ଭୁବନେଶ୍ୱର (୩0/୬) : ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AIକୁ ଭବିଷ୍ୟତର ପ୍ରଯୁକ୍ତି ବୋଲି କୁହାଯାଉଥିଲେ ମଧ୍ୟ, ବଡ଼ ବଡ଼ ଟେକ୍ କମ୍ପାନୀ ଏହାର ବ୍ୟବହାରକୁ ନେଇ ଏବେ ସତର୍କ ରହିଛନ୍ତି । ନୂଆ AI ମଡେଲ୍ର ବଢ଼ୁଥିବା ଖର୍ଚ୍ଚ ଓ ବ୍ୟବହାରରୁ ମିଳୁଥିବା ଲାଭକୁ ନେଇ ଅନିଶ୍ଚିତତା କାରଣରୁ ଅନେକ କମ୍ପାନୀ AI ବିସ୍ତାରକୁ ସୀମିତ କରୁଛନ୍ତି। ଏକ ସମୟରେ AIକୁ ନେଇ ବଡ଼ ବଡ଼ ଘୋଷଣା କରୁଥିବା ଟେକ୍ କମ୍ପାନୀମାନେ ଏବେ ନିବେଶ ଓ ବ୍ୟବହାରକୁ ନେଇ ନୂଆ ହିସାବ କରୁଛନ୍ତି। ମେଟା, ଆମାଜନ ଭଳି କମ୍ପାନୀ AIର ସମ୍ଭାବନାକୁ ସ୍ୱୀକାର କରୁଥିଲେ ମଧ୍ୟ, ନୂଆ ମଡେଲ୍ ବିକାଶ ଓ ପରିଚାଳନାର ବଢ଼ୁଥିବା ଖର୍ଚ୍ଚ ଚିନ୍ତା ବଢ଼ାଇଛି। ଉନ୍ନତ AI ମଡେଲ୍ ତିଆରି ପାଇଁ ଉଚ୍ଚ କ୍ଷମତାସମ୍ପନ୍ନ ଚିପ୍, ଡାଟା ସେଣ୍ଟର ଓ ବିପୁଳ ବିଦ୍ୟୁତ ଆବଶ୍ୟକ ହେଉଛି। ଏହା ଫଳରେ କମ୍ପାନୀମାନଙ୍କର ପରିଚାଳନା ଖର୍ଚ୍ଚ ଦ୍ରୁତ ଗତିରେ ବଢ଼ୁଛି।

ଅନ୍ୟପଟେ, AIରେ ହେଉଥିବା ବିଶାଳ ନିବେଶରୁ କେତେ ଶୀଘ୍ର ଲାଭ ମିଳିବ, ତାହାକୁ ନେଇ ମଧ୍ୟ ସ୍ପଷ୍ଟତା ନାହିଁ। ଏହି ଅନିଶ୍ଚିତତା ଯୋଗୁଁ ଅନେକ କମ୍ପାନୀ AI ପ୍ରକଳ୍ପକୁ ପର୍ଯ୍ୟାୟକ୍ରମେ ଆଗେଇ ନେବାକୁ ନାପସନ୍ଦ କରୁଛନ୍ତି। ଏବେ ମେଟା, ଆମାଜନ, ଓଲା, ଉବେର ଓ ୱାଲମାର୍ଟ ଭଳି ବଡ଼ କମ୍ପାନୀମାନେ କର୍ମଚାରୀଙ୍କୁ AIର ବ୍ୟବହାର ସୀମିତ ରଖିବାକୁ ପରାମର୍ଶ ଦେଉଛନ୍ତି। ଏହି ପରିବର୍ତ୍ତନର ସବୁଠୁ ବଡ଼ କାରଣ ହେଉଛି AI ବ୍ୟବହାରର ବଢ଼ୁଥିବା ଖର୍ଚ୍ଚ। AI ସେବା ପ୍ରଦାନ କରୁଥିବା କମ୍ପାନୀ ଓପେନ ଏଆଇ ଓ ଆନ୍ଥ୍ରୋପିକ୍ର ବିଲ୍ ଦ୍ରୁତ ଗତିରେ ବଢ଼ୁଛି। AI ଜଗତରେ ‘ଟୋକନ୍’ ହେଉଛି ଭାଷାର ସବୁଠାରୁ ଛୋଟ ଏକକ, ଯାହା ଆଧାରରେ ବ୍ୟବହାରର ମୂଲ୍ୟ ନିର୍ଦ୍ଧାରଣ କରାଯାଏ। ପୂର୍ବରୁ କର୍ମଚାରୀମାନେ ଅଧିକରୁ ଅଧିକ ଟୋକନ୍ ବ୍ୟବହାର କରିବାକୁ ‘ଟୋକନ୍ ମ୍ୟାକ୍ସିଂ’ ଭାବେ ଦେଖୁଥିଲେ। କିନ୍ତୁ ଏବେ ‘ଟୋକନ୍ ମିନିମାଇଜିଂ’ ଅର୍ଥାତ୍ କମ୍ ଟୋକନ୍ ବ୍ୟବହାର କରୁଥିବାର ଦେଖାଯାଉଛି।

