ମେରଠ: ପରକୀୟା ପ୍ରୀତି ସନ୍ଦେହରେ ତୁମୁଳକାଣ୍ଡ । ଅନ୍ୟ ମହିଳାଙ୍କ ସହ ସଂପର୍କ ଥିବା ସନ୍ଦେହରେ ନିଜ ସ୍ବାମୀଙ୍କୁ ମରଣାନ୍ତକ ଆକ୍ରମଣ କରିଛି ସ୍ତ୍ରୀ । ପ୍ରଥମେ କଫିରେ ନିଶାଦ୍ରବ୍ୟ ମିଶାଇ ସ୍ବାମୀଙ୍କୁ ଅଚେତ କରାଇବା ପରେ, ଛୁରୀରେ ତାଙ୍କର ଯୌନାଙ୍ଗକୁ ଆଘାତ ଦେବା ଭଳି ଘଟଣା ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । ଉତ୍ତର ପ୍ରଦେଶର ମେରଠ ଜିଲ୍ଲାସ୍ଥିତ ଲିସାଡ଼ି ଗେଟ୍‌ ଥାନା ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି । 

ମେରଠର ଜୈଦ ଗାର୍ଡେନ ଅଞ୍ଚଳରେ ରହୁଥିବା ଏହି ଦମ୍ପତିଙ୍କ ସନ୍ତାନ ନାହାନ୍ତି । ଏଭଳି ସ୍ଥିତିରେ, ସ୍ବାମୀ ଅନ୍ୟ ଜଣେ ମହିଳାଙ୍କ ପ୍ରେମରେ ପଡ଼ି ତାଙ୍କୁ ବିବାହ ପାଇଁ ଯୋଜନା କରୁଥିବା ନେଇ ସ୍ତ୍ରୀଙ୍କୁ ସନ୍ଦେହ ହୋଇଥିଲା । ଅକ୍ଟୋବର ୮ ତାରିଖରେ ଏହି ପ୍ରସଙ୍ଗକୁ ନେଇ ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହା ପରେ କଫିରେ ନିଷା ଔଷଧ ମିଶାଇ ସ୍ବାମୀଙ୍କୁ ପିଇବାକୁ ଦେଇଥିଲା ସ୍ତ୍ରୀ । କଫି ପିଇବା ପରେ ବ୍ୟକ୍ତିଜଣଙ୍କ ଅଚେତ ହୋଇପଡ଼ିଥିଲେ । ଏହାର ସୁଯୋଗ ନେଇ ମହିଳା ନିଜ ସ୍ବାମୀଙ୍କ ଯୌନାଙ୍ଗକୁ ଛୁରୀରେ ଆଘାତ ଦେଇଥିଲେ । 

ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଇ ଚିତ୍କାର କରିଥିଲେ ପୀଡ଼ିତ । ତାଙ୍କର ଚିତ୍କାର ଶୁଣି ପରିବାର ଲୋକେ ତାଙ୍କ ପାଖରେ ପହଞ୍ଚିଥିଲେ ଏବଂ ତୁରନ୍ତ ତାଙ୍କୁ ଡାକ୍ତରଖାନା ନେଇଯାଇଥିଲେ । ସେପଟେ ଅଭିଯୁକ୍ତ ସ୍ତ୍ରୀ ସେତେବେଳେକୁ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ଡାକ୍ତରଖାନାରେ ଚିକିତ୍ସିତ ହେବା ପରେ ଏବେ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟବସ୍ଥା ସୁଧୁରିଛି । ସେ ନିଜ ସ୍ତ୍ରୀଙ୍କ ବିରୋଧରେ ଥାନାରେ ଅଭିଯୋଗ କରିବା ପରେ ପୂରା ମାମଲା ସାମ୍ନାକୁ ଆସିଛି । 

Also Read: ମଦୁଆ ସ୍ୱାମୀକୁ ମାରିଦେଲି.. ପୋଲିସ ଆଗରେ ସ୍ତ୍ରୀଙ୍କ ଚାଞ୍ଚଲ୍ୟକର ବୟାନ

ପୀଡ଼ିତଙ୍କ ଅଭିଯୋଗ ପାଇବା ପରେ ପୁଲିସ ମାମଲା ରୁଜୁ କରିଛି । କୋତଓ୍ବାଲି ଥାନା ଅଧିକାରୀଙ୍କ ସୂଚନା ଅନୁଯାୟୀ, ବ୍ୟକ୍ତିଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ ହୋଇଛି ଏବଂ ତଦନ୍ତ ଚାଲିଛି । ସେପଟେ ପୁଲିସ ଅଭିଯୁକ୍ତ ମହିଳାଙ୍କୁ ଅଟକ ରଖି ପଚରା ଉଚରା କରିଛି । ପାରିବାରିକ କଳହରୁ ଏଭଳି ନାରକୀୟ ଘଟଣା ଘଟିଛି । ତେବେ ସନ୍ଦେହ କେତେ ସାଂଘାତିକ ହୋଇପାରେ, ଏହି ଖବରରୁ ସ୍ପଷ୍ଟ ।