ଲେଖାଏଁ ଏବଂ ଆଫାଗାନିସ୍ତାନ ବିପକ୍ଷରେ ଗୋଟିଏ ମ୍ୟାଚ୍ ଖେଳି ରେକର୍ଡ ସ୍ଥାପନ କରିଛନ୍ତି ।

ସେ ୨୦୨୭ରେ ଅଷ୍ଟ୍ରେଲିଆ ବିପକ୍ଷରେ ବର୍ଡର ଗାଭାସ୍କର ଟ୍ରଫି ଖେଳିବେ । ଏହି ସିରିଜରେ ସେ ୩୪ଟି ଭିନ୍ନ ଭିନ୍ନ ଭେନ୍ୟୁରେ ମ୍ୟାଚ୍ ଖେଳିବାର ରେକର୍ଡ କରିବେ । ନାଗପୁରରେ ପ୍ରଥମ ମୁକାବିଲା ଖେଳାଯିବ । ଯାହା ଜାନୁଆରୀ ୨୧ରୁ ଆରମ୍ଭ ହେବ । ଏହାଦ୍ୱାରା ଯଶସ୍ୱୀଙ୍କ ଏହି ତାଲିକା ୩୪ରେ ପହଁଚିଯିବ । ତେବେ ଏହା ପରେ ତାଙ୍କର କ୍ରମ ଭାଙ୍ଗିପାରେ । କାରଣ ସେ ଚେନ୍ନାଇ, ଗୌହାଟୀ, ରାଞ୍ଚୀ ଏବଂ ଅହମ୍ମଦାବାଦରେ ମ୍ୟାଚ୍ ଖେଳିବେ । ଏହି ସବୁ ଷ୍ଟାଡିୟମରେ ସେ ପୂର୍ବରୁ ଖେଳି ସାରିଛନ୍ତି ।