ବଡ଼ ବଡ଼ ଟେକ୍ କମ୍ପାନୀରେ AIର ବ୍ୟବହାର :

ମେଟା ଓ ଆମାଜନ ଭଳି କମ୍ପାନୀରେ କର୍ମଚାରୀଙ୍କ ଟୋକନ୍ ବ୍ୟବହାରକୁ ନେଇ ଲିଡରବୋର୍ଡ ପର୍ଯ୍ୟନ୍ତ ପ୍ରସ୍ତୁତ କରାଯାଉଥିଲା। କିନ୍ତୁ ଏବେ ହଜାର ହଜାର କର୍ମଚାରୀଙ୍କ AI ବ୍ୟବହାରର ଖର୍ଚ୍ଚ କମ୍ପାନୀଗୁଡ଼ିକ ପାଇଁ ବଡ଼ ଆର୍ଥିକ ଭାର ସୃଷ୍ଟି କରୁଛି। ସବ୍ସକ୍ରିପ୍ସନ୍ ଶୁଳ୍କ ସହିତ ବ୍ୟବହୃତ ପ୍ରତ୍ୟେକ ଟୋକନ୍ ପାଇଁ ମଧ୍ୟ ଅଲଗା ଦେୟ ଦେବାକୁ ପଡ଼ୁଛି। ଏହା ସହିତ ଇଞ୍ଜିନିୟରମାନେ ସାଧାରଣ ଚାଟ୍ବଟ୍ ବଦଳରେ ଜଟିଳ କାର୍ଯ୍ୟ କରୁଥିବା AI ଏଜେଣ୍ଟ ବ୍ୟବହାର କରୁଛନ୍ତି, ଯେଉଁଥିରେ ହଜାର ହଜାର ଟୋକନ୍ ଖର୍ଚ୍ଚ ହେଉଛି। ନ୍ୟୁରୋମେଟ୍ରିକ୍ର ସିଇଓ ରବ୍ ମେଙ୍କ କହିବା ଅନୁଯାୟୀ, AI ଜଗତ ଏତେ ଦ୍ରୁତ ଗତିରେ ବଦଳୁଛି ଯେ କମ୍ପାନୀମାନେ ମଧ୍ୟ କେଉଁ ରଣନୀତି ଗ୍ରହଣ କରିବେ, ସେନେଇ ସ୍ପଷ୍ଟ ନିଷ୍ପତ୍ତିରେ ପହଞ୍ଚିପାରୁନାହାନ୍ତି। ଏହି କାରଣରୁ ଅନେକ କମ୍ପାନୀ AIରେ କରାଯାଉଥିବା ନିବେଶରୁ ପ୍ରକୃତରେ କେତେ ଲାଭ ମିଳୁଛି, ତାହାର ପୁନଃମୂଲ୍ୟାଙ୍କନ ଆରମ୍ଭ କରିଛନ୍ତି।

ଉବର କ'ଣ କହୁଛି ?

ଗତ ମେ ମାସରେ ଟ୍ୟାକ୍ସି କମ୍ପାନୀ ଉବର କହିଛି ଯେ, AI ପାଇଁ ବର୍ଷସାରା ଧାର୍ଯ୍ୟ କରାଯାଇଥିବା ଖର୍ଚ୍ଚ ମାତ୍ର ଚାରି ମାସ ମଧ୍ୟରେ ଶେଷ ହୋଇଯାଇଛି। ଏହା ପରେ କମ୍ପାନୀ AI କୋଡିଂ ଟୁଲ୍ର ବ୍ୟବହାର ଉପରେ ମାସିକ ସୀମା ଲାଗୁ କରିଛି। ସେହିପରି, ଖୁଚୁରା ବ୍ୟବସାୟ କ୍ଷେତ୍ରର ପ୍ରମୁଖ କମ୍ପାନୀ ୱାଲମାର୍ଟ ମଧ୍ୟ ବିଭିନ୍ନ AI ଟୁଲ୍ର ବ୍ୟବହାର ପାଇଁ ନିର୍ଦ୍ଦିଷ୍ଟ ସୀମା ଧାର୍ଯ୍ୟ କରିଛି। ବଢ଼ୁଥିବା ଖର୍ଚ୍ଚକୁ ନିୟନ୍ତ୍ରଣ କରିବା ଏବଂ AI ବ୍ୟବହାରକୁ ଅଧିକ ସନ୍ତୁଳିତ କରିବା ପାଇଁ କମ୍ପାନୀଗୁଡ଼ିକ ଏଭଳି ପଦକ୍ଷେପ ନେଉଛନ୍ତି।