ନୂଆଦିଲ୍ଲୀ: ମହାକାଶ ବିଜ୍ଞାନ କ୍ଷେତ୍ରରେ ବୈଜ୍ଞାନିକମାନେଏକ ବଡ଼ ସଫଳତା ହାସଲ କରିଛନ୍ତି । ମହାକାଶରେ ଏପର୍ଯ୍ୟନ୍ତ ଚିହ୍ନଟ ହୋଇଥିବା ସବୁଠାରୁ ଦୂରତମ କ୍ୱାସାର (Quasar) ଆବିଷ୍କାର କରାଯାଇଛି । ଏହି କ୍ୱାସାର ବ୍ରହ୍ମାଣ୍ଡ ସୃଷ୍ଟି ହେବାର ମାତ୍ର ୬୩ କୋଟି ବର୍ଷ ପରେ ହିଁ ଅସ୍ତିତ୍ୱକୁ ଆସିଥିଲା । ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ଏହାର କେନ୍ଦ୍ରରେ ଥିବା ବ୍ଲାକ୍ ହୋଲର ଓଜନ ଆମ ସୂର୍ଯ୍ୟର ଓଜନଠାରୁ ପ୍ରାୟ ୩୬ କୋଟି ଗୁଣ ଅଧିକ । ତେବେ ଏତେ କମ୍ ସମୟ ମଧ୍ୟରେ ଏତେ ବିଶାଳ ବ୍ଲାକ୍ ହୋଲ୍ କିପରି ସୃଷ୍ଟି ହେଲା, ତାହା ଏବେ ବୈଜ୍ଞାନିକଙ୍କ ପାଇଁ ବଡ଼ ପ୍ରଶ୍ନ ପାଲଟିଛି ।

କ୍ୱାସାର ହେଉଛି ଏକ ଆକାଶଗଙ୍ଗାର ଅତ୍ୟନ୍ତ ଉଜ୍ଜ୍ୱଳ କେନ୍ଦ୍ର । ଏହାର ମଧ୍ୟଭାଗରେ ଏକ ବିଶାଳ ବ୍ଲାକ୍ ହୋଲ୍ ରହିଥାଏ । ଏହି ବ୍ଲାକ୍ ହୋଲ୍ ନିଜ ଚାରିପାଖରେ ଥିବା ଗ୍ୟାସ୍, ଧୂଳି ଏବଂ ଅନ୍ୟ ପଦାର୍ଥଗୁଡ଼ିକୁ ନିଜ ଆଡ଼କୁ ଆକର୍ଷିତ କରିଥାଏ । ଏହି ପ୍ରକ୍ରିୟାରେ ବିପୁଳ ପରିମାଣର ଶକ୍ତି ଓ ଆଲୋକ ନିର୍ଗତ ହୁଏ । ଫଳରେ କ୍ୱାସାର ଅତ୍ୟନ୍ତ ଉଜ୍ଜ୍ୱଳ ଦେଖାଯାଏ । ବୈଜ୍ଞାନିକଙ୍କ ପାଇଁ କ୍ୱାସାର ଅଧ୍ୟୟନ ଗୁରୁତ୍ୱପୂର୍ଣ୍ଣ । କାରଣ ଏହା ମାଧ୍ୟମରେ ବ୍ରହ୍ମାଣ୍ଡର ପ୍ରାରମ୍ଭିକ ଅବସ୍ଥା ଏବଂ ସେହି ସମୟରେ ଥିବା ବିଶାଳ ବ୍ଲାକ୍ ହୋଲ୍ ସମ୍ପର୍କରେ ଅନେକ ତଥ୍ୟ ମିଳିଥାଏ । ବର୍ତ୍ତମାନ ଆବିଷ୍କୃତ ହୋଇଥିବା ଏହି କ୍ୱାସାର ପ୍ରାୟ ୧୩.୧ ବିଲିୟନ ବର୍ଷ ପୂର୍ବର ଅବସ୍ଥାରେ ଦେଖାଯାଉଛି । ସେତେବେଳେ ବ୍ରହ୍ମାଣ୍ଡର ବୟସ ବର୍ତ୍ତମାନର ବୟସର ୫ ପ୍ରତିଶତ ମଧ୍ୟ ହୋଇନଥିଲା ।

Also Read: Nvidiaକୁ ହୁଆଙ୍ଗଙ୍କ ପ୍ରତ୍ୟାବର୍ତ୍ତନ ପଛରେ ଟ୍ରମ୍ପ ! ନିଜକୁ ନିଜେ ଦେଲେ କ୍ରେଡିଟ୍

