ମୁମ୍ବାଇ: ଯାହା କଳ୍ପନା କରାଯାଉଥିଲା ତାହା ହେଲା। ପୁଣିଥରେ ମୁମ୍ବାଇ ଇଣ୍ଡିଆନ୍ସର ମଙ୍ଗ ଧରିଲେ ହିଟ୍ ମ୍ୟାନ ରୋହିତ ଶର୍ମା। ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ପଞ୍ଜାବ କିଙ୍ଗ୍ସ ସହ ଟ୍ରେଡ୍ କରିବା ପରେ ଦଳରେ କ୍ୟାପ୍ଟେନ ଆସନ ଖାଲି ପଡ଼ିଥିଲା। ଦୌଡ଼ରେ ଥିଲେ ରୋହିତ ଶର୍ମା, ସୂର୍ଯ୍ୟକୁମାର ଯାଦବ, ବୁମ୍ରା ଓ ତିଲକ ବର୍ମା। ଶେଷରେ ୫ ଥର ଟାଇଟଲ ଜିତାଇଥିବା ଖେଳାଳିଙ୍କ ଦକ୍ଷତାକୁ ସ୍ୱୀକାର କରି ଦଳ ପୁଣିଥରେ ରୋହିତ ଶର୍ମାଙ୍କ ପାଖକୁ ଫେରିଛି। ୨୦୨୭ ମୁକାବିଲା ପାଇଁ ରୋହିତ ହିଁ ମୁମ୍ବାଇ ଇଣ୍ଡିଆନ୍ସର କ୍ୟାପ୍ଟେନ୍ ହେବେ ବୋଲି ଦଳ ଇନଷ୍ଟାଗ୍ରାମରେ ପୋଷ୍ଟ କରି ସୂଚନା ଦେଇଛି।

ମୁମ୍ବାଇ ଇଣ୍ଡିଆନ୍ସ ୨୦୨୦ ଠାରୁ ଟାଇଟଲ ଜିତିପାରି ନାହିଁ। ୨୦୨୪ରେ ହାର୍ଦ୍ଦିକ ପାଣ୍ଡ୍ୟା କ୍ୟାପ୍ଟେନ୍ ହେବା ପରେ ଦଳର ପ୍ରଦର୍ଶନ ପୂରା ତଳକୁ ଖସି ଯାଇଥିଲା। ଏହାପରେ ରୋହିତଙ୍କୁ ପୁଣିଥରେ କ୍ୟାପ୍ଟେନ୍ କରାଇବାକୁ ଦାବି ଜୋର୍ ଧରିଥିଲା। ଆଉ ଏବେ ଫ୍ୟାନଙ୍କ ଦାବି ପୂରଣ ହୋଇଛି।

ଆଜିର ଘୋଷଣା ପୂର୍ବରୁ ଦଳ ଗତକାଲି ଟ୍ୱିଟ୍ କରି ଏକ ଆନିମେଟେଡ୍ ଫଟୋ ପୋଷ୍ଟ କରିଥିଲା। ଯେଉଁଥିରେ ଗୋଟିଏ ହାତରେ ଏକ ଟୋପି ଧରିଥିବା ଦେଖାଯାଉଛି। ମୁମ୍ବାଇ ଇଣ୍ଡିଆନ୍ସ ଏଭଳି ଟ୍ୱିଟ୍ ପରେ ରୋହିତଙ୍କ କମ ବ୍ୟାକ୍ ହୋଇପାରେ ବୋଲି ଇଣ୍ଟରନେଟରେ ହୋହଲ୍ଲା କରିଥିଲେ ଫ୍ୟାନ। କିଏ ଏହାକୁ ରୋହିତଙ୍କର ଟି-୨୦ ବିଶ୍ୱକପ ବିଜୟ ସେଲିବ୍ରେସନ ବେଳର ଫଟୋ ସହ ତୁଳନା କରୁଥିଲେ ତ, ଆଉ କିଏ ଫ୍ରାଞ୍ଚାଇଜ୍ ପାଇଁ ରୋହିତ ଯେତେବେଳେ ପ୍ରଥମ ଟାଇଟଲ ଜିତିଥିଲେ, ଏହା ସେତେବେଳର ଫଟୋ ବୋଲି କହିଥିଲେ। ଆଜିର ଘୋଷଣା ପରେ ଫ୍ୟାନଙ୍କର କାଲିର ଉତ୍କଣ୍ଠାର ଜବାବ ମିଳିଯାଇଛି।

ଦଳକୁ ୫ ଟାଇଟଲ ଜିତାଇଛନ୍ତି ରୋହିତ

ଅଭିଜ୍ଞତା ଓ ଦକ୍ଷତା ଦୃଷ୍ଟିରୁ ରୋହିତଙ୍କୁ ପୁଣିଥରେ ଦଳର ଅଧିନାୟକ କରାଯାଇପାରେ ବୋଲି ବିଭିନ୍ନ ମିଡିଆରେ ଖବର ପ୍ରକାଶ ପାଇଥିଲା। କାରଣ ରୋହିତଙ୍କ ନେତୃତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ ୨୦୧୩, ୨୦୧୫, ୨୦୧୭, ୨୦୧୯ ଏବଂ ୨୦୨୦ ମସିହାରେ ମୋଟ ପାଞ୍ଚଟି ଆଇପିଏଲ୍ ଟାଇଟଲ୍ ଜିତିଛି। ତେବେ ୨୦୨୪ରେ ଗୁଜୁରାଟ ଟାଇଟନ୍ସରୁ ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଦଳକୁ ଫେରିବା ପରେ, ୨୦୨୪ ସିଜିନ୍ ପୂର୍ବରୁ ରୋହିତଙ୍କୁ ହଟାଇ ହାର୍ଦ୍ଦିକଙ୍କୁ କ୍ୟାପ୍ଟେନ କରାଯାଇଥିଲା। ହେଲେ ହାର୍ଦ୍ଦିକଙ୍କ ନେତୃତ୍ୱରେ ଦଳ ସବୁଠାରୁ ଖରାପ ପ୍ରଦର୍ଶନ କରିଥିଲା। ଯାହାକୁ ନେଇ ଫ୍ୟାନ୍ ଫ୍ରାଞ୍ଚାଇଜ୍ର ବିଚାରକୁ ସମାଲୋଚନା କରିଥିଲେ। ଶେଷରେ କ୍ୟାପ୍ଟେନ ବଦଳାଇବାକୁ ବି ଦାବି ହୋଇଥିଲା।

ସୂର୍ଯ୍ୟକୁମାର ଯାଦବ ଏବଂ ତିଲକ ବର୍ମା ମଧ୍ୟ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ପଦ ଦୌଡ଼ରେ ଥିଲେ। ଗତ ଦୁଇଟି ସିଜନରେ ହାର୍ଦ୍ଦିକଙ୍କ ଅନୁପସ୍ଥିତିରେ ସୂର୍ଯ୍ୟକୁମାର ବେଳେ ବେଳେ ଦଳର ଅଧିନାୟକ ଦାୟିତ୍ୱ ତୁଲାଉଥିଲେ। ଦଳରେ ତାଙ୍କର ପ୍ରଦର୍ଶନ ବି ଭଲ ରହିଛି। ତା’ ଛଡ଼ା କ୍ୟାପ୍ଟେନ୍ ଭାବେ ଟିମ୍ ଇଣ୍ଡିଆକୁ ଟି-୨୦ ବିଶ୍ୱକପ ବି ଜିତାଇଛନ୍ତି। ତେଣୁ ଅଧିନାୟକ ପଦ ପାଇଁ ସେ ବି ଦାବିଦାର ଥିଲେ। ଅନ୍ୟପକ୍ଷରେ, ଦୀର୍ଘକାଳୀନ ଭାବରେ ତିଲକଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ଭବିଷ୍ୟତର କ୍ୟାପ୍ଟେନ ଭାବେ ଦେଖୁଛି। ତା’ ଛଡ଼ା ଟିମ୍ ଇଣ୍ଡିଆରେ ମଧ୍ୟ ତିଲକ କେବେ ଉପଅଧିନାୟକ ଓ ଅଧିନାୟକ ଭୂମିକାରେ ଅବତୀର୍ଣ୍ଣ ହେଉଛନ୍ତି। ତେଣୁ ତାଙ୍କ ନାଁ ବି ଚର୍ଚ୍ଚାରେ ରହିଛି। ସେହିପରି ବୁମ୍ରାଙ୍କ ନାଁ ବି ଚର୍ଚ୍ଚାରେ ରହିଥିଲା।