ନୂଆଦିଲ୍ଲୀ: ରୁଷ୍-ୟୁକ୍ରେନ୍ ଯୁଦ୍ଧରେ ରୁଷକୁ ବଡ଼ କ୍ଷତି ସହିବାକୁ ପଡ଼ିଛି । ରୁଷର ସରକାରୀ ପରିସଂଖ୍ୟାନ ସଂସ୍ଥା 'ରୋସଷ୍ଟାଟ୍'ର ଡାଟା ହ୍ୟାକ୍ ହେବା ପରେ ଯୁଦ୍ଧରେ ରୁଷୀୟ ସୈନିକଙ୍କ ମୃତ୍ୟୁ ସଂଖ୍ୟା ସମ୍ପର୍କରେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ଏହି ତଥ୍ୟ ଅନୁସାରେ, ୨୦୨୬ ସେପ୍ଟେମ୍ବର ଶେଷ ସୁଦ୍ଧା ପ୍ରାୟ ୪ ଲକ୍ଷ ୯୦ ହଜାର ରୁଷୀୟ ସୈନିକଙ୍କ ମୃତ୍ୟୁ ସରକାରୀ ରେକର୍ଡରେ ପଞ୍ଜୀକୃତ ହୋଇଥିଲା । ତେବେ ମୃତ୍ୟୁ ସଂଖ୍ୟା ପ୍ରକୃତରେ ଏହାଠାରୁ ଅଧିକ ହୋଇପାରେ ବୋଲି ଗବେଷକମାନେ ଆକଳନ କରିଛନ୍ତି । ନିଖୋଜ ସୈନିକ ଏବଂ ମୃତ୍ୟୁ ରେକର୍ଡରେ ବିଳମ୍ବକୁ ହିସାବକୁ ନେଲେ ଏହି ସଂଖ୍ୟା ୭ ଲକ୍ଷ ୨୦ ହଜାର କିମ୍ବା ତା'ଠାରୁ ଅଧିକ ହୋଇପାରେ ।

ଜର୍ମାନୀର ପତ୍ରିକା 'ଡେର୍ ସ୍ପିଗେଲ୍' ସମେତ ରୁଷର କିଛି ସ୍ୱାଧୀନ ଗଣମାଧ୍ୟମ ଏହି ତଥ୍ୟର ବିଶ୍ଳେଷଣ କରିଛନ୍ତି । ରିପୋର୍ଟ ଅନୁସାରେ, 'ସାଇବର ପାର୍ଟିଜାନ୍ସ' ଏବଂ 'ସାଇଲେଣ୍ଟ କ୍ରୋ' ନାମକ ହ୍ୟାକର୍ ଗୋଷ୍ଠୀ ରୁଷର ସରକାରୀ ସଂସ୍ଥା ରୋସଷ୍ଟାଟର କମ୍ପ୍ୟୁଟର୍ ନେଟୱର୍କରେ ପ୍ରବେଶ କରି ତଥ୍ୟ ହାସଲ କରିଥିବା ଦାବି କରିଥିଲେ । ଏହି ଗୋଷ୍ଠୀଗୁଡ଼ିକ ନଭେମ୍ବର ୧ରେ ସାଇବର ଆକ୍ରମଣ ସମ୍ପର୍କରେ ଘୋଷଣା କରିଥିଲେ । ଏହାପରେ ନଭେମ୍ବର ୮ରେ ଗଣମାଧ୍ୟମକୁ ଡାଟା ହସ୍ତାନ୍ତର କରିଥିଲେ ।

