ନୂଆଦିଲ୍ଲୀ: ଟ୍ରାଫିକ ନିୟମ ଭାଙ୍ଗିଲେ କେବଳ ଫାଇନ ଭରିଦେଲେ ଚଳିବନି, ଏହାର ପ୍ରଭାବ ଆପଣଙ୍କ ଗାଡ଼ି ଇନ୍ସୁରାନ୍ସ ଉପରେ ବି ପଡ଼ିପାରେ। ଆପଣଙ୍କର ଗାଡ଼ି ଇନ୍ସୁରାନ୍ସ ମହଙ୍ଗା ହୋଇପାରେ। ଖୁବଶୀଘ୍ର ଏଭଳି ଏକ ନିୟମ ଆଣିପାରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟ। କାରଣ ମୋଟର ବୀମା ପ୍ରିମିୟମକୁ ଆପଣଙ୍କର ବର୍ଷେ ତଳରେ ପୁରୁଣା ଟ୍ରାଫିକ୍ ଚାଲାଣ ରେକର୍ଡ ସହ ଯୋଡ଼ିବାକୁ ବିଚାର କରାଯାଉଛି।

କେବଳ ସେତିକି ନୁହେଁ, 'ନୋ ଇନସୁରାନ୍ସ,ନୋ ଫ୍ୟୁଲ' ଭଳି ପାଇଲଟ୍ ପ୍ରୋଜେକ୍ଟ ଉପରେ ବି କାମ ଚାଲିଛି। ଅର୍ଥାତ୍ ଇନ୍ସୁରାନ୍ସ ନଥିଲେ ପେଟ୍ରୋଲ ପମ୍ପରେ ଆଉ ତେଲ ମିଳି ନପାରେ। ତେଣୁ ଆଗକୁ ସଡ଼କ ନିୟମ ପୂରା କଡ଼ାକଡ଼ି ହୋଇଯିବ। ବାରମ୍ବାର ରୁଲ୍ ଭାଙ୍ଗୁଥିବା ଅମାନିଆଙ୍କ ପକେଟରୁ ଟଙ୍କା ଗଲେ ହିଁ ଚେତା ପଶିବ।

କାର ହେଉ କିମ୍ବା ବାଇକ ଟ୍ରାଫିକ୍ ନିୟମ ଉଲ୍ଲଂଘନ କଲେ ସମସ୍ତଙ୍କୁ ଗାଡ଼ି ପାଇଁ ମହଙ୍ଗା ବୀମା କରିବାକୁ ପଡିବ। ବୀମା ନଥିଲେ ପେଟ୍ରୋଲ ପମ୍ପରେ ତେଲ ମିଳିବା ମଧ୍ୟ କଷ୍ଟକର ହୋଇପଡିବ। ଦେଶରେ ଅଧିକରୁ ଅଧିକ ଗାଡ଼ିକୁ ବୀମାଭୁକ୍ତ କରିବା ଏବଂ ଟ୍ରାଫିକ୍ ନିୟମର ସଠିକ ପାଳନ କରିବା ଲକ୍ଷ୍ୟରେ ସରକାର ଏହି ପଦକ୍ଷେପ ନେବାକୁ ବିଚାର କରୁଛନ୍ତି। ଏହା ଲାଗୁ ହେଲେ ବୀମା କରିବାର ନିୟମରେ ମଧ୍ୟ ପରିବର୍ତ୍ତନ ଆସିପାରେ। ତେବେ ଏନେଇ ସ୍ଥିତି ସ୍ପଷ୍ଟ ନାହିଁ। ନିୟମ କେବେ ଲାଗୁ ହେବ ? ଏଥିରେ କେଉଁ ଫର୍ମୁଲା ଲାଗୁ କରାଯିବ ସେ ନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ। ତେବେ ବିଶେଷ ସୂତ୍ରରୁ ଖବର ନେଇ ଟାଇମ୍ସ ଅଫ୍ ଇଣ୍ଡିଆ ଏହି ଖବର ପ୍ରକାଶ କରିବା ପରେ ବିଭିନ୍ନ ମିଡିଆରେ ଖବର ପ୍ରକାଶ ପାଇଛି।

ଏବେ ଇନ୍ସୁରାନ୍ସ ପ୍ରିମିୟମ କେମିତି ନିର୍ଦ୍ଧାରିତ ହେଉଛି ନୂଆ ନିୟମରେ କେମିତି ହେବ ?

