କୋଲକାତା: ଡ୍ରାଇଭିଂ ଶିଖିବା ବେଳେ ନିୟନ୍ତ୍ରଣ ହରାଇ କାର ସହ ପୋଖରୀରେ ବୁଡ଼ି ଜଣେ ୪୨ ବର୍ଷୀୟା ମହିଳାଙ୍କ ମୃତ୍ୟୁ ଘଟିଛି। କୋଲକାତାର କେଷ୍ଟୋପୁର ଅଞ୍ଚଳସ୍ଥିତ ପ୍ରଫୁଲ୍ଲ କାନନ (ପଶ୍ଚିମ)ରେ ବୁଧବାର ଏହି ଦୁଃଖଦ ଦୁର୍ଘଟଣା ଘଟିଛି। ମୃତ ମହିଳାଜଣକ ହେଉଛନ୍ତି ସୁମିତ୍ରା ଦାସ।

କିପରି ଘଟିଲା ଦୁର୍ଘଟଣା?
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ସୁମିତ୍ରା ନିଜ ଝିଅକୁ ସ୍କୁଟରରେ ସ୍କୁଲରେ ଛାଡ଼ି ଘରକୁ ଫେରିଥିଲେ। ଏହାପରେ ସ୍କୁଟରଟିକୁ ରଖି ଗ୍ୟାରେଜରୁ ନିଜର 'ହୁଣ୍ଡାଇ ଇଓନ୍' କାର୍ ବାହାର କରି ଡ୍ରାଇଭିଂ ପ୍ରାକ୍ଟିସ୍ କରିବାକୁ ଯାଇଥିଲେ। କାର୍ ଚଳାଇବା ସମୟରେ  କାର୍‌ଟି ନିୟନ୍ତ୍ରଣ ବାହାରକୁ ଚାଲିଯାଇ ନିକଟସ୍ଥ ଏକ ଗଭୀର ପୋଖରୀ ଭିତରକୁ ପଶି ଯାଇଥିଲା । 

କାର୍‌ଟି ପାଣିରେ ବୁଡ଼ିଯାଇଥିଲା। ସ୍ଥାନୀୟ ଲୋକେ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ବି ସୁମିତ୍ରାଙ୍କୁ ପାଣିରୁ ବାହାର କରିପାରିନଥିଲେ। ଖବର ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ପ୍ରାୟ ଘଣ୍ଟାଏରୁ ଅଧିକ ସମୟ ଉଦ୍ଧାର କାର୍ଯ୍ୟ ଚଳାଇବା ପରେ କାରକୁ ପୋଖରୀରୁ ବାହାର କରିଥିଲେ।

ଗାଡ଼ି ଭିତରୁ ମିଳିଲା ମୃତଦେହ
କାରଟିକୁ ପାଣିରୁ ବାହାର କରାଯିବା ପରେ ସୁମିତ୍ରାଙ୍କ ମୃତଦେହ ଗାଡ଼ି ଭିତରୁ ମିଳିଥିଲା। ତାଙ୍କ ମୁହଁ କାରର ପଛ ଭାଗ ଆଡ଼କୁ ଏବଂ ଗୋଡ଼ ଷ୍ଟିୟରିଂ ନିକଟରେ ଥିଲା।  ଗାଡ଼ିଟି ବୁଡ଼ିଯାଉଥିବା ସମୟରେ ସେ ଜୀବନ ବଞ୍ଚାଇବା ପାଇଁ ପଛ ପଟେ ବାହାରିବାକୁ ଚେଷ୍ଟା କରିଥିବା ଅନୁମାନ କରାଯାଉଛି।

୨୨ ଅଗଷ୍ଟରେ ଥିଲା ଡ୍ରାଇଭିଂ ଟେଷ୍ଟ
ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସୁମିତ୍ରାଙ୍କ ସ୍ୱାମୀ କୃଷ୍ଣେନ୍ଦୁ ଦାସ ନିକଟରେ ଏହି କାରଟି କିଣିଥିଲେ। ଆସନ୍ତା ଅଗଷ୍ଟ ୨୨ ତାରିଖରେ ସୁମିତ୍ରାଙ୍କର ଡ୍ରାଇଭିଂ ଲାଇସେନ୍ସ ପାଇଁ ଟେଷ୍ଟ ଥିବାରୁ ସେ ନିୟମିତ ଗାଡ଼ି ଚଳାଇବା ଅଭ୍ୟାସ କରୁଥିଲେ।
ଜଣେ ନୂଆ ଡ୍ରାଇଭର ହୋଇଥିବାରୁ, ଭୁଲବଶତଃ ବ୍ରେକ୍ ବଦଳରେ ଆକ୍ସିଲେରେଟର (Accelerator) ଦବଇେ ଦେବାରୁ କାର୍‌ଟି ଦ୍ରୁତ ଗତିରେ ଯାଇ ପୋଖରୀରେ ପଡ଼ିଯାଇଥିଲା।