କଟକ: ମହାନଦୀ ପଠାରେ ଆରମ୍ଭ ହୋଇଛି ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ପରମ୍ପରାର ପ୍ରତୀକ ଐତିହାସିକ କଟକ ବାଲିଯାତ୍ରା। ଚଳିତ ବର୍ଷ ପ୍ରଥମ ଥର ପାଇଁ ଦେଶର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଏହି ମହୋତ୍ସବକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି। ଅତୀତର ଗୌରବରୁ ପ୍ରେରଣା ନେଇ ଉଜ୍ଜ୍ୱଳ ଭବିଷ୍ୟତ ଗଢ଼ିବା ଆମର କର୍ତ୍ତବ୍ୟ ହେବା ଉଚିତ ବୋଲି ରାଷ୍ଟ୍ରପତି ନିଜ ଉଦଘାଟନୀ ଅଭିଭାଷଣରେ ଆହ୍ୱାନ ଦେଇଛନ୍ତି।

‘ମେକ୍ ଇନ୍ ଇଣ୍ଡିଆ’ ଏବେ ବିଶ୍ୱ ବ୍ରାଣ୍ଡ୍: ରାଷ୍ଟ୍ରପତି

ବାଲିଯାତ୍ରାରେ ଉପସ୍ଥିତ ଜନସମାଗମକୁ ସମ୍ବୋଧିତ କରି ରାଷ୍ଟ୍ରପତି କହିଛନ୍ତି ଯେ, ଆମ ସାଧବପୁଅମାନେ ପ୍ରାଚୀନ କାଳରୁ ବିଦେଶ ସହ ବାଣିଜ୍ୟ କରି ଅନ୍ତର୍ଜାତୀୟ ସମ୍ପର୍କକୁ ସୁଦୃଢ଼ କରିଥିଲେ। ସେହି ନୌବାଣିଜ୍ୟ ଇତିହାସରୁ ଆଜିର ଯୁବପିଢ଼ି ପ୍ରେରଣା ନେବା ଆବଶ୍ୟକ। ବର୍ତ୍ତମାନ ଭିତ୍ତିଭୂମି ବିକାଶର ସୁଯୋଗ ନେଇ ଯୁବସମାଜ ଆଗକୁ ବଢ଼ନ୍ତୁ, କାରଣ ‘ମେକ୍ ଇନ୍ ଇଣ୍ଡିଆ’ ଆଜି ବିଶ୍ୱସ୍ତରରେ ଏକ ବଡ଼ ବ୍ରାଣ୍ଡରେ ପରିଣତ ହୋଇସାରିଛି। ଏହି ଅବସରରେ ସେ କନ୍ଧମାଳ ହଳଦୀ ଏବଂ କୋରାପୁଟ କଫିର ଉଚ୍ଚ ପ୍ରଶଂସା କରିଥିଲେ।

କଟକ ବାଲିଯାତ୍ରା ମାଧ୍ୟମରେ ଇଣ୍ଡୋନେସିଆର ବାଲି ଦ୍ୱୀପ ଓ ଓଡ଼ିଶା ମଧ୍ୟରେ ବାଣିଜ୍ୟିକ, ସାଂସ୍କୃତିକ ଏବଂ କୂଟନୈତିକ ସମ୍ପର୍କ ଆହୁରି ମଜଭୁତ ହେବ ବୋଲି ରାଷ୍ଟ୍ରପତି ଆଶା ପ୍ରକାଶ କରିଛନ୍ତି। ବାଲିଯାତ୍ରାକୁ ୟୁନେସ୍କୋ (UNESCO) ମାନ୍ୟତା ଦେବା ପାଇଁ ସରକାରୀ ସ୍ତରରେ ହେଉଥିବା ପ୍ରୟାସକୁ ସେ ପ୍ରଶଂସା କରିବା ସହ ମେଳା ବୁଲିବାକୁ ଆସୁଥିବା ଲୋକଙ୍କୁ ସ୍ୱଚ୍ଛତା ବଜାୟ ରଖିବା ଏବଂ ପରିବେଶ ପ୍ରଦୂଷଣ ନକରିବାକୁ ନିବେଦନ କରିଛନ୍ତି।