ବର୍ତ୍ତମାନ ବ୍ୟବସ୍ଥାର ଟ୍ରାଫିକ ଚାଲାଣ ଓ ମୋଟର ଇନ୍ସୁରାନ୍ସ ଦୁଇଟି ଅଲଗା କଥା। ଟ୍ରାଫିକ ନିୟମ ଭାଙ୍ଗିଲେ ଟ୍ରାଫିକ ଆଇନ ଅନୁସାରେ ଜରିମାନ ଲାଗୁଛି, ଚାଲାଣ କଟାଯାଉଛି। ସେହିପରି ବୀମା କମ୍ପାନୀଗୁଡ଼ିକ ନିଜ ନିଜର ରିସ୍କ ଆସେସମେଣ୍ଟ ଆଧାରରେ ପ୍ରିମିୟମ ନିର୍ଦ୍ଧାରିତ କରୁଛନ୍ତି।

ବର୍ତ୍ତମାନ, ଓନ ଡ୍ୟାମେଜ୍ ପଲିସିରେ କ୍ଲେମ ନେଲେ ନୋ-କ୍ଲେମ୍ ବୋନସ୍ (NCB)କୁ ପ୍ରଭାବିତ ହୋଇଥାଏ। କିନ୍ତୁ ଟ୍ରାଫିକ୍ ଜରିମାନା ଉପରେ ଏହାର ପ୍ରଭାବ ପଡ଼େ ନାହିଁ। ହେଲେ ନୂଆ ସିଷ୍ଟମରେ ଡ୍ରାଇଭିଂ ଓ ଚାଲାଣ ହିଷ୍ଟ୍ରିକୁ ପ୍ରିମିୟମ୍ କାଲକୁଲେସନ ସହିତ ଯୋଡାଯିବ। ବିପଦପୂର୍ଣ୍ଣ ଡ୍ରାଇଭିଂ କରୁଥିବା ବ୍ୟକ୍ତିମାନଙ୍କୁ ନିୟମ ମାନୁଥିବା ଡ୍ରାଇଭର ଭଳି ସମାନ ପ୍ରିମିୟମ୍ ଦେବାକୁ ନ ପଡ଼ୁ ଏହା ସୁନିଶ୍ଚିତ କରିବା ଏହାର ଲକ୍ଷ୍ୟ।

Also Read- ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ ପୂର୍ବତନ ପ୍ରଧାନ ବିଚାରପତି, କଲେଜିୟମ ବ୍ୟବସ୍ଥା ଉପରେ ଉଠାଇଲେ ପ୍ରଶ୍ନ

ଅର୍ଥାତ୍, ଯେଉଁ ଗାଡ଼ି ଚାଳକ ବାରମ୍ବାର ଟ୍ରାଫିକ୍ ନିୟମ ଭାଙ୍ଗୁଛନ୍ତି, ସେମାନଙ୍କୁ ଅଧିକ ବୀମା ପ୍ରିମିୟମ୍ ଦେବାକୁ ପଡ଼ିପାରେ। ପୂର୍ବ ବର୍ଷରେ କରିଥିବା ଟ୍ରାଫିକ୍ ଅପରାଧ ଆଧାରରେ ବୀମା ଦର ନିର୍ଦ୍ଧାରଣ କରାଯାଇପାରେ। ଏହାଦ୍ୱାରା ଚାଳକମାନେ ଟ୍ରାଫିକ୍ ନିୟମ ମାନିବାକୁ ଅଧିକ ସଚେତନ ହେବେ ବୋଲି ଆଶା କରାଯାଉଛି। ତେବେ କେଉଁ ନିୟମ ଭାଙ୍ଗିଲେ କେତେ ଅଧିକ ପ୍ରିମିୟମ୍ ଦେବାକୁ ପଡ଼ିବ, ତାହା ଏପର୍ଯ୍ୟନ୍ତ ଚୂଡ଼ାନ୍ତ ହୋଇନାହିଁ।

ଚାଲାଣ ସହିତ ଇନ୍ସୁରାନ୍ସ ଯୋଡ଼ିବା ପ୍ରସ୍ତାବ ନୂଆ ନୁହେଁ। ଏହା ପୂର୍ବରୁ ବୀମା ନିୟମକ IRDAI ପକ୍ଷରୁ ଗଠନ କରାଯାଇଥିବା ଏକ ୱାର୍କିଂ ଗ୍ରୁପ ୨୦୨୧ରେ ଟ୍ରାଫି ନିୟମ ଭାଓଲେସନ ପ୍ରିମିୟମର ପ୍ରସ୍ତାବ ଦେଇଥିଲା। ଏଥିପାଇଁ ପଏଣ୍ଟ ଆଧାରିତ ସିଷ୍ଟମର ସୁପାରିଶ ବି କରିଥିଲା। ଏବେ ଏହି ପୁରଣା କନସେପ୍ଟକୁ ନେଇ ପୁଣି ଆଲୋଚନା ଆରମ୍ଭ ହୋଇଯାଇଛି।

କାର୍ ପାଇଁ ୪ ବର୍ଷ, ବାଇକ୍ ପାଇଁ ୬ ବର୍ଷର ବୀମା!

