ଆଠଗଡ଼ ୨୩।୩: ଛାତ ଉପରେ ମହିଳାଙ୍କୁ ଏକୁଟିଆ ଦେଖି ଗୋଡ଼ାଇଲା ମାଙ୍କଡ଼ । ଆକ୍ରମଣ ବି କଲା । ଜୀବନ ବିକଳରେ ଦୌଡ଼ିବାକୁ ଲାଗିଲେ ମହିଳା । ଭାରସାମ୍ୟ ହରାଇ ଛାତ ଉପରୁ ତଳକୁ ଖସିପଡ଼ିଲେ । ପରିବାର ଓ ଗାଁ ଲୋକ ଦେଖିଲା ବେଳକୁ ରକ୍ତାକ୍ତ ଅବସ୍ଥାରେ ତଳେ ପଡ଼ିଥିଲେ । ସଙ୍ଗେ ସଙ୍କେ ପରିବାର ଲୋକ ତାଙ୍କୁ ହସ୍ପିଟାଲକୁ ନେଇଗଲେ । ହେଲେ ସେତେବେଳକୁ ସବୁ ସରିଯାଇଥିଲା । ମହିଳା ଜଣଙ୍କ ଆରପାରିକୁ ଚାଲିଯାଇଥିଲେ । ମେଡିକାଲରେ ମୃତ ଘୋଷଣା କରିଦେଲେ ଡାକ୍ତର । ଆଠଗଡ଼ ଥାନା ଅନ୍ତର୍ଗତ ରାଜନଗର ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଯେଉଁଠି ମାଙ୍କଡ଼ ଆକ୍ରମଣରେ ମହିଳାଙ୍କୁ ମୃତ୍ୟୁ ହୋଇଛି ।

ସୂଚନାଯୋଗ୍ୟ ଯେ, କଟକ ଜିଲ୍ଲା ଆଠଗଡ଼ ଥାନା ଅନ୍ତର୍ଗତ ରାଜନଗର ଗାଁରେ ଆତଙ୍କ ଖେଳାଇଛି ମାଙ୍କଡ଼ । ଆକ୍ରମଣରେ ଜଣେ ମହିଳାଙ୍କ ଜୀବନ ଚାଲିଯାଇଛି । ମୃତ ମହିଳା ଜଣଙ୍କ ହେଉଛନ୍ତି ରାଜନଗର ଗାଁର ସୁଲୋଚନା ସାହୁ ବୋଲି ଜଣାପଡ଼ିଛି । ମହିଳା ଜଣଙ୍କ କୌଣସି କାମରେ ଛାତ ଉପରକୁ ଯାଇଥିଲେ । ତାଙ୍କୁ ସେଠାରେ ଏକୁଟିଆ ପାଇ ଗୋଟିଏ ମାଙ୍କଡ଼ ଗୋଡ଼ାଇବାକୁ ଲାଗିଲା । ଏମିତି କି ମହିଳା ଜଣଙ୍କୁ ଆକ୍ରମଣ ବି କଲା । ଜୀବନ ବିକଳରେ ମହିଳା ଜଣଙ୍କ ଦୌଡ଼ିବାକୁ ଲାଗିଥିଲେ । ଫଳରେ ସେ ଭାରସାମ୍ୟ ହରାଇ ଛାତ ଉପରୁ ତଳକୁ ଖସି ପଡ଼ିଥିଲେ । ପରିବାର ଲୋକ ଏବଂ ଗ୍ରାମବାସୀ ତଳେ ରହି ସବୁକିଛି ଦେଖୁଥିଲେ ହେଲେ କିଛି କରିପାରିନଥିଲେ । ମହିଳା ଜଣଙ୍କ ତଳେପଡ଼ି ରକ୍ତାକ୍ତ ଅବସ୍ଥାରେ ଛଟପଟ ହେଉଥିଲେ । ତୁରନ୍ତ ତାଙ୍କୁ ପରିବାର ଲୋକ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ସେତେବେଳକୁ ମହିଳାଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା । ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମହିଳାଙ୍କ ଏଭଳି ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Also Read:- ପୁରୀରେ ପ୍ରବଳ କୁହୁଡ଼ି, ଲୁଚିଗଲା ବଡ଼ଦେଉଳ...

ତେବେ ଆଠଗଡ଼ ସଦର ରେଞ୍ଜରେ ଏବେ ମାଙ୍କଡ଼ଙ୍କ ଉତ୍ପାତ ବୃଦ୍ଧି ପାଇବାରେ ଲାଗିଛି । ଗତ କିଛି ଦିନ ମଧ୍ୟରେ ଉକ୍ତ ମାଙ୍କଡ଼ ଆକ୍ରମଣରେ ୬ରୁ ୭ ଜଣ ଲୋକ ଆହତ ହୋଇଥିବା ଜଣାପଡିଛି । ଏବେ ଜଣେ ମହିଳାଙ୍କ ଜୀବନ ନେଇଯାଇଛି । ଆକ୍ରମଣ କରୁଥିବା ଏହି ଉତ୍ପାତିଆ ମାଙ୍କଡ଼କୁ ତୁରନ୍ତ କାବୁ କରିବା ପାଇଁ ଗ୍ରାମବାସୀ ମାନେ ଦାବି କରିଛନ୍ତି । ଖୁବ୍‌ଶୀଘ୍ର ଯଦି ମାଙ୍କଡ଼କୁ କାବୁ କରାନଯାଏ ତେବେ ପରିସ୍ଥିତି ଶୋଚନୀୟ ହୋଇପାରେ । ଏହି ମାଙ୍କଡ଼ ଆକ୍ରମଣରେ ଆହୁରି କେତେ ଯେ ମୃତାହତ ହେବେ ତାହା କହିହେବନି ।