ଜ୍ଞାନ ଓ ଟେକ୍ନୋଲୋଜି ସହ ଯୋଡ଼ି ହୁଅନ୍ତୁ ଯୁବପିଢ଼ି: ରାଜ୍ୟପାଳ

ପ୍ରଥମ ଥର ପାଇଁ ବାଲିଯାତ୍ରାରେ ସାମିଲ ହୋଇ ରାଜ୍ୟପାଳ ବ୍ରଜମୋହନ ରାମ ଖୁସି ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ, ଯେଉଁ ସମୟରେ ଯୋଗାଯୋଗର କୌଣସି ଆଧୁନିକ ମାଧ୍ୟମ ନଥିଲା, ସେତେବେଳେ ଦରିଆ ପାର ହୋଇ ବିଦେଶରେ ବାଣିଜ୍ୟ କରିବା ଓଡ଼ିଶାର ସମୃଦ୍ଧ ଇତିହାସର ବଳିଷ୍ଠ ପ୍ରମାଣ। ଆଜିର ପିଢ଼ି ଜ୍ଞାନ, ବିଜ୍ଞାନ ଏବଂ ଟେକ୍ନୋଲୋଜି ସହ ଯୋଡ଼ି ହୋଇ ଦେଶର ବିକାଶରେ ଭାଗିଦାରୀ ହୁଅନ୍ତୁ ବୋଲି ରାଜ୍ୟପାଳ ପରାମର୍ଶ ଦେଇଛନ୍ତି।

କଟକବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି

ବାଲିଯାତ୍ରା ମଞ୍ଚରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଟକ ସହରର ବିକାଶ ପାଇଁ ବଡ଼ ଘୋଷଣା କରିଛନ୍ତି । ଖୁବଶୀଘ୍ର ଐତିହାସିକ ବାରବାଟୀ ଷ୍ଟାଡିୟମର ନବକଳେବର କରାଯାଇ ଏହାକୁ ୬୦ ହଜାର ଦର୍ଶକ କ୍ଷମତା ବିଶିଷ୍ଟ ଅତ୍ୟାଧୁନିକ ଷ୍ଟାଡିୟମରେ ପରିଣତ କରାଯିବ। ବହୁ ପ୍ରତୀକ୍ଷିତ ମହାନଦୀ ରିଭର ଫ୍ରଣ୍ଟ ପ୍ରକଳ୍ପ ପାଇଁ ଖୁବଶୀଘ୍ର ଶିଳାନ୍ୟାସ କରାଯିବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ବିକାଶ ସହ ବିରାସତ’ର ମନ୍ତ୍ର ଆଜି ବାଲିରେ ପ୍ରତିଫଳିତ ହେଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ବାଲି ଦ୍ୱୀପରେ ମଧ୍ୟ 'ଓଡ଼ିଶା ପରବ' ଆୟୋଜିତ ହେଉଛି, ଯେଉଁଥିରେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ଓ କ୍ରୀଡ଼ା ମନ୍ତ୍ରୀ ଯୋଗ ଦେଇଛନ୍ତି।

ବାଲି ଦ୍ୱୀପ ସହ ସମ୍ପର୍କ ବଢ଼ାଇବାକୁ ମୁଖ୍ୟ ଶାସନ ସଚିବଙ୍କ ବଡ଼ ଘୋଷଣା

ଓଡ଼ିଶା ଏବଂ ଇଣ୍ଡୋନେସିଆର ବାଲି ଦ୍ୱୀପ ମଧ୍ୟରେ ଐତିହାସିକ ସମ୍ପର୍କକୁ ନୂଆ ରୂପ ଦେବା ପାଇଁ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କେତେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ଯେଉଁଥିରେ ରହିଛି ବାଲି ଦ୍ୱୀପ ସହ ‘ଷ୍ଟୁଡେଣ୍ଟସ୍ ଏକ୍ସଚେଞ୍ଜ’ (ଛାତ୍ର ବିନିମୟ) କାର୍ଯ୍ୟକ୍ରମ ଆରମ୍ଭ ହେବ।  ଓଡ଼ିଶାର ବିଶ୍ୱବିଦ୍ୟାଳୟରେ ‘ଇଣ୍ଡୋ-ବାଲି ସ୍ପେଶାଲ ଚେୟାର’ ପ୍ରତିଷ୍ଠା କରାଯିବ। ବାଲି ସଂଗ୍ରହାଳୟରେ ଏକ ସ୍ୱତନ୍ତ୍ର ‘ଓଡ଼ିଶା ଗ୍ୟାଲେରୀ’ ସ୍ଥାପନ ହେବ। ଆସନ୍ତା ଏପ୍ରିଲ ମାସରେ ଓଡ଼ିଶା ସରକାରଙ୍କ ପକ୍ଷରୁ ବାଲି ଦ୍ୱୀପରେ ‘ମହାନଦୀ ଯାତ୍ରା’ ଆୟୋଜନ କରାଯିବ।