ଭୁବନେଶ୍ୱର: ଭୁବନେଶ୍ୱର, କଟକ, ପୁରୀ ଏବଂ ପାରାଦୀପ ଅର୍ଥନୈତିକ କରିଡରରେ ଗମନାଗମନ ବ୍ୟବସ୍ଥାକୁ ଅଧିକ ସୁଗମ ଓ ଆଧୁନିକ କରିବା ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ଓଡ଼ିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆସନ୍ତାକାଲି ଅର୍ଥାତ୍ ୨୩ ନଭେମ୍ବର ୨୦୨୬ରୁ 'ବ୍ୟାପକ ଆଞ୍ଚଳିକ ଗତିଶୀଳତା ଯୋଜନା' (CRMP) ଅନ୍ତର୍ଗତ 'ଘରକୁ ଘର ଯାତାୟାତ ସର୍ଭେ' (Household Travel Survey) ଆରମ୍ଭ ହେବାକୁ ଯାଉଛି।

ସାଧାରଣ ଲୋକେ ପ୍ରତିଦିନ କିପରି ଯାତ୍ରା କରୁଛନ୍ତି, ଯାତାୟାତ ସମୟରେ ସେମାନେ କେଉଁ ସବୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏବଂ କେଉଁ ଅଞ୍ଚଳରେ ପରିବହନ ବ୍ୟବସ୍ଥାର ସୁଧାର ଆବଶ୍ୟକ—ତାହା ଜାଣିବା ଏହି ସର୍ଭେର ମୁଖ୍ୟ ଲକ୍ଷ୍ୟ। ଏସୀୟ ଉନ୍ନୟନ ବ୍ୟାଙ୍କ (ADB) ସହାୟତାରେ ଏହି ଯୋଜନା ପ୍ରସ୍ତୁତ କରାଯାଉଛି।

ସରକାରଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ ସର୍ଭେ ଟିମ୍ ଚିହ୍ନଟ ହୋଇଥିବା ଘରକୁ ଯାଇ, ପରିବାରରେ ଥିବା ନିଜସ୍ୱ ଗାଡ଼ିମୋଟରର ବିବରଣୀ, ଲୋକଙ୍କର ଦୈନନ୍ଦିନ ଯାତାୟାତର ଶୈଳୀ ଏବଂ ଯାତ୍ରାର ଉଦ୍ଦେଶ୍ୟ, ଯାତ୍ରା ପାଇଁ ବ୍ୟବହୃତ ମାଧ୍ୟମ, ସମୟ ଏବଂ ହେଉଥିବା ଖର୍ଚ୍ଚ, ଯାତାୟାତ ସମୟରେ ଉପୁଜୁଥିବା ସମସ୍ୟା ଏବଂ ଏହାର ସମାଧାନ ପାଇଁ ଲୋକଙ୍କ ମତାମତ ବିଷୟରେ ବୁଝିବେ। ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ସଂଗୃହୀତ ସମସ୍ତ ତଥ୍ୟ କେବଳ ବିକାଶମୂଳକ ଯୋଜନା ପ୍ରସ୍ତୁତି ପାଇଁ ହିଁ ବ୍ୟବହାର କରାଯିବ।

ଏହି ଅଭିଯାନ ସମ୍ପର୍କରେ ସୂଚନା ଦେଇ ଗୃହ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ କହିଛନ୍ତି ଯେ, "ଏକ ଉତ୍ତମ ପରିବହନ ବ୍ୟବସ୍ଥା ଗଢ଼ି ତୋଳିବା ପାଇଁ ଲୋକଙ୍କ ଦୈନନ୍ଦିନ ଆବଶ୍ୟକତାକୁ ବୁଝିବା ନିହାତି ଜରୁରୀ। ଏହି ସର୍ଭେ ମାଧ୍ୟମରେ ଲୋକେ କିପରି ଯାତ୍ରା କରୁଛନ୍ତି ଏବଂ ସେମାନଙ୍କର କ’ଣ ଆଶା ରହିଛି, ସେନେଇ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିପାରିବ।" ଭବିଷ୍ୟତରେ ଏକ ସୁରକ୍ଷିତ, ସୁଲଭ ଏବଂ ସମନ୍ୱିତ ପରିବହନ ବ୍ୟବସ୍ଥା ଗଠନ ପାଇଁ ଏହି ସର୍ଭେରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବାକୁ ସେ ନାଗରିକମାନଙ୍କୁ ଆହ୍ୱାନ ଦେଇଛନ୍ତି।

କ’ଣ ରହିଛି 'CRMP'ର ଭବିଷ୍ୟତ ରୂପରେଖ ?

ଭୁବନେଶ୍ୱର–କଟକ–ପୁରୀ–ପାରାଦୀପ ଅଞ୍ଚଳରେ ଲୋକ ଏବଂ ମାଲ ପରିବହନକୁ ଦୀର୍ଘମିଆଦୀ ଭିତ୍ତିରେ ବ୍ୟବସ୍ଥିତ କରିବା ପାଇଁ ଏହି 'କମ୍ପ୍ରେହେନସିଭ୍ ରିଜିଓନାଲ୍ ମୋବିଲିଟି ପ୍ଲାନ୍' (CRMP) ମାର୍ଗଦର୍ଶନ କରିବ। କେବଳ ଘରକୁ ଘର ସର୍ଭେ ନୁହେଁ, ବରଂ ଟ୍ରାଫିକ୍ ଓ ପରିବହନ ସ୍ଥିତିର ଅନୁଧ୍ୟାନ, ସାର୍ବଜନୀନ ପରିବହନର ମୂଲ୍ୟାଙ୍କନ, ମାଲ ପରିବହନ (ଲଜିଷ୍ଟିକ୍ସ) ଅଧ୍ୟୟନ ଏବଂ ବିଭିନ୍ନ ଅଂଶୀଦାରଙ୍କ ସହ ଆଲୋଚନା ମାଧ୍ୟମରେ ଏହି ବ୍ଲୁ-ପ୍ରିଣ୍ଟ୍ ପ୍ରସ୍ତୁତ ହେବ।

ରାସ୍ତାଘାଟରେ ଟ୍ରାଫିକ୍ ଭିଡ଼ କମାଇବା ସହ ଦୈନନ୍ଦିନ ଯାତ୍ରାକୁ ଅଧିକ ନିରାପଦ ଓ ଶସ୍ତା କରିବା ଏହି ଯୋଜନାର ମୂଳ ଉଦ୍ଦେଶ୍ୟ। ସର୍ଭେ ଟିମ୍ ଘରକୁ ଗଲେ ସେମାନଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି। ଆପଣଙ୍କ ମତାମତ ହିଁ ସୁରକ୍ଷିତ ରାସ୍ତା, ଉନ୍ନତ ବସ୍ ସେବା ଏବଂ ସୁଦୃଢ଼ ଆଞ୍ଚଳିକ ଯୋଗାଯୋଗ ବ୍ୟବସ୍ଥା ଗଢ଼ିବାରେ ସହାୟକ ହେବ।