ୟୁରୋପୀୟ ସାଉଥର୍ଣ୍ଣ ଅବଜରଭେଟୋରିର ବୈଜ୍ଞାନିକ ଜୁଲିଆନ୍ ୱଲ୍ଫଙ୍କ ନେତୃତ୍ୱରେ ଏହି ଗବେଷଣା କରାଯାଇଥିଲା । ତାଙ୍କ ଟିମ୍ ୟୁରୋପୀୟ ସ୍ପେସ୍ ଏଜେନ୍ସିର 'ୟୁକ୍ଲିଡ୍ ଟେଲିସ୍କୋପ୍' ଦ୍ୱାରା ମିଳିଥିବା ଲକ୍ଷ ଲକ୍ଷ ମହାକାଶ ତଥ୍ୟକୁ ବିଶ୍ଳେଷଣ କରି ଏହି କ୍ୱାସାରକୁ ଚିହ୍ନଟ କରିଥିଲେ । ୨୦୨୩ ମସିହାରେ ଉତ୍କ୍ଷେପଣ ହୋଇଥିବା ଏହି ଟେଲିସ୍କୋପ୍ ବ୍ରହ୍ମାଣ୍ଡରେ ଥିବା ଆକାଶଗଙ୍ଗାଗୁଡ଼ିକର ସର୍ଭେ କରୁଛି । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଡାର୍କ ମ୍ୟାଟର୍ ଏବଂ ଡାର୍କ ଏନର୍ଜି ସମ୍ପର୍କରେ ଅଧିକ ତଥ୍ୟ ହାସଲ କରିବା । ବୈଜ୍ଞାନିକମାନେ ଏହି କ୍ୱାସାରର ନାମ ଆୟରଲ୍ୟାଣ୍ଡର ଆରାନ୍ ଦ୍ୱୀପପୁଞ୍ଜରେ ଥିବା ଏକ ପ୍ରାଚୀନ ପଥର ଦୁର୍ଗ 'ଡନ୍ ଏଙ୍ଗୁସା' ନାମ ଅନୁସାରେ ରଖିଛନ୍ତି ।

ଗବେଷଣାର ନେତୃତ୍ୱ ନେଇଥିବା ଜୁଲିଆନ୍ ୱଲ୍ଫଙ୍କ ଅନୁସାରେ, ଏହି ଆବିଷ୍କାର ପ୍ରାରମ୍ଭିକ ବ୍ରହ୍ମାଣ୍ଡକୁ ବୁଝିବା ପାଇଁ ଏକ ନୂଆ ସମୟସୀମା ନିର୍ଦ୍ଧାରଣ କରିଛି । ସେ କହିଛନ୍ତି, ବିଗ୍ ବ୍ୟାଙ୍ଗର ପ୍ରାୟ ୬୩ କୋଟି ବର୍ଷ ପରେ ହିଁ ଏହି ବ୍ଲାକ୍ ହୋଲର ଦ୍ରବ୍ୟମାନ ସୂର୍ଯ୍ୟର ଦ୍ରବ୍ୟମାନଠାରୁ ୩୬ କୋଟି ଗୁଣ ଅଧିକ ହୋଇସାରିଥିଲା । କିନ୍ତୁ ଏତେ କମ୍ ସମୟ ମଧ୍ୟରେ ଏହା ଏତେ ବିଶାଳ କିପରି ହେଲା, ତାହାର ଉତ୍ତର ଏବେ ବି ମିଳିନାହିଁ । ବୈଜ୍ଞାନିକ ଟିମ୍ ଏବେ ମଧ୍ୟ ବ୍ରହ୍ମାଣ୍ଡର ପ୍ରାରମ୍ଭିକ ଅବସ୍ଥାରେ ଥିବା ଅନ୍ୟ କ୍ୱାସାରଗୁଡ଼ିକର ସନ୍ଧାନ ଜାରି ରଖିଛନ୍ତି । ଏହି ଗବେଷଣାର ଚୂଡ଼ାନ୍ତ ଫଳାଫଳ 'ଆଷ୍ଟ୍ରୋନମି & ଆଷ୍ଟ୍ରୋଫିଜିକ୍ସ' ନାମକ ପତ୍ରିକାରେ ପ୍ରକାଶ ପାଇଛି ।