ଭୁବନେଶ୍ବର ୧୬।୫: ଆଣ୍ଡାମାନ ଛୁଇଁଲା ମୌସୁମୀ ବାୟୁ । ପାଣିପାଗ ବିଭାଗ ଦେଲା ଖୁସି ଖବର । ଆଣ୍ଡାମାନ ଛୁଇଁଲା ମୌସୁମୀ ବାୟୁ, ଖୁବଶୀଘ୍ର ବଦଳିବ ପାଗ । ଆଜି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ-ପୂର୍ବ ଆରବ ସାଗରର କିଛି ଅଞ୍ଚଳ, ଦକ୍ଷିଣ-ପଶ୍ଚିମ ଏବଂ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର, ଆଣ୍ଡାମାନ ସାଗରର ବହୁ ଅଞ୍ଚଳ, ସମଗ୍ର ନିକୋବାର ଦ୍ୱୀପପୁଞ୍ଜ ଏବଂ ଶ୍ରୀ ବିଜୟ ପୁରମ ସହ ଆଣ୍ଡାମାନ ଦ୍ୱୀପପୁଞ୍ଜର କିଛି ଅଞ୍ଚଳକୁ ଅଗ୍ରସର ହୋଇଥିବା ବେଳେ କେରଳରେ ଆସନ୍ତା ୨୬ ତାରିଖ ବେଳକୁ ମୌସୁମୀ ପ୍ରବେଶ କରିପାରେ । କାରଣ ବର୍ତ୍ତମାନ ସାମୁଦ୍ରିକ ତାପମାତ୍ରା ଅଧିକ ରହୁଛି । ଯଦିଓ ଏହି ଆକଳନ ୪ ଦିନ ଦିନ ଆଗ ପଛ ହୋଇପାରେ । ସାଧାରଣତଃ ମୌସୁମୀ କେରଳ ଛୁଇଁବାର ସ୍ବାଭାବିକ ସମୟ ଜୁନ୍ ପହିଲା । ଗତବର୍ଷ ମେ' ୨୪ରେ କେରଳରେ ପହଞ୍ଚିଥିଲା ମୌସୁମୀ ।

ସେପଟେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଉପରେ ସକ୍ରିୟ ଥିବା ଲଘୁଚାପଟି ସ୍ପଷ୍ଟ ଚିହ୍ନିତ ଲଘୁଚାପ ଭାବେ ସକ୍ରିୟ ରହିବା ସହ ଦକ୍ଷିଣ ପଶ୍ଚିମ ଓ ପାର୍ଶ୍ବବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ରହିଛି । ଓଡ଼ିଶାରେ ଏହାର ପ୍ରଭାବ ନାହିଁ, ମାତ୍ର କାଳବୈଶାଖୀ ବର୍ଷା ପ୍ରଭାବରେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ସହ ଝଡ଼ ପବନ ଓ ବଜ୍ରପାତ ଜାରି ରହିବ ।

Also Read:- ପୋଲିସକୁ ଦୁର୍ବୃତ୍ତଙ୍କ ଖୋଲା ଚ୍ୟାଲେଞ୍ଜ ; ଗାଁରେ ପଶି ଯୁବକଙ୍କୁ ଖଣ୍ଡାରେ ହାଣିଲେ, କାର୍ ଭଙ୍ଗାରୁଜା କଲେ

ଆସନ୍ତା ୨୪ ଘଣ୍ଟା ପାଇଁ ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ, କେନ୍ଦୁଝର, ସୁନ୍ଦରଗଡ଼, ବରଗଡ଼, ଗଞ୍ଜାମ, ଗଜପତି, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ମାଲକାନଗିରି ଜିଲ୍ଲାରେ ଘଡଘଡି ସହ ବର୍ଷା ଓ ୩୦ରୁ ୫୦ କି.ମି. ଝଟକା ପବନ ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୧୯ ତାରିଖ ଯାଏଁ ଏଭଳି ସ୍ଥିତି ଲାଗି ରହିବ । ଆଗାମୀ ୬-୭ ଦିନ ମଧ୍ୟରେ ସର୍ବାଧିକ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ ।