ନୂଆଦିଲ୍ଲୀ: ମସ୍କୋରେ ରୁଷ୍‌ ରାଷ୍ଟ୍ରପତିଙ୍କ ସହ ସେଲଫି ନେଇ ଚର୍ଚ୍ଚାକୁ ଆସିଛନ୍ତି କେରଳର  ୧୭ ବର୍ଷର କିଶୋର ରାଉଲ ଜନ ଅଜୁ । ଜଣେ ୧୭ ବର୍ଷର ବାଳକ ସହ ପୁଟିନ ହସି ହସି ସେଲଫି ନେବା ଘଟଣା ଏବେ ଭାରତ ସମେତ ସାରା ବିଶ୍ବରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । ତେବେ ଏହି ବାଳକ କିଏ ? ତାଙ୍କ ସହ ସେଲଫି ନୋବକୁ ରୁଷ ରାଷ୍ଟ୍ରପତି ପୁଟିନ କେମିତି ରାଜି ହୋଇଗଲେ ? ମସ୍କୋରେ ଆୟୋଜିତ ଏକ ଅନ୍ତର୍ଜାତୀୟ AI ସମ୍ମିଳନୀରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ସେ ସେଲ୍‌ଫି ନେଇଛନ୍ତି ।

ପୁଟିନଙ୍କ ସହ ସେଲଫି
​​​​​​​ରାଉଲ୍ ନିଜେ ଏହି ଫଟୋକୁ ଇନଷ୍ଟାଗ୍ରାମରେ ସେୟାର କରି ନିଜର ଭାବନା ବ୍ୟକ୍ତ କରିଛନ୍ତି। ସେ ଲେଖିଛନ୍ତି ଯେ, ଏହି ମୁହୂର୍ତ୍ତକୁ ସେ ଏବେବି ବିଶ୍ୱାସ କରିପାରୁନାହାନ୍ତି। ମଜାରେ ଭିଡିଓ ତିଆରି କରୁଥିବା ଏକ ଛୋଟ ପିଲାଠାରୁ ଆରମ୍ଭ କରି ୧୭ ବର୍ଷ ବୟସରେ ରାଷ୍ଟ୍ରପତି ପୁଟିନଙ୍କୁ ଭେଟିବା ପର୍ଯ୍ୟନ୍ତ, ଜୀବନ ତାଙ୍କୁ ଏମିତି ସୁଯୋଗ ଦେଇଛି ଯାହା ସେ କେବେ ସ୍ୱପ୍ନରେ ବି ଭାବି ନଥିଲେ ବୋଲି କହିଛନ୍ତି । ନଭେମ୍ବର ୨୬ ଗୁରୁବାରଠାରୁ ଆରମ୍ଭ ହୋଇଥିବା ତିନି ଦିନିଆ ସମ୍ମିଳନୀ 'AI Journey 2026' ଅବସରରେ ଏହି ଘଟଣା ଘଟିଛି। 

‘ThinkCraft’ ନିର୍ମାତା
ରୁଷ ଦୂତାବାସ ରାଉଲଙ୍କୁ ‘ThinkCraft’ ପ୍ଲାଟଫର୍ମର ନିର୍ମାତା ଏବଂ ଜଣେ ସ୍କୁଲ୍ ଛାତ୍ର ଭାବରେ ପରିଚିତ କରାଇଛି। ଦୂତାବାସର ସୂଚନା ଅନୁଯାୟୀ, ପୁଟିନ ଏବଂ କାଜାଖସ୍ତାନ ରାଷ୍ଟ୍ରପତିଙ୍କୁ ଭେଟିଥିବା ଯୁବ AI ପ୍ରତିଭାମାନଙ୍କ ମଧ୍ୟରେ ରାଉଲ୍ ଅନ୍ୟତମ ଥିଲେ। ସମ୍ମିଳନୀ ଶେଷ ହେବା ପରେ ରାଉଲ୍ ରାଷ୍ଟ୍ରପତି ପୁଟିନଙ୍କ ସହ କଥାବାର୍ତ୍ତା କରିଥିଲେ ଏବଂ ଫଟୋ ଉଠାଇଥିଲେ। AI Kid of India ଭାବରେ ଲୋକପ୍ରିୟ ରାଉଲ୍ କୃତ୍ରିମ ଏଆଇ ଟୁଲ୍ସ ବିକାଶ କରିବା, ପ୍ରଯୁକ୍ତିବିଦ୍ୟା ତାଲିମ ଦେବା ଏବଂ ନିଜ ଆଗ୍ରହକୁ ଏକ ଷ୍ଟାର୍ଟଅପ୍‌ରେ ପରିଣତ କରିବା ପାଇଁ ବେଶ୍ ଜଣାଶୁଣା। 

ପୁଅ କମ୍ପାନୀରେ ବାପା କର୍ମଚାରୀ
​​​​​​​ସାଧାରଣତଃ ଯେଉଁ ବୟସରେ ପିଲାମାନେ ପକେଟ୍ ମନି ପାଇଁ ବାପାଙ୍କୁ ମାଗନ୍ତି, ସେହି ବୟସରେ ରାଉଲଙ୍କ ବାପା ତାଙ୍କ କମ୍ପାନୀରେ କାମ କରନ୍ତି ଏବଂ ମାସକୁ ୨ ଲକ୍ଷ ଟଙ୍କା ଦରମା ପାଉଛନ୍ତି। ରାଉଲଙ୍କ ଏହି ସଫଳତାର ଯାତ୍ରା ଆରମ୍ଭ ହୋଇଥିଲା ଯେତେବେଳେ ତାଙ୍କୁ ମାତ୍ର ନଅ ବର୍ଷ ବୟସ ହୋଇଥିଲା । ସେ ନିଜେ ଏଆଇ ବିଷୟରେ ଶିଖିଥିଲେ। ପରବର୍ତ୍ତୀ ସମୟରେ ସେ ‘AI Realm Technologies’ ନାମକ ଏକ ଷ୍ଟାର୍ଟଅପ୍ ପ୍ରତିଷ୍ଠା କରିଥିଲେ । ସେଠାରେ ଏବେ ୧୫ ଜଣ କର୍ମଚାରୀ କାମ କରୁଛନ୍ତି  । ଏହା ବିଶ୍ୱର ପ୍ରାୟ ପାଞ୍ଚ ଲକ୍ଷ ଛାତ୍ରଛାତ୍ରୀଙ୍କୁ ତାଲିମ ଦେଇସାରିଲାଣି।

UN News କୁ ସାକ୍ଷାତକାର ଦେଇ ରାଉଲ୍ କହିଥିଲେ ଯେ, ଭିଡିଓ ଏଡିଟିଂ ମାଧ୍ୟମରେ ସେ ପ୍ରଯୁକ୍ତିବିଦ୍ୟା ବିଷୟରେ ଜାଣିଥିଲେ। ତାଙ୍କ ବାପା Adobe ରେ ଚାକିରି ପାଇବା ପରେ ତାଙ୍କୁ ସମସ୍ତ ପ୍ରିମିୟମ୍ ଟୁଲ୍ସ ମାଗଣାରେ ବ୍ୟବହାର କରିବାର ସୁଯୋଗ ମିଳିଥିଲା । ଏହା ପରେ ସେ ଏକ ସ୍କୁଲ୍ ବିଜ୍ଞାନ ପ୍ରକଳ୍ପ ପାଇଁ ‘MeBot’ ନାମକ ନିଜର ଏକ ରୋବଟ୍ ତିଆରି କରିଥିଲେ।