ନୂଆଦିଲ୍ଲୀ: ଅର୍ଥ ମନ୍ତ୍ରଣାଳୟର ବ୍ୟୟ ବିତ୍ତ ସମିତି (ଇଏଫସି) ଇଣ୍ଡିଆ ସେମିକଣ୍ଡକ୍ଟର ମିଶନ ୨.୦ ପାଇଁ ୧.୨୫ ଲକ୍ଷ କୋଟି ଟଙ୍କାର ବଜେଟକୁ ମଞ୍ଜୁରି ଦେଇଛି । ଏହି ମଞ୍ଜୁରି ସହ ଦେଶର ସେମିକଣ୍ଡକ୍ଟର ଉତ୍ପାଦନକୁ ପ୍ରୋତ୍ସାହନ ପ୍ରଦାନର ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ରାସ୍ତା ପ୍ରଶସ୍ତ ହୋଇଛି । ଏନଡିଟିଭି ପ୍ରୋଫିଟ୍ ରିପୋର୍ଟରେ ଏହି ସୂଚନା ଦିଆଯାଇଛି । ଏହି ପ୍ରସ୍ତାବକୁ ଏବେ ଚୂଡ଼ାନ୍ତ ଅନୁମତି ପାଇଁ କେନ୍ଦ୍ର କ୍ୟାବିନେଟ୍ ନିକଟକୁ ପଠାଯିବ ।

ଇଣ୍ଡିଆ ସେମିକଣ୍ଡକ୍ଟର ମିଶନ ୨.୦ ପ୍ରସ୍ତାବିତ ବଜେଟ ଆଇଏସଏମ୍ ୧.୦ ଅଧିନରେ ଆବଣ୍ଟିତ ୭୬,୦୦୦ କୋଟି ଟଙ୍କାଠାରୁ ବହୁ ଅଧିକ । ଆଇଏସ୍ଏମ୍ ୧.୦ ଅଧିନରେ ସରକାର ଚିପ୍ ନିର୍ମାଣ, ଆସେମ୍ୱଲ୍ ଏବଂ ଡିଜାଇନ ସହ ଜଡିତ ୧୦ ସେମିକଣ୍ଡକ୍ଟର ଫ୍ୟାସିଲିଟିକୁ ମଞ୍ଜୁରି ଦିଆଯାଇଥିଲା ।

ସରକାରଙ୍କ ଲକ୍ଷ୍ୟ ରହିଛି, ଏହି ଯୋଜନାରେ ଭାରତ ୨୦୩୦ ସୁଦ୍ଧା ନିଜ ଘରୋଇ ସେମିକଣ୍ଡକ୍ଟର ଚାହିଦାର ୭୫ ପ୍ରତିଶତ ଚାହିଦା ପୂରଣ କରିପାରିବ । ଏହା ଦ୍ୱାରା ଆମଦାନୀ ଉପରେ ନିର୍ଭରତା ହ୍ରାସ ପାଇବ ଏବଂ ଦେଶକୁ ଗ୍ଲୋବାଲ୍ ଇଲେକ୍ଟ୍ରନିକ୍ସ ମ୍ୟାନୁଫେକ୍ଚରିଂ ହବ୍ କରିବାର ଲକ୍ଷ୍ୟ ମଧ୍ୟ ପୂରଣ ହୋଇପାରିବ । ସରକାର ନୂଆ ସ୍କିମ୍ ଆରମ୍ଭ କରିବା ପାଇଁ ବିଭିନ୍ନ ମନ୍ତ୍ରଣାଳୟ ସହ ପୂର୍ବରୁ ଆଲୋଚନା କରିସାରିଛନ୍ତି ।

ଭାରତରେ ଇଲେକ୍ଟ୍ରୋନିକ୍ ବ୍ୟବହାର ଏବଂ ଉତ୍ପାଦନ ଦ୍ରୁତ ଗତିରେ ବଢିବାରେ ଲାଗିଛି । ବର୍ତ୍ତମାନ ସମୟରେ ଭାରତରେ ୬୫ କୋଟିରୁ ଅଧିକ ସ୍ମାର୍ଟଫୋନ୍ ୟୁଜର୍ସ ଅଛନ୍ତି ଏବଂ ଇଲେକ୍ଟ୍ରୋନିକ୍ସର ବାର୍ଷିକ ଉତ୍ପାଦନ ୧୨ ଲକ୍ଷ କୋଟି ଟଙ୍କା ଯାଏ ବଢ଼ିଛି ।

ଇଣ୍ଡିଆ ସେମିକଣ୍ଡକ୍ଟର ମିଶନ ଅଧିନରେ ୧୦ ସେମିକଣ୍ଡକ୍ଟର ପ୍ଲାଣ୍ଟକୁ ମଞ୍ଜୁରି ଦିଆଯାଇଛି । ଏହି ପ୍ଲାଣ୍ଟ ନିର୍ମାଣ ଦ୍ରୁତ ଗତିରେ ଆଗେଇ ଚାଲିଛି । ଗୁଜରାଟର ସାଣନ୍ଦରେ ଗୋଟିଏ ୟୁନିଟରେ ପାଇଲଟ୍ ପ୍ରଡକ୍ସନ ଲାଇନ୍ ଆରମ୍ଭ ହୋଇଛି । ଆଗାମୀ ଏକ ବର୍ଷ ଭିତରେ ଆଉ ଚାରି ୟୁନିଟରେ ଉତ୍ପାଦନ ଆରମ୍ଭ ହେବା ନେଇ ଆଶା କରାଯାଉଛି ।