ଇସଲାମାବାଦ: ପାକିସ୍ତାନର ଶକ୍ତିଶାଳୀ ସେନାମୁଖ୍ୟ ଫିଲ୍ଡ ମାର୍ଶଲ ଅସିମ ମୁନୀରଙ୍କ ଏକ ନିଷ୍ପତ୍ତିକୁ ନେଇ ପାକିସ୍ତାନରେ ଜନଆନ୍ଦୋଳନ ତୀବ୍ର ହୋଇଛି । ଅସିମ ମୁନୀର ଦେଶର ୪ଟି ମୁଖ୍ୟ ପ୍ରଶାସନିକ ପ୍ରଦେଶ—ପଞ୍ଜାବ, ସିନ୍ଧ, ଖାଇବର ପଖତୁନଖ୍ୱା ଏବଂ ବାଲୁଚିସ୍ତାନର ମାନଚିତ୍ରକୁ ପୁନଃନିର୍ଦ୍ଧାରଣ କରିବାକୁ ସ୍ଥିର କରିଛନ୍ତି । ପାକିସ୍ତାନରେ ଏବେ ମୁନୀର ସର୍ବେସର୍ବା ଥିବା ବେଳେ ତାଙ୍କର ଏହି ଯୋଜନାକୁ ଲୋକେ ଖୁବ ବିରୋଧ କରିଛନ୍ତି । ହଜାର ହଜାର ସିନ୍ଧି ଲୋକ କରାଚୀ ରାଜରାସ୍ତାକୁ ଓହ୍ଲାଇ ସିନ୍ଧ ପ୍ରଦେଶକୁ ବିଭାଜନ କରିବା କିମ୍ବା ନୂତନ ପ୍ରଶାସନିକ ୟୁନିଟ୍ ଗଠନ କରିବାର ପ୍ରସ୍ତାବକୁ ତୀବ୍ର ବିରୋଧ କରିଛନ୍ତି। 'ଜିୟେ ସିନ୍ଧ ରହବର କମିଟି' ଦ୍ୱାରା ଆୟୋଜିତ ଏହି ବିଶାଳ ରାଲିରେ ବିଭିନ୍ନ ଜାତୀୟତାବାଦୀ ନେତା, ରାଜନୈତିକ କର୍ମୀ, ଓକିଲ ଏବଂ ନାଗରିକ ସମାଜର ସଦସ୍ୟମାନେ ବହୁ ସଂଖ୍ୟାରେ ସାମିଲ ହୋଇଥିଲେ।

'ପାକିସ୍ତାନ ଟୁଡେ'ରେ ପ୍ରକାଶିତ ଖବର ଅନୁସାରେ, ସିନ୍ଧର ଆଞ୍ଚଳିକ ଅଖଣ୍ଡତା ଉପରେ କୌଣସି ସାଲିସ କରାଯାଇପାରିବ ନାହିଁ ବୋଲି ପ୍ରତିବାଦକାରୀ କହିଛନ୍ତି । ପ୍ରଦେଶର ଭୌଗୋଳିକ କିମ୍ବା ପ୍ରଶାସନିକ ୟୁନିଟ୍ ସମ୍ବନ୍ଧୀୟ ଯେକୌଣସି ନିଷ୍ପତ୍ତି କେବଳ ଲୋକଙ୍କ ଇଚ୍ଛା ଅନୁଯାୟୀ ନିଆଯିବା ଉଚିତ ବୋଲି ସେମାନେ ଦାବି କରିଛନ୍ତି । ସେମାନଙ୍କ ମତରେ ସିନ୍ଧର ପରିଚୟ ଏହାର ଇତିହାସ, ସଂସ୍କୃତି ଏବଂ ସଭ୍ୟତା ଉପରେ ଆଧାରିତ । ତେଣୁ ଏହାକୁ କେବଳ ପ୍ରଶାସନିକ ସୁବିଧାର ବିଷୟ ଭାବରେ ବିବେଚନା କରାଯାଇପାରିବ ନାହିଁ। ଏହା ସହିତ, ନୂତନ ପ୍ରଦେଶ ଗଠନ ପାଇଁ ଗଣଭୋଟ କରାଇବା ପ୍ରସ୍ତାବକୁ ମଧ୍ୟ ସେମାନେ ବିରୋଧ କରିଛନ୍ତି। 

ଏହି ପ୍ରସ୍ତାବିତ ଯୋଜନାରେ ପାକିସ୍ତାନର ଚାରୋଟି ପ୍ରଦେଶକୁ ଭାଙ୍ଗି ଏକ ଡଜନ କିମ୍ବା ତାଠୁ ଅଧିକ ଛୋଟ ପ୍ରଦେଶରେ ପରିଣତ କରିବାର ଲକ୍ଷ୍ୟ ରଖାଯାଇଛି। ଯଦିଓ ଏହି ଯୋଜନାକୁ ପ୍ରଶାସନିକ ବ୍ୟବସ୍ଥାରେ ସୁଧାର ଆଣିବା, କ୍ଷମତାର ବିକେନ୍ଦ୍ରୀକରଣ କରିବା ଏବଂ ସରକାରଙ୍କୁ ନାଗରିକଙ୍କ ନିକଟତର କରାଇବାର ଏକ ପ୍ରୟାସ ଭାବରେ ଉପସ୍ଥାପନ କରାଯାଉଛି, ତଥାପି ଏହା କାର୍ଯ୍ୟକାରୀ ହେଲେ ପାକିସ୍ତାନର ସଂଘୀୟ ଢାଞ୍ଚାରେ ମୌଳିକ ପରିବର୍ତ୍ତନ ଆସିବ ବୋଲି ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି। 

ଏହି ପ୍ରସଙ୍ଗରେ ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ଅଧ୍ୟକ୍ଷ ବିଲାୱଲ ଭୁଟ୍ଟୋ-ଜର୍ଦ୍ଦାରୀ ମଧ୍ୟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ପାକିସ୍ତାନୀ ଗଣମାଧ୍ୟମ 'ଜିଓ ଟିଭି'ର ରିପୋର୍ଟ ଅନୁଯାୟୀ, ନଭେମ୍ବର ୧୭ ତାରିଖରେ କରାଚୀ ପ୍ରେସ୍ କ୍ଲବରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ ଚେତାବନୀ ଦେଇ କହିଛନ୍ତି ଯେ, ଯଦି ବଳପୂର୍ବକ ସିନ୍ଧ ପ୍ରଦେଶକୁ ବିଭାଜନ କରାଯାଏ, ତେବେ ସମାଜ ବିଭାଜିତ ହେବ । ଶତ୍ରୁତା ବଢ଼ିବ ଏବଂ ସାଧାରଣ ଲୋକେ ଅସ୍ତ୍ର ଉଠାଇବାକୁ ବାଧ୍ୟ ହେବେ । ଫଳରେ ବ୍ୟାପକ ରକ୍ତପାତ ଘଟିବ। ସେ ସ୍ପଷ୍ଟ କରିଛନ୍ତି ଯେ, ତାଙ୍କ ଦଳ ସମ୍ବିଧାନ, ଆଇନ ଏବଂ ଲୋକଙ୍କ ଇଚ୍ଛା ଅନୁଯାୟୀ ନୂତନ ପ୍ରଦେଶ ଗଠନକୁ ସମର୍ଥନ କରେ । କିନ୍ତୁ ବଳପ୍ରୟୋଗ କିମ୍ବା ଜବରଦସ୍ତି ବିଭାଜନକୁ ସେମାନେ କେବେ ବି ଗ୍ରହଣ କରିବେ ନାହିଁ।