ଭୁବନେଶ୍ୱର ୨୭।୧୧ : ରତ୍ନଭଣ୍ଡାର ଗଣତି ମଣତିକୁ ନେଇ ଆଇନ ମନ୍ତ୍ରୀଙ୍କ ବଡ଼ ବୟାନ। ମହାପ୍ରଭୁଙ୍କ ନୀତିକାନ୍ତି ଓ ଭକ୍ତଙ୍କ ଦର୍ଶନକୁ ଦିଆଯାଉଛି ସର୍ବାଧିକ ଗୁରୁତ୍ୱ। ତେଣୁ ଯେତିକି ସମୟ ମିଳୁଛି, ସେହି ସମୟ ମଧ୍ୟରେ ଚାଲିଛି ରତ୍ନଭଣ୍ଡାର ଗଣତି ମଣତି କାର୍ଯ୍ୟ। ଦୁଇ ଦିନ ଧରି ଗଣତି ପାଇଁ ସମୟ ନିର୍ଦ୍ଧାରଣ ହୋଇଥିବା ବେଳେ ଆଗାମୀ ମାର୍ଗଶିର ମାସରେ ଅଧିକ ଦିନ ମିଳିବା ନେଇ ଆଶା ରଖିଛି ମନ୍ଦିର ପ୍ରଶାସନ। ମାର୍ଗଶିର ମାସରେ ଗଣତି ମଣତିର ବାକି ରହିଥିବା କାର୍ଯ୍ୟ ଶେଷ କରିବାକୁ ଯୋଜନା ଚାଲିଛି। ଏପରିକି ରତ୍ନଭଣ୍ଡାରରେ ଥିବା ଛୋଟ ଛୋଟ ରତ୍ନପଥରଠାରୁ ଆରମ୍ଭ କରି ବଡ଼ ବଡ଼ ଅଳଙ୍କାର ପର୍ଯ୍ୟନ୍ତ ପ୍ରତ୍ୟେକ ସାମଗ୍ରୀର ହେବ ସବିଶେଷ ହିସାବ। ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ରତ୍ନଭଣ୍ଡାର ଗଣତି ମଣତି ସମୟରେ ଶ୍ରୀମନ୍ଦିରର ନୀତିକାନ୍ତି ଉପରେ କିଛିଟା ପ୍ରଭାବ ପଡ଼ିବା ସହ ଭକ୍ତଙ୍କ ପ୍ରବେଶ ଓ ଦର୍ଶନ ବ୍ୟବସ୍ଥା ମଧ୍ୟ ବନ୍ଦ ରହୁଛି। ତେଣୁ ଏକାଧିକ ଦିଗକୁ ବିଚାରକୁ ନେଇ ଗଣତି ପାଇଁ ଯେତିକି ସମୟ ଉପଲବ୍ଧ ହେଉଛି, ସେହି ସମୟ ମଧ୍ୟରେ କାର୍ଯ୍ୟ କରାଯାଉଛି। ଏଥିପାଇଁ ଦୁଇ ଦିନ ସମୟ ରଖାଯାଇଛି।

