ବଲିଆ: ଭସାଣୀର ଡିଜେ ସାଉଣ୍ଡ ନେଇଗଲା ଶିଶୁ କନ୍ୟାର ଜୀବନ। ଡିଜେ ଏତେ ଜୋର୍ରେ ବାଜିଲା ଯେ ନବଜାତ ଶିଶୁଟିର ହୃଦସ୍ପନ୍ଦନ ବନ୍ଦ ହୋଇଗଲା। ଏବେ ଏବେ ଦୁନିଆକୁ ଆସିଥିବା ଶିଶୁଟିର ଜୀବନ ଏଇ କର୍କସ ଡିଜେ ସାଉଣ୍ଡରେ ଯେ ଏମିତି ଚାଲିଯିବ, ସେ କଥା କିଏ ଜାଣିଥିଲା ?

ଭସାଣୀ ବେଳେ ଘର ବାହାରେ ଜୋରଦାର ସାଉଣ୍ଡରେ ଡିଜେ ବଜାଇଥିଲେ କାର୍ଯ୍ୟକ୍ରମ ଆୟୋଜକ। ଡିଜେର କର୍କସ ଗର୍ଜନରେ ଶିଶୁଟି କାନ୍ଦି ଉଠିଥିଲା। ପରିବାର ଲୋକେ ଜେତେ କହିଲେ ବି କେହି ସାଉଣ୍ଡ କମାଇଲେ ନାହିଁ କି ଘର ସାମ୍ନାରୁ ହଟିଲେ ନାହିଁ। ଫଳରେ ହଠାତ୍ ଶିଶୁଟିର ହୃଦସ୍ପନ୍ଦନ ବନ୍ଦ ହୋଇଯିବାରୁ ୨୦ ଦିନର ଏହି ନବଜାତ ଦୁନିଆ ଛାଡ଼ି ଚାଲି ଯାଇଛି। ଏହି ଘଟଣା ଉତ୍ତର ପ୍ରଦେଶ ବଲିଆ ଜିଲ୍ଲାରେ ଘଟିଛି। ମନିଆର ଥାନା ମୁଦିଆରି ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। କେହି ମୁହୂର୍ତ୍ତର ଆନନ୍ଦ ପାଇଁ ଶିଶୁର ଜୀବନ ନେବାକୁ ପଛାଇ ନାହାନ୍ତି ଲୋକେ। ଘଟଣାରେ ପୁଲିସ ଏକ ମାମଲା ରୁଜୁ କରି ଡିଜେ ସାମଗ୍ରୀ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।

Also Read- ପଞ୍ଜାବ ତରଣତାରଣରେ ମୁଖ୍ୟମନ୍ତ୍ରୀ ତୀର୍ଥଯାତ୍ରା ବସ୍ ଦୁର୍ଘଟଣାଗ୍ରସ୍ତ, ୪ ମୃତ, ୧୮ରୁ ଅଧିକ ଆହତ

ପରିବାର ଅଭିଯୋଗ ଅନୁସାରେ, ରୀମା ଦେବି ତାଙ୍କର ୨୦ ଦିନର ଶିଶୁ ସହିତ ଘରେ ଶୋଇଥିଲେ। ଏହି ସମୟରେ ତାଙ୍କ ଘର ସାମ୍ନାରେ ଏକ ଭସାଣୀ ପ୍ରୋସେସନ ଅଟକିଥିଲା। ଆୟୋଜକମାନେ ଖୁବଜୋରରେ ଡିଜେ ସାଉଣ୍ଡ ବଜାଇ ନାଚଗୀତ କରୁଥିଲେ। ଡିଜେ ସାଉଣ୍ଡରେ ପିଲାଟି କାନ୍ଦିବା ପରେ ପରିବାର ଲୋକେ ଘର ସାମ୍ନାରୁ ଡିଜେ ହଟାଇବାକୁ କିମ୍ବା ସାଉଣ୍ଡ କମାଇବାକୁ ଅନୁରୋଧ କରିଥିଲେ। ହେଲେ ଆୟୋଜକ କିଛି ଶୁଣି ନଥିଲେ।

ହଠାତ ପିଲାଟି ତୁନି ହୋଇଯିବାରୁ ପରିବାର ଲୋକେ ତାକୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାକୁ ନେଇଯାଇଥିଲେ। ସେଠାରେ ଡାକ୍ତର ଶିଶୁ କନ୍ୟାକୁ ମୃତ ଘୋଷଣା କରିଥିଲେ। ଜୋର ସାଉଣ୍ଡ ଯୋଗୁ ନବଜାତର ହୃଦସ୍ପନ୍ଦନ ବନ୍ଦ ହୋଇଛି ବୋଲି ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି।

ଘଟଣା ସମ୍ପର୍କରେ ସୂଚନା ଦେଇ ଏସପି ଜୟ ଶଙ୍କର ମିଶ୍ର କହିଛନ୍ତି ଶିଶୁଟିର ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଡିଜେ ସାମଗ୍ରୀ ଜବତ କରାଯାଇଛି। ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ପରବର୍ତ୍ତି କାର୍ଯ୍ୟାନୁଷ୍ଠାନ ନିଆଯିବ। ବର୍ତ୍ତମାନ ପୁଲିସ ଏହି ମାମଲାରେ ବିଭିନ୍ନ ଆଙ୍ଗଲରୁ ତଦନ୍ତ ଜାରି ରଖିଛି।

ଡିଜେ ସାଉଣ୍ଡ ପାଇଁ କେବଳ ଏହି ଶିଶୁଟିର ନୁହେଁ, ସାରା ଦେଶରେ ଅନେକ ଲୋକଙ୍କର ମୃତ୍ୟୁ ହେଲାଣି। ହେଲେ ତଥାପି ଭାରତୀୟଙ୍କ ମାନସିକାତ ସୁଧୁରୁ ନାହିଁ। ଉତ୍ସବ ପାଳନ ଭଲ କଥା, ହେଲେ ଏଥିପାଇଁ ଯଦି କାହାର ଜୀବନ ବିପଦରେ ପଡ଼ୁଛି ତେବେ ଜଣେ ଉତ୍ତମ ନାଗରିକ ଭାବରେ ଏ ବିଷୟରେ ଥରେ ବିଚାର କରିବା ନିହାତି ଆବଶ୍ୟକ।