Also read: ନାଇଟ୍ ପାର୍ଟିରେ ହାତାହାତି ହେଲେ ଦୁଇ ବରିଷ୍ଠ IPS ଅଧିକାରୀ, ଜଣେ ଆହତ

ରୁଷର ସ୍ୱାଧୀନ ଗଣମାଧ୍ୟମ 'ମେଡୁଜା' ଏବଂ 'ମିଡିଆଜୋନା' ହ୍ୟାକ୍ ହୋଇଥିବା ଡାଟାର ଯାଞ୍ଚ କରିଥିଲେ । ଏହି ଯାଞ୍ଚରୁ ଜଣାପଡ଼ିଥିଲା ଯେ, ସୈନିକଙ୍କ ମୃତ୍ୟୁ ସମ୍ପର୍କିତ ନାମଭିତ୍ତିକ ତାଲିକାରେ ୨୯ ସେପ୍ଟେମ୍ବର ୨୦୨୬ ସୁଦ୍ଧା ଥିବା ପ୍ରାୟ ୯୫.୧ ପ୍ରତିଶତ ତଥ୍ୟ ହ୍ୟାକ୍ ହୋଇଥିବା ଡାଟାବେସରେ ମଧ୍ୟ ମିଳିଥିଲା । ତେଣୁ ଏହି ତଥ୍ୟକୁ ବିଶ୍ୱସନୀୟ ବୋଲି ଗଣମାଧ୍ୟମ ସଂସ୍ଥାଗୁଡ଼ିକ ମତ ଦେଇଛନ୍ତି । ସରକାରୀ ରେକର୍ଡରେ ମୃତ୍ୟୁ ପଞ୍ଜୀକରଣ ହେବାକୁ ଅନେକ ସମୟ ଲାଗିଥାଏ । ବିଶେଷକରି ଯୁଦ୍ଧ ସମୟରେ ନିଖୋଜ ହୋଇଥିବା ସୈନିକଙ୍କ ମୃତ୍ୟୁ ସମ୍ପର୍କରେ ଆଇନଗତ ଘୋଷଣା ହେବାରେ ବିଳମ୍ବ ହୁଏ । ମେଡୁଜା ଏବଂ ମିଡିଆଜୋନା ଏହି ବିଳମ୍ବକୁ ହିସାବକୁ ନେଇ ମୃତ୍ୟୁ ସଂଖ୍ୟାର ଆକଳନ କରିଛନ୍ତି । ସେମାନଙ୍କ ଅନୁସାରେ, ପ୍ରକୃତ ମୃତ୍ୟୁ ସଂଖ୍ୟା ୭ ଲକ୍ଷ ୨୦ ହଜାର କିମ୍ବା ତା'ଠାରୁ ଅଧିକ ହୋଇପାରେ ।

ରୁଷର ସରକାରୀ ସଂସ୍ଥା ରୋସଷ୍ଟାଟ୍ ନଭେମ୍ବର ଆରମ୍ଭରେ ନିଜ ସିଷ୍ଟମ୍ ଉପରେ ସାଇବର ଆକ୍ରମଣ ହୋଇଥିବା ସ୍ୱୀକାର କରିଥିଲା । କିନ୍ତୁ ଏହାର ଡାଟା ଚୋରି ହୋଇଥିବା ଦାବିକୁ ଖଣ୍ଡନ କରିଥିଲା । ଅନ୍ୟପକ୍ଷରେ, ହ୍ୟାକରଙ୍କଠାରୁ ମିଳିଥିବା ତଥ୍ୟକୁ ଆଧାର କରି ଗଣମାଧ୍ୟମ ସଂସ୍ଥାଗୁଡ଼ିକ ରୁଷର ଯୁଦ୍ଧଜନିତ କ୍ଷତିର ଆକଳନ କରିଛନ୍ତି । ଆମେରିକାର ଥିଙ୍କ୍ ଟ୍ୟାଙ୍କ 'ସେଣ୍ଟର ଫର୍ ଷ୍ଟ୍ରାଟେଜିକ୍ ଆଣ୍ଡ୍ ଇଣ୍ଟରନ୍ୟାସନାଲ୍ ଷ୍ଟଡିଜ୍' (CSIS) ଜୁଲାଇ ୨୦୨୬ରେ ଆକଳନ କରିଥିଲା ଯେ, ଯୁଦ୍ଧରେ ୪ ଲକ୍ଷରୁ ୪.୫୦ ଲକ୍ଷ ରୁଷୀୟ ସୈନିକଙ୍କ ମୃତ୍ୟୁ ହୋଇଥାଇପାରେ। ସେହିପରି ୧.୨୫ ଲକ୍ଷରୁ ୧.୫୦ ଲକ୍ଷ ୟୁକ୍ରେନୀୟ ସୈନିକଙ୍କ ମୃତ୍ୟୁ ହୋଇଥିବା ଆକଳନ କରାଯାଇଥିଲା । ମିଡିଆଜୋନା ଏପର୍ଯ୍ୟନ୍ତ ନାମ ଆଧାରରେ ୨ ଲକ୍ଷ ୮୯ ହଜାର ୧୩୬ ଜଣ ରୁଷୀୟ ସୈନିକଙ୍କ ମୃତ୍ୟୁକୁ ଚିହ୍ନଟ କରିଛି । ଅନ୍ୟପକ୍ଷରେ ୟୁକ୍ରେନର ୱେବସାଇଟ୍ UA Lossesରେ ୧ ଲକ୍ଷ ୬ ହଜାର ୨୮୫ ଜଣ ୟୁକ୍ରେନୀୟ ସୈନିକଙ୍କ ମୃତ୍ୟୁ ରେକର୍ଡ ହୋଇଛି ।