ନୂଆଦିଲ୍ଲୀ, ୨୭।୧୧: ମହମ୍ମଦ ସିରାଜ ପୁଣି ନିରାଶ । ନ୍ୟୁଜିଲାଣ୍ଡ ବିପକ୍ଷ ଖ୍ରୀଷ୍ଟଚର୍ଚ୍ଚ ଟେଷ୍ଟରେ ମହମ୍ମଦ ସିରାଜଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିନାହିଁ । ପ୍ଲେଇଂ ଇଲେଭେନରୁ ବାଦ୍ ପଡିବା ପରେ ତାଙ୍କ ନାଁରେ ଏକ ଅଲୋଡା ରେକର୍ଡ ପ୍ରତିଷ୍ଠା ହୋଇଛି । ୨୦୨୦ରେ ସେ ଟେଷ୍ଟ୍ ଡେବ୍ୟୁ କରିଥିଲେ । ଏହା ପ୍ରଥମ ଥର ପାଇଁ ହୋଇଛି କି ସେ କୌଣସି ବିଦେଶ ଗସ୍ତରେ ଗୋଟିଏ ହେଲେ ଟେଷ୍ଟ୍ ଖେଳି ନାହାଁନ୍ତି ।ଏହାପୂର୍ବରୁ ସେ ସମସ୍ତ ବିଦେଶୀ ଟେଷ୍ଟ୍ ସିରିଜରେ ପ୍ଲେଇଂ ଇଲେଭେନର ଅଂଶବିଶେଷ ଥିଲେ ।

ବର୍ତ୍ତମାନ ଚାଲିଥିବା ବିଶ୍ୱ ଟେଷ୍ଟ୍ ଚାମ୍ପିଅନସିପରେ ସିରାଜଙ୍କ ପ୍ରଦର୍ଶନ ଦମଦାର ରହିଛି । ସେ ୧୧ଟି ମୁକାବିଲାରେ ୪୩ ଓ୍ୱିକେଟ୍ ଅକ୍ତିଆର କରିଛନ୍ତି । ଏହା ସତ୍ତ୍ୱେ ଦଳର ମ୍ୟାନେଜମେଣ୍ଟ ତାଙ୍କୁ ଲଗାତାର ଦ୍ୱିତୀୟ ଟେଷ୍ଟରେ ବାହାରେ ବସାଇବାକୁ ନିଷ୍ପତ୍ତି ନେଇଛି । ଓ୍ୱେଲିଂଟନ ମ୍ୟାଚରେ ମଧ୍ୟ ସେ ସୁଯୋଗ ପାଇନଥିଲେ । ଏହି ମ୍ୟାଚର ଦ୍ୱିତୀୟ ଇନିଂସରେ ଭାରତୀୟ ବୋଲର ମାତ୍ର ୫ଟି ଓ୍ୱିକେଟ୍ ନେଇଥିଲେ । ଫଳରେ ନିଶ୍ଚିତ ବିଜୟ ହାତଛଡା ହୋଇଥିଲା ।

ସିରାଜଙ୍କ ଜାଗାରେ ଦ୍ୱିତୀୟ ଟେଷ୍ଟରେ ଗୁରନୁର ବ୍ରାରଙ୍କୁ ସାମିଲ କରାଯାଇଛି । ତାଙ୍କୁ ପ୍ରସିଦ୍ଧ କ୍ରିଷ୍ଣାଙ୍କ ସ୍ଥାନରେ ଦଳରେ ନିଆଯାଇଛି । ଏହା ତାଙ୍କର ପଦାର୍ପଣ ମ୍ୟାଚ୍ ଅଟେ । ଏଥିରେ ସେ ସକାଳ ୯ଟା ସୁଦ୍ଧା ଗୋଟିଏ ଓ୍ୱିକେଟ୍ ମଧ୍ୟ ନେଇଛନ୍ତି । ଡେବନ କନଓ୍ୱେ ଟେଷ୍ଟରେ ତାଙ୍କର ପ୍ରଥମ ଶିକାର ପାଲଟିଛନ୍ତି ।

Also Read :-ଖରାପ ବୋଲିଂ, ଧରିପାରିଲେନି କ୍ୟାଚ୍, ନେଇପାରିଲେନି ଓ୍ୱିକେଟ୍ : ଶ୍ରୀଲଙ୍କା ବ୍ୟାଟିଂ ଆଗରେ ହାର୍ ମାନିଲେ ଭାରତୀୟ ବୋଲର

ଅନ୍ୟ ଦିଗରେ ଜସପ୍ରିତ ବୁମରା, ଆକାଶ ଦୀପ ଏବଂ ଅଂଶୁଲ କମ୍ବୋଜ ପେସ୍ ଆଟାକ୍ ସମ୍ଭାଳୁଛନ୍ତି । ଓ୍ୱାଶିଂଟନ ସୁନ୍ଦରଙ୍କୁ ପୁଣି ଥରେ ସୁଯୋଗ ମିଳିଛି । ରବୀନ୍ଦ୍ର ଜାଡେଜାଙ୍କୁ ମଧ୍ୟ ଲଗାତାର ଦ୍ୱିତୀୟ ଟେଷ୍ଟରେ ବାହାରେ ବସିବାକୁ ପଡିଛି ।