ଗାଡ଼ି ବୀମାକୁ ନେଇ ଆଉ ଏକ ବଡ଼ ପ୍ରସ୍ତାବ ଉପରେ ସରକାର ବିଚାର କରୁଛନ୍ତି। ଏଣିକି ଦୀର୍ଘ ଅବଧି ପାଇଁ ଗୋଟିଏ ଥର ପ୍ରିମିୟମ୍ ଦେଇ ବୀମା କରିବାର ସୁଯୋଗ ମିଳିପାରେ। ପ୍ରସ୍ତାବ ଅନୁଯାୟୀ କାର୍ ପାଇଁ ୪ ବର୍ଷର ବୀମା ପଲିସି, ଦୁଇଚକିଆ ଯାନ ପାଇଁ ୬ ବର୍ଷର ବୀମା ପଲିସି ଲାଗୁ ହୋଇପାରେ।

ଏହା ଲାଗୁ ହେଲେ ପ୍ରତିବର୍ଷ ବୀମା ନବୀକରଣ କରିବାର ଚିନ୍ତା କମିପାରେ। ଏହାସହିତ ଇଲେକ୍ଟ୍ରିକ୍ ଗାଡ଼ି ସମେତ କିଛି ନିର୍ଦ୍ଦିଷ୍ଟ ଗାଡ଼ି ବର୍ଗର ବେସ୍ ପ୍ରିମିୟମ୍ ଦରରେ ପରିବର୍ତ୍ତନ ନେଇ ମଧ୍ୟ ଆଲୋଚନା ଜାରି ରହିଛି ବୋଲି ରିପୋର୍ଟରେ କୁହାଯାଇଛି।

ବୀମା ନଥିଲେ ପେଟ୍ରୋଲ ପମ୍ପରେ ତେଲ ନ ଦେବା ଯୋଜନାକୁ ପ୍ରଥମେ ପାଇଲଟ ପ୍ରକଳ୍ପ ଭାବେ ପରୀକ୍ଷଣ କରାଯିବ। ସୁପ୍ରିମକୋର୍ଟର ସଡ଼କ ସୁରକ୍ଷା କମିଟି ସଡ଼କ ପରିବହନ ଏବଂ ପେଟ୍ରୋଲିୟମ୍ ମନ୍ତ୍ରଣାଳୟକୁ ଏହି 'ନୋ ଇନ୍ସୁରାନ୍ସ, ନୋ ଫ୍ୟୁଏଲ୍' ବ୍ୟବସ୍ଥାର ପରୀକ୍ଷାମୂଳକ ପ୍ରୟୋଗ କରିବାକୁ କହିଛି। ପ୍ରଥମ ପର୍ଯ୍ୟାୟରେ ହରିୟାଣା ଓ ଉତ୍ତରପ୍ରଦେଶର ୫ଟି ଲେଖାଏ ପେଟ୍ରୋଲ ପମ୍ପରେ ଏହାର ପରୀକ୍ଷଣ କରାଯାଇପାରେ ବୋଲି ଶୁଣିବାକୁ ମିଳୁଛି।

ଏଥିପାଇଁ ପେଟ୍ରୋଲ ପମ୍ପରେ ଅଟୋମେଟେଡ୍ ନମ୍ବର ପ୍ଲେଟ୍ ରେକଗ୍ନିସନ୍ (ANPR) କ୍ୟାମେରା ଲଗାଯିବ। ଏହି କ୍ୟାମେରା ଗାଡ଼ିର ନମ୍ବର ପ୍ଲେଟ୍ ସ୍କାନ୍ କରି ବୀମାର ବୈଧତା ଯାଞ୍ଚ କରିବାରେ ସହାୟକ ହେବ। ଯଦି ଏହି ଯୋଜନା ସଫଳ ହୁଏ, ତେବେ ଦେଶର ଅନ୍ୟ ଅଞ୍ଚଳରେ ମଧ୍ୟ ଏହା ଲାଗୁ ହୋଇପାରେ।