ନୂଆଦିଲ୍ଲୀ: ଡିଜିଟାଲ ମାର୍କେଟରେ ଗୋଟେ କଥା ଅଛି, ଯେ ସବୁ ଡିଜିଟାଲ ଜିନିଷ ସମୟ ଅନୁସାରେ ଶସ୍ତା ହୋଇଯାଏ। ହେଲେ ଦୀର୍ଘଦିନ ଧରି ଲୋକଙ୍କର ଏହି ବିଶ୍ୱାସ ଏବେ ମିଛ ବୋଲି ପ୍ରମାଣିତ ହେଉଛି। କାରଣ ବର୍ତ୍ତମାନର ସ୍ଥିତି ସମ୍ପୂର୍ଣ୍ଣ ଓଲଟା। ଶସ୍ତା ପରିବର୍ତ୍ତେ ଡିଜିଟାଲ ଗ୍ୟାଜେଟଗୁଡ଼ିକର ମୂଲ୍ୟ ଜବରଦସ୍ତ ବୃଦ୍ଧି ଦେଖିବାକୁ ମିଳୁଛି। ନିକଟରେ ଆପଲ ଏହାର ପ୍ରଡକ୍ଟଗୁଡ଼ିକ ଉପରେ ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ମୂଲ୍ୟ ବୃଦ୍ଧି କରିଛି। ଯ।ହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଏସବୁ ହେଉଛି ବର୍ତ୍ତମାନ ଜାରି ରହିଥିବା ମେମୋରି ଚିପ ସଂକଟ ପାଇଁ। କାରଣ ଏଆଇ ଯୁଗରେ ମେମୋରି ଚିପର ଡିମାଣ୍ଡ ବହୁତ ବଢ଼ି ଯାଇଛି। ସେହି ଅନୁସାରେ ପ୍ରଡକ୍ସନ ଫେସିଲିଟିସ୍ ନାହିଁ କି ପ୍ରଡକ୍ସନ ହୋଇପାରୁନି। ଯେତିକି ପ୍ରଡକ୍ସନ ହେଉଛି, ସେଗୁଡ଼ିକୁ ଅଧିକ ଦାମ ଦେଇ ଏଆଇ ପାଇଁ ବ୍ୟହାର କରାଯାଉଛି। ତେଣୁ ମୋବାଇଲ, ଟ୍ୟାବଲ୍ୟାଟ ଓ କମ୍ପୁଟର ଭଳି ଗ୍ୟାଜେଟ୍ ପାଇଁ ମେମୋରି ଚିପ୍ ଅଭାବ ପଡ଼ୁଛି। ତେଣୁ ବର୍ତ୍ତମାନ ଏସବୁ ଶିଳ୍ପ ସଂକଟରେ ପଡ଼ିଯାଇଛି।

ଆପଲ ମୂଲ୍ୟ ବୃଦ୍ଧି କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିବା ବେଳେ ଏକ ନୂଆ ରିପୋର୍ଟ ସାମ୍ନାକୁ ଆସିଛି। ଏଥିରେ କୁହାଯାଇଛି ଯେ ସାଓମୀ (Xiaomi), ଓପୋ (Oppo) ଏବଂ ଭିଭୋ (Vivo) ସମେତ ଚୀନର ସ୍ମାର୍ଟଫୋନ୍ ନିର୍ମାତାମାନେ ଏହି ବର୍ଷ ସେମାନଙ୍କର ସିପମେଣ୍ଟ(ରପ୍ତାନୀ) ଲକ୍ଷ୍ୟକୁ ୩୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିବେ। ସ୍ମାର୍ଟଫୋନ କମ୍ପୋନେଣ୍ଟଗୁଡ଼ିକର ଅଭାବ ଏବଂ ବଢ଼ୁଥିବା ଖର୍ଚ୍ଚ ଶିଳ୍ପ ଉପରେ ଚାପ ପକାଉଥିବାରୁ କମ୍ପାନୀଗୁଡ଼ିକ ଏପରି ନିଷ୍ପତ୍ତି ନେଇଛନ୍ତି ବୋଲି ରିପୋର୍ଟରେ କୁହାଯାଇଛି।