Also Read:-ଯୁବକଙ୍କୁ ଠେଲି ଦିଆଯାଇଥିଲା କି? ସାଇ ଶଙ୍କରଙ୍କ ମୃତ୍ୟୁକୁ ନେଇ ପରିବାରର ସନ୍ଦେହ

ସେପଟେ ଆଗାମୀ ମାର୍ଗଶିର ମାସରେ ରତ୍ନଭଣ୍ଡାର ଗଣତି ମଣତି ପାଇଁ ଅଧିକ ଦିନ ଉପଲବ୍ଧ ହେବ ବୋଲି ଆଶା ରଖିଛି ପ୍ରଶାସନ। ଏଥିପାଇଁ ତାରିଖ ନିର୍ଦ୍ଧାରଣ ନେଇ ମଧ୍ୟ ପ୍ରକ୍ରିୟା ଚାଲିଥିବା ସୂଚନା ମିଳିଛି। ମାର୍ଗଶିର ମାସ ମଧ୍ୟରେ ଗଣତିର ବାକି ରହିଥିବା ସମସ୍ତ କାର୍ଯ୍ୟ ଶେଷ କରିବାକୁ ପ୍ରଶାସନ ଲକ୍ଷ୍ୟ ରଖିଛି। ଏଥର ଗଣତି ମଣତିରେ କେବଳ ବଡ଼ ବଡ଼ ସୁନା ଓ ରୁପା ଅଳଙ୍କାର ନୁହେଁ, ରତ୍ନଭଣ୍ଡାରରେ ରହିଥିବା ପ୍ରତ୍ୟେକଟି ସାମଗ୍ରୀର ହିସାବ ରଖାଯିବ। ଛୋଟ ଛୋଟ ରତ୍ନପଥରଠାରୁ ଆରମ୍ଭ କରି ବଡ଼ ବଡ଼ ଅଳଙ୍କାର ପର୍ଯ୍ୟନ୍ତ ସବୁକିଛି ଗଣତି ତାଲିକାରେ ସ୍ଥାନ ପାଇବ। କେଉଁ ସାମଗ୍ରୀର ପରିମାଣ କେତେ, କେଉଁ ପ୍ରକାରର ରତ୍ନପଥର ରହିଛି ଏବଂ କେତେ ପରିମାଣର ଅଳଙ୍କାର ମହଜୁଦ ଅଛି, ତାହାର ସବିଶେଷ ବିବରଣୀ ପ୍ରସ୍ତୁତ କରାଯିବ।

ପ୍ରତ୍ୟେକ ଅଳଙ୍କାର ଓ ରତ୍ନପଥରକୁ ତାଲିକାଭୁକ୍ତ କରି ରେକର୍ଡ ପ୍ରସ୍ତୁତ କରାଯିବ। ଫଳରେ ରତ୍ନଭଣ୍ଡାରରେ ଥିବା ମହାପ୍ରଭୁଙ୍କ ସମସ୍ତ ସମ୍ପତ୍ତିର ସଠିକ୍ ହିସାବ ରହିପାରିବ। ଭବିଷ୍ୟତରେ ଏହି ରେକର୍ଡକୁ ଆଧାର କରି ସମ୍ପତ୍ତିର ସ୍ଥିତି ଓ ତଥ୍ୟ ଯାଞ୍ଚ କରିବା ମଧ୍ୟ ସହଜ ହେବ। ତେବେ ଗଣତି ମଣତି ଯେତେ ଶୀଘ୍ର ଶେଷ କରିବାର ଲକ୍ଷ୍ୟ ରହିଥିଲେ ମଧ୍ୟ ମହାପ୍ରଭୁଙ୍କ ନୀତିକାନ୍ତି ଯେପରି ବାଧାପ୍ରାପ୍ତ ନହୁଏ ଏବଂ ଦୂରଦୂରାନ୍ତରୁ ଆସୁଥିବା ଭକ୍ତମାନେ ଯେପରି ସୁବିଧାରେ ଦର୍ଶନ କରିପାରିବେ, ତାହାକୁ ପ୍ରାଥମିକତା ଦିଆଯାଉଛି। ତେଣୁ ପର୍ଯ୍ୟାୟକ୍ରମେ ଗଣତି କାର୍ଯ୍ୟ ଆଗକୁ ବଢ଼ାଇବାକୁ ନିଷ୍ପତ୍ତି ହୋଇଛି।

ଏବେ ଅପେକ୍ଷା ଆଗାମୀ ମାର୍ଗଶିର ମାସକୁ। କେଉଁ ତାରିଖରେ ଅଧିକ ଦିନ ଧରି ଗଣତି ମଣତି ହେବ ଏବଂ କେବେ ସମ୍ପୂର୍ଣ୍ଣ ହେବ ରତ୍ନଭଣ୍ଡାରର ସମସ୍ତ ସମ୍ପତ୍ତିର ହିସାବ, ତାହା ଉପରେ ରହିଛି ଭକ୍ତ ଓ ଶ୍ରଦ୍ଧାଳୁଙ୍କ ନଜର।

Watch Video:-