ଜାପାନ, ଚୀନ ଓ ଭାରତ ଭଳି ଦେଶର ଖବର କଭର କରୁଥିବା ଅନ୍ତର୍ଜାତୀୟ ଗଣମାଧ୍ୟମ ନିକ୍କେଇ ଏସିଆ (Nikkei Asia) ଅନୁଯାୟୀ, ସାମସଙ୍ଗ ଏବଂ ଆପଲ୍ ପଛକୁ ବିଶ୍ୱର ତୃତୀୟ ବୃହତ୍ତମ ସ୍ମାର୍ଟଫୋନ୍ ବ୍ରାଣ୍ଡ୍, ସାଓମୀ (Xiaomi) ପୂର୍ବରୁ ଯୋଗାଣକାରୀମାନଙ୍କୁ ଚଳିତ ବର୍ଷ ପାଇଁ ପ୍ରାୟ ୧୩୫ ନିୟୁତ ୟୁନିଟର ଏକ ସୀମିତ ସପ୍ଲାଏ କରିବ ବୋଲି ସଂକେତ ଦେଇଥିଲା। ଯାହା ୨୦୨୫ ମସିହାରେ କମ୍ପାନୀ ଦ୍ୱାରା ପଠାଯାଇଥିବା ୧୭୦ ମିଲିଅନ ଫୋନ୍ ତୁଳନାରେ ଏକ ବଡ଼ ହ୍ରାସ ଥିଲା। ବର୍ତ୍ତମାନ କମ୍ପାନୀ ଏହି ସଂଖ୍ୟାରେ ଆଉ ୩୦ ପ୍ରତିଶତ ହ୍ରାସ କରିଛି। ଫଳରେ ଏହାର ରପ୍ତାନୀ ଟାର୍ଗେଟ୍ ପ୍ରାୟ ୯୫ ମିଲିଅନ ୟୁନିଟକୁ ଖସି ଆସିଛି। ଯଦି ଯୋଗାଣ ପରିସ୍ଥିତିରେ ସୁଧାର ନ ଆସେ, ତେବେ ଏହି ସଂଖ୍ୟା ଆହୁରି କମିପାରେ ବୋଲି କମ୍ପାନୀ ଯୋଗାଣକାରୀମାନଙ୍କୁ ସୂଚାଇ ଦେଇଛି।

Also Read- ଇଣ୍ଡିଆ ସେମିକଣ୍ଡକ୍ଟର ମିଶନ ୨.୦ ପାଇଁ ୧.୨୫ ଲକ୍ଷ କୋଟି ଟଙ୍କା; ଅର୍ଥ ମନ୍ତ୍ରଣାଳୟ ଦେଲା ମଞ୍ଜୁରି

କେବଳ ସାଓମୀ ନୁହେ, ଓପୋ (Oppo) ଏବଂ ଭିଭୋ (Vivo) ମଧ୍ୟ ସମାନ ପଥ ଅନୁସରଣ କରି, ନିଜର ପୂର୍ବ ରପ୍ତାନୀ ଟାର୍ଗେଟ୍କୁ ୯୦ ମିଲିଅନ ୟୁନିଟ୍ରୁ କମ୍କୁ ହ୍ରାସ କରିଛନ୍ତି। ସେହିପରି ଅନର (Honor), ଯାହା ଗତ ବର୍ଷ ରେକର୍ଡ ୭୧ ମିଲିଅନ ଫୋନ୍ ରପ୍ତାନୀ କରିଥିଲା, ହେଲେ ୨୦୨୬ରେ ହୁଏତ ସେହି ଟାର୍ଗେଟ ପୂରା କରି ନପାରେ।

ଏଆଇ ପାଇଁ ସଂକଟରେ ଇଣ୍ଡଷ୍ଟ୍ରୀ

ସ୍ମାର୍ଟଫୋନ୍ ନିର୍ମାତାମାନେ ବର୍ତ୍ତମାନ ସମାନ କମ୍ପୋନେଣ୍ଟ, ବିଶେଷକରି ମେମୋରି ଚିପ୍ସ ପାଇଁ କୃତ୍ରିମ ବୁଦ୍ଧିମତା (AI) ଶିଳ୍ପ ସହିତ ସିଧାସଳଖ ପ୍ରତିଯୋଗିତା କରୁଛନ୍ତି। ଲୋ-ପାୱାର୍ ଡି-ରାମ୍ (Low-power DRAM) ଚିପ୍ସ, ଯାହା ପୂର୍ବରୁ ମୁଖ୍ୟତଃ ଫୋନ୍ ପାଇଁ ତିଆରି ହେଉଥିଲା, ବର୍ତ୍ତମାନ ଏହାକୁ ଏଆଇ ସର୍ଭର (AI servers) ଆଡ଼କୁ ପଠାଇ ଦିଆଯାଉଛି। ଏନଭିଡିଆ (Nvidia)ର ଏଆଇ ହାର୍ଡୱେରରେ ବ୍ୟବହୃତ ଏକ ସିଙ୍ଗଲ୍ ପ୍ରୋସେସର୍ ଟ୍ରେରେ ବହୁ ସଂଖ୍ୟକ ଏଭଳି ଚିପ୍ସକୁ ବ୍ୟବହାର କରାଯାଇପାରେ। ତେଣୁ ମେମୋରି ଚିପ୍ସର ସେହି ଚାହିଦା ସ୍ମାର୍ଟଫୋନ୍ ନିର୍ମାତାମାନଙ୍କୁ ପଛରେ ପକାଇ ଦେଉଛି।

ସମସ୍ୟା କେବଳ ମେମୋରି ଚିପ୍କୁ ନେଇ ମୁହେଁ, ଅନ୍ୟାନ୍ୟ ଉପକରଣ ଯଥା ପ୍ରୋସେସର୍ଠାରୁ ପ୍ରିଣ୍ଟେଡ୍ ସର୍କିଟ୍ ବୋର୍ଡ ଏବଂ ଗ୍ଲାସ କ୍ଲଥ ପର୍ଯ୍ୟନ୍ତ ପ୍ରାୟ ପ୍ରତ୍ୟେକ ପ୍ରକାରର ଇଲେକ୍ଟ୍ରୋନିକ୍ ଉପାଦାନର ଉଚ୍ଚ ମୂଲ୍ୟ ରହୁଛି, ନହେଲେ ଏଗୁଡ଼ିକର ଯୋଗାଣ ଅଭାବ ଦେଖା ଦେଉଛି। ଏମିତିକି ଚିପ୍-ପ୍ୟାକେଜିଂ କ୍ଷମତା ସୁରକ୍ଷିତ କରିବା ପାଇଁ ଖର୍ଚ୍ଚ ବଢ଼ି ଯାଇଛି। ମିଡିଆଟେକ୍ ଏବଂ କ୍ୱାଲକମ୍ ଭଳି ପ୍ରମୁଖ ଚିପ୍ ଡିଜାଇନରମାନେ ସ୍ମାର୍ଟଫୋନ୍କୁ ଚିପ୍ସ ଯୋଗାଇବା ପରିବର୍ତ୍ତେ ଅଧିକ ଲାଭଦାୟକ ଡାଟା ସେଣ୍ଟର ବ୍ୟବସାୟ ଆଡ଼କୁ ଅଧିକ ଧ୍ୟାନ ଦେଇଛନ୍ତି, ଏବଂ ମିଡିଆଟେକ୍ କହିଛି ଯେ ଉତ୍ପାଦନ ଖର୍ଚ୍ଚ ବୃଦ୍ଧି ହେତୁ ଏହା ମୂଲ୍ୟ ବୃଦ୍ଧି କରିବାକୁ ଯୋଜନା କରୁଛି।

Also Read- ମେଟା-ଆମାଜନର ବଡ଼ ନିଷ୍ପତ୍ତି, AI ବ୍ୟବହାର ଉପରେ ଲାଗିବ ବ୍ରେକ

ବର୍ତ୍ତମାନ ଏହି ପରିସ୍ଥିତି ବିଶେଷ ଭାବରେ Xiaomi, Oppo ଏବଂ Vivo ଭଳି ମିଡରେଞ୍ଜର ଫୋନ ପ୍ରଡକ୍ସନ କରୁଥିବା କମ୍ପାନୀଗୁଡ଼ିକୁ ଅଧିକ ସମସ୍ୟାରେ ପକାଇଛି। କାରଣ ପ୍ରିମିୟମ ସ୍ମାର୍ଟଫୋନ କମ୍ପାନୀଗୁଡ଼ିକ ପାଇଁ ଗ୍ରାହକଙ୍କ ଉପରେ ବୋଝ ଲଦିବାର ଯଦିଓ ବାଟ ରହିଛି ହେଲେ ମିଡ୍ରେଞ୍ଜର ନିର୍ମାତାମାନଙ୍କ ପାଇଁ ତାହା ଅସମ୍ଭବ। ତେଣୁ ସପ୍ଲାଏ କଟ୍ କରିବା ଛଡ଼ା ସେମାନଙ୍କ ପାଖରେ ଅନ୍ୟ କୌଣସି ରଣନୀତି ବୋଲି ନାହିଁ ବୋଲି ନିକେଇ ଏସିଆ ରିପୋର୍ଟ କରିଛି।